କଠୁଆ : ପୁଅ ପାଇଁ ନାବାଳିକାର ହତ୍ୟା କରିଥିଲା ସାଞ୍ଜି ରାମ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର କଠୁଆ ଜିଲାରେ ୮ବର୍ଷର ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଏକ ବଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି। ମାମଲାର ତଦନ୍ତ କରୁଥିବା ପୁଲିସ୍‍ ଅଧିକାରୀ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ ତଥା ମନ୍ଦିରର ତତ୍ତ୍ୱାବଧାରକ ସାଞ୍ଜି ରାମ ନାବାଳିକାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ପୁଅକୁ ବଞ୍ଚାଇବା ପାଇଁ ନାବାଳିକାକୁ ସାଞ୍ଜି ରାମ ହତ୍ୟା କରିଥିବା ଜେରାବେଳେ ସ୍ୱୀକାର କରିଛି। ସାଞ୍ଜି ରାମ କହିଛି ଯେ ନାବାଳିକା ଅପହରଣର ୪ ଦିନ ପରେ ସେ ବଳାତ୍କାର ବିଷୟରେ ଜାଣିବାକୁ ପାଇଥିଲେ। ଏହି ବଳାତ୍କାରରେ ତାର ପୁଅ ସାମିଲ ଥିବା ଜାଣିବା ପରେ ସେ ନାବାଳିକାକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ ଜାନୁଆରୀ ୧୦ରେ ନାବାଳିକାକୁ ଅପହରଣ କରାଯାଇଥିଲା। ସେହି ଦିନ ସାଞ୍ଜି ରାମର ନାବାଳକ ପୁତୁରା ନାବାଳିକା ସହ ବଳାତ୍କାର କରିଥିଲା। ସାଞ୍ଜି ରାମ ଜାନୁଆରୀ ୧୩ରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା ଓ ତାର ପୁତୁରା ନିଜ ଦୋଷ ସ୍ୱୀକାର କରିଥିଲା। ଏହାସହ ସମ୍ପର୍କୀୟ ଭାଇ ତଥା ସାଞ୍ଜି ରାମର ପୁଅ ବିଶାଲ ମନ୍ଦିର ମଧ୍ୟରେ ନାବାଳିକା ସହ ବଳାତ୍କାରରେ ସାମିଲ ଥିବା ସେ କହିଥିଲା। ନିଜ ପୁଅକୁ ବଞ୍ଚାଇବା ପାଇଁ ସାଞ୍ଜି ରାମ ଶେଷରେ ନାବାଳିକାକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଘଟଣା ଜାଣିବାର ପରଦିନ ଅର୍ଥାତ ୧୪ ଜାନୁଆରୀରେ ସେ ନାବାଳିକାର ହତ୍ୟା କରିଥିଲା। ପରେ ସେ ନାବାଳିକାର ଶବକୁ ନେଇ ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପ୍ରକାଶ ଯେ ଏହି ଘଟଣାରେ ସ୍ଥାନୀୟ ଏସ୍‍ପିଓ (ସ୍ୱତନ୍ତ୍ର ପୁଲିସ୍‍ ଅଧିକାରୀ) ଦୀପକ ଖଜୁରିଆ ଓ ସୁରେନ୍ଦ୍ର ବର୍ମା, ସେମାନଙ୍କ ସାଙ୍ଗ ପର୍ବେଶ କୁମାର, ସାଞ୍ଜି ରାମର ପୁତୁରା (ନାବାଳକ) ଏବଂ ପୁଅ ବିଶାଲ ଜଙ୍ଗୋତ୍ରାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଜଙ୍ଗଲରେ ଘୋଡ଼ା ଚରାଉଥିବାବେଳେ ନାବାଳିକାକୁ ଅପହରଣ କରାଯାଇଥିଲା ଓ ଏହାର ୪ ଦିନ ପରେ ତାକୁ ହତ୍ୟା କରାଯାଇଥିଲା। ରାସନା ଜଙ୍ଗଲରୁ ତାର ମୃତଦେହ ଠାବ କରାଯାଇଥିଲା। ନାବାଳକ ଅଭିଯୁକ୍ତ ଜଣକ ଏହି ଅପରାଧରେ ପ୍ରମୁଖ ଭୂମିକା ତୁଲାଇଥିଲା।

Leave A Reply