କୁଶିନଗରରେ ବିକ୍ଷୋଭକାରୀଙ୍କୁ ନାଟକବାଜୀ ବନ୍ଦ କରିବାକୁ ଚେତାବନୀ ଦେଲେ ଯୋଗୀ

0

କୁଶିନଗର : ଉତ୍ତର ପ୍ରଦେଶ କୁଶିନଗରଠାରେ ଗୁରୁବାର ରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଦେଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହଟହଟାର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ଯୋଗୀ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଲୋକେ ରାଜ୍ୟ ସରାକର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହା ପରେ ଯୋଗୀ ଉତ୍‌କ୍ଷିପ୍ତ ହୋଇ ଲୋକଙ୍କୁ ନାଟକବାଜୀ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ ଏହା ଏକ ଦୁଃଖଦ ଘଟଣା ତେଣୁ ଏବେ ସ୍ଲୋଗାନ ଦେବା ବନ୍ଦ କର । ଆମେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଅଛୁ ତେଣୁ ନାଟକବାଜୀ ବନ୍ଦ କରନ୍ତୁ । ପ୍ରକାଶ ଯେ କୁଶିନଗରଠାରେ ଗୁରୁବାର ସକାଳେ ଏକ ଜଗୁଆଳି ବିହନୀ ରେଳ ଫାଟକ୍‌ ପାର ହେଉଥିବା ସ୍କୁଲ ଭ୍ୟାନକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ୍‌ ଧକ୍କା ଦେଇଥିଲା । ଏଥିରେ ଭ୍ୟାନରେ ଥିବା ୧୩ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସ୍କୁଲ ଭ୍ୟାନର ଡ୍ରାଇଭର କାନରେ ଇଅରଫୋନ୍‌ ଲଗାଇଥିବାରୁ ଟ୍ରେନ୍‌ ଆସିବାର ଶବ୍ଦ ଶୁଣାପାରିଲେ ନାହିଁ ଓ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଗଲା ବୋଲି କୁହାଯାଉଛି । ତେବେ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି ଓ ରାଜ୍ୟରୁ ଜଗୁଆଳି ବିହୀନ ରେଳ ଫାଟକ୍‌ର ଖୁବ୍‌ ଶୀଘ୍ର ଅନ୍ତ ଘଟିବ ବୋଲି ଯୋଗୀ କହିଥିଲେ । ଏହାସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ କହିଛନ୍ତି । ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେବା ସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଓ ସାମନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କୁନିକୁନି ଶିଶୁଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply