ଖେଳରତ୍ନ ପାଇଁ ନୀରଜଙ୍କ ନାମ ସୁପାରିସ

0

ନୂଆଦିଲ୍ଲୀ :  ଅଷ୍ଟ୍ରେଲିଆର ଗୋଲ୍‍ଡ କୋଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ୍‍ ଥ୍ରୋ ବିଭାଗରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରିବାକୁ ଭାରତୀୟ ଆଥଲେଟିକ୍‍ ମହାସଂଘ ତରଫରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। ଜାଭେଲିନ୍‍ ଥ୍ରୋରେ ବିଶ୍ୱ ଜୁନିୟର ଚମ୍ପିଆନ୍‍ ନୀରଜଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ମଧ୍ୟ ସୁପାରିସ କରାଯାଇଥିବା ଜଣାପଡ଼ିଛି।
ନୀରଜଙ୍କ ବ୍ୟତୀତ ମହିଳା ଜାଭେଲିନ୍‍ ଫିଙ୍ଗାଳି ଅନୁ ରାଣୀ ଓ ଡିସ୍‍କସ ଫିଙ୍ଗାଳି ସୀମା ଆଣ୍ଟିଲ ପୁନିଆଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରିଛି ଭାରତୀୟ ଆଥଲେଟିକ ମହାସଂଘ। ସେହିପରି ମହାନ୍‍ ଧାବିକା ପିଟି ଉଷା ଓ ଜୁନିୟର ଭାରତୀୟ ଆଥଲେଟିକ ଦଳର ପ୍ରଶିକ୍ଷକ ସଞ୍ଜୟ ଗାରନେକ୍‍ଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଛି। କୁଲଦୀପ୍‍ ସିଂ ଭୁଲାର, ଜଟା ଶଙ୍କର ଓ ବବି ଆଲୋୟୋସିଅସ୍‍ଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଥିବା ଭାରତୀୟ ଆଥ୍‍ଲେଟିକ ମହାସଂଘ ତରଫରୁ ଜାରି ଏକ ପ୍ରେସ୍‍ ବିଜ୍ଞପ୍ତିରେ ଦର୍ଶାଯାଇଛି। ଭାରତୀୟ ଆଥଲେଟିକ୍‍ ମହାସଂଘର ଅଧିକାରୀ ବାହାଦୂର ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସୀମା କ୍ରମାଗତ ଭାବେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତିଥିବାରୁ ସେ ଅର୍ଜୁନ ପୁରସ୍କାର ପାଇବାକୁ ହକ୍‍ଦାର। ସୂଚନାଥାଉକି ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ୍‍ ଥ୍ରୋ ବିଭାଗରେ ୮୬.୪୭ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ପୋଲାଣ୍ଡରେ ଆୟୋଜିତ ବିଶ୍ୱ ଯୁବ ଚମ୍ପିଆନ୍‍ସିପରେ ୮୬.୪୮ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିବା ବେଳେ ଭୁବନେଶ୍ୱରରେ ୨୦୧୭ରେ ଆୟୋଜିତ ଏସିଆନ୍‍ ଚମ୍ପିଆନ୍‍ସିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

Leave A Reply