ବିଚାରପତି ଯୋଶେଫ୍‌ଙ୍କ ଫାଇଲ୍‌ ଫେରସ୍ତ ପ୍ରସଙ୍ଗ : ମେ’୨ରେ କଲେଜିୟମ୍‌ ବୈଠକ

0

ନୂଆଦିଲ୍ଲୀ : ସୁପ୍ରମିକୋର୍ଟ ବିଚାରପତି ନିଯୁକ୍ତି ଲାଗି ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ. ଏମ୍‌. ଯୋଶେଫ୍‌ଙ୍କ ନାମ ସୁପାରିସ ସମ୍ବନ୍ଧୀୟ ଫାଇଲ୍‌ ଫେରସ୍ତ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସର୍ବୋଚ୍ଚ ଅଦାଲତର କଲେଜିୟମ୍‌ ଆଲୋଚନା କରିବେ। ଏ ନେଇ ପ୍ରଧାନ ବିଚାରପତି ଦୀପକ ମିଶ୍ର ମେ’ ୨ରେ କଲେଜିୟମ୍‌ ବୈଠକ ଡାକିଛନ୍ତି। କଲେଜିୟମ୍‌ର ୫ ସଦସ୍ୟଙ୍କୁ ଶୁକ୍ରବାର ଏ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି। ଶନିବାର ଓ ରବିବାର ସୁପ୍ରିମକୋର୍ଟ ଛୁଟିଥିବା ବେଳେ ସୋମବାର ବୁଦ୍ଧ ପୂର୍ଣ୍ଣିମା କାରଣରୁ ଏହା ବନ୍ଦ ରହିବ। ମଙ୍ଗଳବାର ସୁପ୍ରିମକୋର୍ଟ କାର୍ଯ୍ୟ ପୁନଃ ଆରମ୍ଭ ହେବ। ଏହାର ଦିନକ ପରେ କଲେଜିୟମ୍‌ ବୈଠକ ବସିବ। ତେବେ ଏଯାବତ୍‌ ଏହି ବୈଠକ ନିମନ୍ତେ କୌଣସି ଔପଚାରିକ କାର୍ଯ୍ୟସୂଚୀ ପ୍ରଦାନ କରାଯାଇ ନାହିଁ। ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଲାଗି କଲେଜିୟମ୍‌ ପକ୍ଷରୁ ବିଚାରପତି ଯୋଶେଫ୍‌ ଏବଂ ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରାଙ୍କ ନାମ ଜାନୁଆରୀ ୧୨ରେ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାର ଇନ୍ଦୁଙ୍କୁ ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନେଇଥିଲେ। ମାତ୍ର ବରିଷ୍ଠତା ଦୃଷ୍ଟିରୁ ବିଚାରପତି ଯୋଶେଫ୍‌ଙ୍କୁ ନିଯୁକ୍ତି ମିଳିବା ଉଚିତ ବୋଲି ନ୍ୟାୟପାଳିକା ପକ୍ଷରୁ ଦାବି ହୋଇଥିଲା। ଏହାକୁ ନେଇ ବିବାଦ ଉପୁଜିବାରୁ ପ୍ରସ୍ତାବ ଉପରେ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାର ପ୍ରଧାନ ବିଚାରପତିଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ କେନ୍ଦ୍ର ସରକାର ନିଜ କ୍ଷମତା ପରିସର ମଧ୍ୟରେ ରହି ଇନ୍ଦୁ ମଲହୋତ୍ରାଙ୍କୁ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ କରିଛନ୍ତି ବୋଲି ପ୍ରଧାନ ବିଚାରପତି କହିଥିଲେ। ମାତ୍ର ନ୍ୟାୟପାଳିକା ସ୍ୱାଧୀନତାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ, ବିଶେଷ କରି ବିଚାରପତି ଯୋଶେଫ୍‌ଙ୍କ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇବାକୁ ପ୍ରଧାନ ବିଚାରପତିଙ୍କ ଉପରେ ଚାପ ରହିଛି। ଏଣୁ ଏହି ପ୍ରସଙ୍ଗ ଉପରେ ଆଲୋଚନା ଲାଗି ସେ କଲେଜିୟମ୍‌ ବୈଠକ ଡକାଇଥିବା କୁହାଯାଇଛି।
ଅନ୍ୟପଟେ ବିଚାରପତି ଯୋଶେଫ୍‌ଙ୍କ ନିଯୁକ୍ତି ସମ୍ବନ୍ଧୀୟ ଫାଇଲକୁ କେନ୍ଦ୍ର ସରକାର ଏଯାବତ୍‌ ଫେରସ୍ତ କରି ନ ଥିବା ଏହି ମାମଲା ସହିତ ଜଡିତ ଜଣେ ବ୍ୟକ୍ତିଙ୍କ ସୂତ୍ରରୁ ଜଣାପଡିଛି। କୌଣସି ବରିଷ୍ଠ ଆଇନଜୀବୀଙ୍କୁ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ କରିବା ନେଇ ନୋଟିସ୍‌ ଜାରି କରିବା ପୂର୍ବରୁ କେନ୍ଦ୍ର ସରକାର କଲେଜିୟମଙ୍କୁ ତାଙ୍କ ସମ୍ପର୍କରେ ଗୁଇନ୍ଦା ରିପୋର୍ଟ ପ୍ରଦାନ କରିବାର ନିୟମ ରହିଛି। ମାତ୍ର ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରା ଇତିମଧ୍ୟରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିସାରିଥିଲେ ମଧ୍ୟ କେନ୍ଦ୍ର ସରକାର କଲେଜିୟମଙ୍କୁ ତାଙ୍କ ସମ୍ପର୍କରେ ଗୁଇନ୍ଦା ରିପୋର୍ଟ ପ୍ରଦାନ କରି ନ ଥିବା ସମ୍ପୃକ୍ତ ବ୍ୟକ୍ତି ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ କହିଛନ୍ତି।

Leave A Reply