ଅଯୋଧ୍ୟା ମାମଲା ସାମ୍ବିଧାନିକ ପୀଠକୁ ହସ୍ତାନ୍ତର ପାଇଁ ଦାବି, ମଇ ୧୫ରେ ଆସନ୍ତା ଶୁଣାଣି

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶୁକ୍ରବାର ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍‍ ଭୂମି ବିବାଦ ମାମଲାରେ ଶୁଣାଣି ହୋଇଛି। ଏହି ଅବସରରେ ସୁନି ୱାକଫ ବୋର୍ଡ ଏବଂ ଜମାତ ଉଲେମା ଏ ହିନ୍ଦ ଓକିଲ ରାଜୁ ରାମଚନ୍ଦ୍ରନ ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠ ନିକଟକୁ ପଠାଇବା ପାଇଁ ଦାବି କରିଥିଲେ। ରାମଚନ୍ଦ୍ରନ କହିଥିଲେ ଯେ ରାମ ମନ୍ଦିର ଏକ ଜାତୀୟ ପ୍ରସଙ୍ଗ ହୋଇଥିବାରୁ ଏହି ମାମଲାକୁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଉ। ଅପରପକ୍ଷରେ ହିନ୍ଦୁ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ହରିଶ ସାଲଭେ ଯୁକ୍ତି କରିଥିଲେ ଯେ ଦେଶ ୧୯୯୨ରୁ ବହୁ ଆଗକୁ ଆସିଲାଣି। ଏବେ ଏହା ମାତ୍ର ଏକ ସମ୍ପତ୍ତି ବିବାଦ ହୋଇଯାଇଛି। ରାଜନୀତି ଏବଂ ଧର୍ମ ପ୍ରସଙ୍ଗରେ ଚର୍ଚ୍ଚା ଅଦାଲତ ବାହାରେ କରାଯିବା ଆବଶ୍ୟକ। ଅଦାଲତ ଏହି ମାମଲାର ଗୁରୁତ୍ୱ ବୁଝୁଛନ୍ତି; ତେଣୁ ଶୁଣାଣି ଜାରି ରଖିଛନ୍ତି। ଏହି ମାମଲା ଏବେ ଧର୍ମ ନୁହେଁ କେବଳ ଏକ ସମ୍ପତ୍ତି ବିବାଦ ହୋଇ ରହିଯାଇଛି। ତେଣୁ ଏହାକୁ ଏହି ଭିତ୍ତିରେ ନିଆଯିବା ଆବଶ୍ୟକ। ରାଜନୈତିକ ଓ ଧାର୍ମିକ ସମ୍ବେଦନଶୀଳତା ମାମଲାକୁ ବଡ଼ ସାମ୍ବିଧାନିକ ଖଣ୍ଡପୀଠକୁ ହସ୍ତାନ୍ତର ପାଇଁ ପୃଷ୍ଠଭୂମି ହୋଇ ପାରିବ ନାହିଁ। ସେହିପରି ରାମଲାଲା ବିରାଜମାନ ପକ୍ଷ ରଖୁଥିବା ଓକିଲ ପରାସରଣ ମଧ୍ୟ ରାମ ମନ୍ଦିର ଓ ବାବ୍ରି ମସଜିଦ୍‍ ବିବାଦ ଏକ ଭୂମି ବିବାଦ ବୋଲି ଦର୍ଶାଇବା ସହ ଏହାକୁ ସାମ୍ବିଧାନିକ ଖଣ୍ଡପୀଠ ନିକଟକୁ ପଠାଇବାର ଆବଶ୍ୟକତା ନାହିଁ ବୋଲି ଯୁକ୍ତି ବାଢିଥିଲେ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଅଶୋକ ଭୂଷଣ ଏବଂ ଏସ୍‍ ଅବଦୁଲ ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଆସନ୍ତା ଶୁଣାଣି ପାଇଁ ମଇ ୧୫କୁ ତାରିଖ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଅପ୍ରେଲ ୬ରେ ମାମଲାର ଶୁଣାଣି ହୋଇଥିଲା। ପ୍ରକାଶ ଯେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଏହି ବିବାଦ ଉପରେ ଦେଇଥିବା ରାୟକୁ ଚାଲେଞ୍ଜ କରି ୧୩ଟି ପିଟିସନ ଦାୟର ହୋଇଛି। ଏହି ବିବାଦରେ ତିନିଜଣ ମୁଖ୍ୟ ଅଂଶୀଦାର ରହିଛନ୍ତି। ସେମାନେ ହେଲେ ରାମ ଲାଲା, ନିର୍ମୋହି ଆଖଡା ଓ ସୁନ୍ନି ୱାକଫ ବୋର୍ଡ। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ତିନିଜଣିଆ ବିଚାରପତି ପୀଠ ଅଯୋଧ୍ୟାସ୍ଥିତ ବିବାଦୀୟ ମନ୍ଦିର ଜମିକୁ ପ୍ରମୁଖ ତିନି ଅଂଶୀଦାରଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦେଇଥିଲେ। ୨.୭୭ ଏକର ଜମିକୁ ତିନି ପ୍ରମୁଖ ଅଂଶୀଦାର ବାଣ୍ଟିନେବା ଲାଗି କୁହାଯାଇଥିଲା; ମାତ୍ର ଏହାକୁ ଅଂଶୀଦାରମାନେ ଗ୍ରହଣ ନ କରି ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି।

Leave A Reply