www.samajalive.in
Sunday, December 7, 2025
26.1 C
Bhubaneswar

ପରେରାଙ୍କ ୭୮; ଆଫ୍‌ଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା

କାର୍ଡିଫ୍ : ଚଳିତ ବିଶ୍କପ୍‌ରେ ମଙ୍ଗଳବାର ପ୍ରଥମଥର ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ତଥାପି ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ଶ୍ରୀଲଙ୍କା ଡକ୍‌ୱର୍ଥ-ଲୁଇସ୍ ନିୟମରେ ୩୪ ରନ୍‌ରେ ଆଫ୍‌ଗାନିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍‌ ମଝିରେ ବର୍ଷା ଯୋଗୁଁ ୩ ଘଣ୍ଟା ଖେଳ ବନ୍ଦ ରହିଥିଲା। ତେଣୁ ମ୍ୟାଚ୍‌କୁ ୪୧ ଓଭରର କରା ଯାଇଥିଲା। ତେବେ ବର୍ଷା ଆସିବା ପୂର୍ବରୁ ରୋଚକ କ୍ରିକେଟ ଦେଖିବାକୁ ମିଳିଥିଲା। ଓପ୍‌ନର କୁଶଳ ପରେରା ୭୮ ରନ୍‌ର ଦର୍ଶନୀୟ ଇନିଂସ ଖେଳିଥିଲେ ହେଁ ୫୭ ରନ୍‌ରେ ୯ଟି ୱିକେଟ ହରାଇ ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ପରେ ଡକ୍‌ୱର୍ଥ-ଲୁଇସ୍ ନିୟମରେ ୪୧ ଓଭରରେ ଆଫ୍‌ଗାନିସ୍ତାନକୁ ୧୮୭ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଆଫ୍‌ଗାନିସ୍ତାନ ଏହାର ପିଛାକରି ୩୨.୪ ଓଭରରେ ୧୫୨ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ କ୍ରମାଗତ ୨ୟ ପରାଜୟ ଭୋଗିଛି।
୧୮୭ ରନ୍‌ର ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିବା ପରେ ଆଫ୍‌ଗାନିସ୍ତାନ ଓପ୍‌ନର ହଜ୍ରତୁଲ୍ଲା ଜାଜାଇ ୨୫ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ଦ୍ରୁତ ୩୦ ରନ୍‌କରି ଆଉଟ ହୋଇଥିଲେ। ପରେ ୨୩ ରନ୍‌ରେ ଜଲ୍‌ଦି ଆହୁରି ୪ଟି ୱିକେଟ ପଡ଼ି ଯାଇଥିଲା। ମହମ୍ମଦ ସେହ୍‌ଜାଦ୍ ୭, ରହମତ୍ ଶାହା ୨, ହସ୍‌ମତୁଲ୍ଲା ସାହିଦି ୪ ଓ ମହମ୍ମଦ ନବି ୧୧ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଅଧିନାୟକ ଗୁଲ୍‌ବାଦିନ ନାଇବ୍ ଓ ନଜିବୁଲ୍ଲା ଜାଦ୍ରାନ୍ ୬ଷ୍ଠ ୱିକେଟ ପାଇଁ ୬୪ ରନ୍ ଯୋଗ କରିଥିଲେ। ତେବେ ସ୍କୋର୍ ୧୨୧ ରନ୍ ଥିବା ବେଳେ ଆଫ୍‌ଗାନିସ୍ତାନ ପୁଣି ବିପର୍ଯ୍ୟୟ ଭୋଗିଥିଲା। ଗୁଲ୍‌ବାଦିନ ନାଇବ୍ ୩୨ ବଲ୍‌ରୁ ୨ଟି ଚୌକା ସହ ୨୩ ରନ୍‌କରି ଆଉଟ ହୋଇଥିଲେ। ପରେ ରସିଦ୍ ଖାଁ ୨ ଓ ଦୱାଲତ ଜାଦ୍ରାନ୍ ୬ ରନ୍‌କରି ଆଉଟ ହୋଇଥିଲେ। ୩୨ତମ ଓଭରରେ ଦଳର ଶେଷ ଆଶା ନଜିବୁଲ୍ଲା ଜାଦ୍ରାନ୍ ଆଉଟ ହୋଇଯିବା ଆଫ୍‌ଗାନିସ୍ତାନ ପାଇଁ ଘାତକ ହୋଇଥିଲା। ନଜିବୁଲ୍ଲା ୫୬ ବଲ୍‌ ଖେଳି ୬ଟି ଚୌକା ସହ ୪୩ ରନ୍ କରିଥିଲେ। ନୁୱାନ୍ ପ୍ରଦୀପ ୪ଟି ଓ ଲାସିଥ୍ ମାଲିଙ୍ଗା ୩ଟି ୱିକେଟ ପାଇଥିଲେ। ନୁୱାନ୍ ପ୍ରଦୀପ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ବର୍ଷା ଯୋଗୁଁ ଖେଳ ବନ୍ଦରହିବା ବେଳକୁ ଶ୍ରୀଲଙ୍କା ୩୩ ଓଭରରେ ୮ ୱିକେଟ ହରାଇ ୧୮୨ ରନ୍ କରିଥିଲା। ୨୧ ଓଭର ପର୍ଯ୍ୟନ୍ତ ଶ୍ରୀଲଙ୍କା ବ୍ୟାଟ୍‌ସମ୍ୟାନଙ୍କ ରାଜୁତି ଦେଖିବାକୁ ମିଳିଥିଲା। ଓପ୍‌ନର କୁଶଳ ପରେରାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ୨୧ ଓଭର‌େ‌ର ଶ୍ରୀଲଙ୍କା ୧ ୱିକେଟରେ ୧୪୪ ରନ୍ କରିଥିଲା। ପରବର୍ତ୍ତୀ ୧୬ ଓଭରରେ ଆଫ୍‌ଗାନିସ୍ତାନ ନାଟକୀୟ ଭାବେ ମ୍ୟାଚ୍‌କୁ ଫେରିଥିଲା। ଏହି ୧୬ ଓଭରରେ ଶ୍ରୀଲଙ୍କା ୫୭ ରନ୍ ଯୋଡ଼ି ୯ଟି ୱିକେଟ ହରାଇଥିଲା। ସେଥିରୁ ମହମ୍ମଦ ନବି ଏକ ଓଭରରେ ୩ଟି ୱିକେଟ ନେଇଥିଲେ। ଆଫ୍‌ଗାନିସ୍ତାନ ଟସ୍ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାର ଓପ୍‌ନର ୧୩ ଓଭରରେ ୯୨ ରନ୍ ଯୋଗକରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ଅଧିନାୟକ ଦିମୁଥ୍ କରୁଣାରତ୍ନେ ଏକ ବେପରୁଆ ସଟ୍‌ମାରି ଆଉଟ ହେବା ସହ ଏହି ଯୋଡ଼ି ଭାଙ୍ଗିଥିଲା। କରୁଣାରତ୍ନେ ୪୫ ବଲ୍‌ରୁ ୩ଟି ଚୌକା ସହ ୩୦ ରନ୍ କରିଥିଲେ। ପରେ ଦୁଇ ବାମହାତି କୁଶଳ ପରେରା ଓ ଲାହିରୁ ଥିରିମାନେ ସ୍କୋର୍‌କୁ ଆଗେଇ ନେଇଥିଲେ ଏବଂ ୨ୟ ୱିକେଟ ପାଇଁ ୫୨ ରନ୍ ଯୋଡ଼ିଥିଲେ। ସ୍କୋର୍ ୧ ୱିକେଟରେ ୧୪୪ ରନ୍ ଥିବା ବେଳେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ୨୨ତମ ଓଭର ବୋଲିଂ କରିଥିବା ମହମ୍ମଦ ନବି ୨ୟ ବଲ୍‌ରେ ଥିରିମାନେଙ୍କୁ ବୋଲ୍‌ଡ କରିଥିଲେ। ଥିରିମାନେ ୩୪ ବଲ୍‌ରୁ ୨୫ ରନ୍ କରିଥିଲେ। ୪ର୍ଥ ବଲ୍‌ରେ କୁଶଳ ମେଣ୍ଡିସ୍ (୨) ଏବଂ ୬ଷ୍ଠ ବଲ୍‌ରେ ଆଞ୍ଜେଲୋ ମାଥ୍ୟୁସ୍ (୦) ସ୍ଲିପ୍‌ରେ କ୍ୟାଚ୍ ଦେଇଥିଲେ। ପରବର୍ତ୍ତୀ ଓଭରରେ ଧନଞ୍ଜୟ ଡି ସିଲ୍‌ଭା ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ତିସାରା ପରେରା ୨ ରନ୍‌କରି ବେପରୁଆ ଭାବେ ଦୌଡ଼ି ରନ୍‌ଆଉଟ ହୋଇଥିଲେ। ଇସୁରୁ ଉଦାନା ୧୦ ରନ୍‌କରି ଆଉଟ ହୋଇଥିଲେ। ୩୩ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା ଓପ୍‌ନର କୁଶଳ ପରେରା ୮୧ ବଲ୍‌ରୁ ୮ଟି ଚୌକା ସହ ୭୮ ରନ୍‌ କରିଥିଲେ ହେଁ ରିର୍ଭସ ସ୍ବିପ୍ ମାରିବା ପ୍ରୟାସରେ ୱିକେଟ ରକ୍ଷକଙ୍କୁ କ୍ୟାଚ୍ ଦେଇଥିଲେ। ସୁରଙ୍ଗା ଲାକ୍‌ମଲ ୧୫ ରନ୍ କରିଥିଲେ। ମହମ୍ମଦ ନବି ୪ଟି ଏବଂ ଦୱାଲତ ଜାଦ୍ରାନ୍ ଓ ରସିଦ୍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories