ହଟିଲା ଅଚଳାବସ୍ଥା

0

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି  

ଭୁବନେଶ୍ୱର  : ଲୋକାୟୁକ୍ତ ପ୍ରସଙ୍ଗରେ ସରକାର ଗୃହକୁ ଅବଗତ କରାଇବେ ବୋଲି ସ୍ପଷ୍ଟ କରିବା ପରେ ବିଧାନସଭାରେ ଦୀର୍ଘ ତିନି ଦିନ ଧରି ଦେଖାଦେଇଥିବା ଅଚଳାବସ୍ଥା ଦୂର ହୋଇଛି। ଲୋକପାଳ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ଦାବିରେ ବିଧାନସଭାରେ ଶନିବାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଶନିବାର ଗୃହକୁ ୫ଟି ପର୍ଯ୍ୟାୟରେ ସାଢ଼େ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଗୃହ କାର୍ଯ୍ୟ ସ୍ୱାଭାବିକ କରିବାକୁ ବାଚସ୍ପତି ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ଲୋକାୟୁକ୍ତ ପ୍ରସଙ୍ଗରେ ସତ୍ୟପାଠକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ସରକାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଅବଗତ କରାଇବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ କହିବା ପରେ ଗୃହ ସ୍ୱାଭାବିକ ହୋଇଥିଲା।
ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ସରକାର ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଛନ୍ତି, ହେଲେ ଏହାକୁ ସ୍ୱୀକାର କରୁନାହାନ୍ତି ବୋଲି ପ୍ରତିବାଦ କରିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ ବିବୃତି ଦେବାକୁ ଦାବି କରିଥିଲେ। ବିରୋଧୀ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଅଂଶୁମାନ ମହାନ୍ତି , ବିଜେପିର ରବି ନାୟକ, ରାଧାରାଣୀ ପଣ୍ଡା ଓ ଅନ୍ୟ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କିଛି ସମୟ ପାଇଁ ଗୃହରେ ହୋ ହଲ୍ଲା, ହଟ୍ଟଗୋଳ ଲାଗିରହିଥିଲା। ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ଏହା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ, ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ଓ ବିଧାୟକ ସଞ୍ଜୟ ଦାସବର୍ମା ପ୍ରମୁଖ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ତାଙ୍କ ଚାମ୍ବରରେ ଭେଟି ଆଲୋଚନା କରିଥିଲେ। ଅପରାହ୍ନ ୩ଟାରେ ଗୃହରେ ଅଚଳାବସ୍ଥା ଲାଗିରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିପାଇଁ ଗୃହକୁ ବିଭିନ୍ନ ପର୍ଯ୍ୟାୟରେ ସାଢ଼େ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।
ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ମିଥ୍ୟା ସତ୍ୟପାଠ ନେଇ ଗୃହରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସର୍ବଦଳୀୟ ବୈଠକ ପରେ ଦୂର ହୋଇଛି। ଗୃହ ଆରମ୍ଭ ହେବା ମାତ୍ରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ସୁପ୍ରିମକୋର୍ଟଙ୍କ ଆଦେଶ ସଂଶୋଧନ ସମ୍ପର୍କରେ ଯାହା କହିଥିଲେ ତା ଉପରେ ମନ୍ତବ୍ୟ ରଖିଥିଲେ। ସେ କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଛି। ତାଙ୍କ ନିକଟରେ ଯାହା ତଥ୍ୟ ଥିଲା ସେହି ଆଧାରରେ ସେ କହିଥିଲେ। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଜି ଗୋଟିଏ ଓଡ଼ିଆ ଏବଂ ଗୋଟିଏ ଇଂରାଜୀ ଏହିପରି ଦୁଇଟି ଗଣମାଧ୍ୟମରେ ସରକାରୀ ଦଳର ମୁଖ୍ୟ ସଚେତକଙ୍କ ଯେଉଁ ବିବୃତି ପ୍ରକାଶ ପାଇଛି ସେ ସଂକ୍ରାନ୍ତରେ ଅନୁଧ୍ୟାନ କରି ଗୃହରେ ସରକାର ଲୋକାୟୁକ୍ତ ନିଯୁକ୍ତି ସଂକ୍ରାନ୍ତ ତଥ୍ୟ ରଖିବା ସହିତ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ସମସ୍ତେ ମାନିବା ଉଚିତ। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମଧ୍ୟ ସରକାର ଏହା ଉପରେ ବିବୃତି ରଖିବାକୁ ଦାବି କରିଥିଲେ। ସରକାର ଏହା ଉପରେ ଅନୁଧ୍ୟାନ କରି ଗୃହକୁ ଅବଗତ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ। ଏହା ପରେ ଗୃହ ସ୍ୱାଭାବିକ ହୋଇଥିଲା।

Leave A Reply