ବିଚାରପତି ଭାବେ ଶପଥ ନେଲେ ଇନ୍ଦୁ ମାଲହୋତ୍ରା

0

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରା ଶୁକ୍ରବାର ସୁପ୍ରିମ୍‍କୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଭାରତର ପ୍ରଧାନ ବିଚାରପତି ଦୀପକ୍‍ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଇନ୍ଦୁ ମାଲ୍‍ହୋତ୍ରାଙ୍କୁ ସୁପ୍ରିମ୍‍କୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଗତକାଲି ସରକାର ଅନୁମତି ପ୍ରଦାନ କରିଥିଲେ । ଶ୍ରୀମତୀ ମାଲହୋତ୍ରା ହେଉଛନ୍ତି ଦେଶର ପ୍ରଥମ ମହିଳା ବିଚାରପତି, ଯିଏ ସିଧା ସଳଖ ଆଇନଜୀବୀରୁ ସୁପ୍ରିମ୍‍କୋର୍ଟର ବିଚାରପତି ହୋଇଛନ୍ତି ।

ଇନ୍ଦୁ ମାଲହୋତ୍ରା : ଅଧ୍ୟାପିକାରୁ ସୁପ୍ରିମକୋର୍ଟର ବିଚାରପତି

ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିବା ଇନ୍ଦୁ ମାଲହୋତ୍ରା ହେଉଛନ୍ତି ଜଣେ ବରିଷ୍ଠ ମହିଳା ଆଇନଜୀବୀ। ୧୯୫୬ ମାର୍ଚ୍ଚ ୧୪ରେ ବାଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିବା ମାଲହୋତ୍ରା ଦୀର୍ଘ ୩୦ବର୍ଷ ଧରି ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ପିତା ଓମ୍‍ ପ୍ରକାଶ ମାଲହୋତ୍ରା ମଧ୍ୟ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଥିଲେ। ୨୦୦୭ରେ ଇନ୍ଦୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇବାରେ ସେ ହେଉଛନ୍ତି ଦ୍ୱିତୀୟ ମହିଳା। ୨୦୧୬ରେ ସେ କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ଇନ୍ଦୁ ହେଉଛନ୍ତି ତାଙ୍କ ପିତାମାତାଙ୍କର ସବୁଠାରୁ କନିଷ୍ଠ ସନ୍ତାନ। ଦିଲ୍ଲୀର କାର୍ମେଲ କନଭେଣ୍ଟ ସ୍କୁଲରେ ପାଠ ପଢା ପରେ ସେ ଲେଡି ଶ୍ରୀରାମ କଲେଜରୁ ରାଜନୀତି ବିଜ୍ଞାନ ସମ୍ମାନ ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସ୍ନାତକୋତ୍ତର ଡିଗ୍ରୀ ପରେ ସେ ମିରାଣ୍ଡା ହାଉସ କଲେଜ, ବିବେକାନନ୍ଦ କଲେଜ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟ କରିଥିଲେ। ୧୯୭୯ରୁ ୧୯୮୨ରେ ସେ ଆଇନରେ ସ୍ନାତକ ଡିଗ୍ରୀ କରିଥିଲେ। ୧୯୮୩ରେ ଇନ୍ଦୁ ଆଇନ ବୃତ୍ତିରେ ଯୋଗ ଦେଇଥିଲେ। ପ୍ରଥମେ ସେ ଦିଲ୍ଲୀ ବାର କାଉନସିଲ୍‍ରେ ନିଜ ନାମ ପଞ୍ଜୀକରଣ କରାଇଥିଲେ। ୧୯୮୮ରେ ସେ ସୁପ୍ରିମକୋର୍ଟର ଆଡଭୋକେଟ୍‍ ଅନ ରେକର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।

ଏହି ପରୀକ୍ଷାରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏଥିପାଇଁ ତାଙ୍କୁ ମୁକେଶ ଗୋସ୍ୱାମୀ ମେମୋରିଆଲ ପୁରସ୍କାର ମିଳିଥିଲା। ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ସେ ହରିୟାଣା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଓକିଲ ଭାବେ ନିଯୁକ୍ତି ପାଇଥିଲେ। ଏହା ସହିତ ବିଭିନ୍ନ କର୍ପୋରେଟ ଯଥା ସେବି, ଡିଡିଏ, ସିଏସଆଇଆର, ଆଇସିଏଆର ପାଇଁ ଓକିଲ ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ଜାନୁଆରୀରେ ସୁପ୍ରିମକୋର୍ଟର କଲେଜିୟମ ତାଙ୍କ ନାମକୁ ସୁପ୍ରିମକୋର୍ଟ ବିଚାରପତି ପଦ ଲାଗି ସୁପାରିସ କରିଥିଲେ। କଲେଜିୟମ୍‍ର ସୁପାରିସକୁ ସରକାର ଅନୁମୋଦନ କରିବା ପୂର୍ବକ ଇନ୍ଦୁଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ। ଆଜି ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

Leave A Reply