ଧୋନି-ରାୟୁଡୁ ଚେନ୍ନଇକୁ ଜିତାଇଲେ

0

ମୁମ୍ବଇ: ଆଇପିଏଲ୍‌-୧୧ରେ ବୁଧବାର ଏକ ରୋମାଞ୍ଚକର ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ଅମ୍ବତି ରାୟୁଡୁ ଓ ମହେନ୍ଦ୍ର ସିଂହଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୨ଟି ବଲ୍‌ ବାକିଥାଇ ଆର୍‌ସିବି ଜିତିଥିଲା। କ୍ୱିଣ୍ଟନ୍‌ ଡି କକ୍‌ ଓ ଏବି ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୮ ୱିକେଟରେ ୨୦୫ ରନ୍‌ କରିଥିଲା। ପରେ ରାୟୁଡୁ-ଧୋନିଙ୍କ ପ୍ରହାର ଯୋଗୁଁ ୧୯.୪ ଓଭରରେ ୫ ୱିକେଟ ହରାଇ ଚେନ୍ନଇ ଜିତିଥିଲା। ୬ଷ୍ଠ ମ୍ୟାଚ୍‌ରେ ଏହା ସିଏସ୍‌କେର ୫ମ ବିଜୟ। ଆର୍‌ସିବି ୬ଷ୍ଠ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।
୨୦୬ ରନ୍‌ ଲକ୍ଷ୍ୟରେ ଓହ୍ଲାଇଥିବା ଚେନ୍ନଇ ସୁପର କିଙ୍ଗ୍‌ସ ଜଲ୍‌ଦି ସେନ୍‌ ୱାଟ୍‌ସନ (୭)ଙ୍କ ୱିକେଟ ହରାଇଥିଲା। ତେବେ ଅନ୍ୟ ଓପ୍‌ନର ଅମ୍ବତି ରାୟୁଡୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସୁରେଶ ରୈନା ୧୧ ଓ ସାମ୍‌ ବିଲିଙ୍ଗ୍‌ସ ୯ ରନ୍‌କରି ବିଦାୟ ନେଇଥିଲେ। ରବୀନ୍ଦ୍ର ଜାଡ଼େଜା ୩ ରନ୍‌ କରି ପାରିଥିଲେ। ୯ ଓଭରରେ ୭୪ ରନ୍‌ରେ ଚେନ୍ନଇ ୪ଟି ୱିକେଟ ହରାଇବା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ରାୟୁଡୁ ୬୧ ରନ୍‌ କରିଥିବା ବେଳେ ତାଙ୍କ କ୍ୟାଚ୍‌ ଛାଡ଼ିଥିବା ଉମେଶ ଯାଦବଙ୍କ ସିଧା ଥ୍ରୋରେ ପରେ ରାୟୁଡୁ ରନ୍‌ଆଉଟ ହୋଇଥିଲେ। ରାୟୁଡୁ ୫୩ ବଲ୍‌ରୁ ୮ଟି ଛକା ଓ ୩ଟି ଚୌକା ସହ ୮୨ ରନ୍‌ କରିଥିଲେ। ଶେଷ ୨ ଓଭରରୁ ୩୦ ଓ ଶେଷ ଓଭରରେ ୧୬ ରନ୍‌ ଆବଶ୍ୟକ ଥିବା ବେଳେ ଧୋନି ଓ ଡ୍ୱେନ୍‌ ବ୍ରାଭୋ ନିସ୍ତୁକ ପ୍ରହାରକରି ଦଳକୁ ଜିତାଇଥିଲେ। ଧୋନି ୩୪ ବଲ୍‌ରୁ ୭ଟି ଛକା ଓ ଗୋଟିଏ ଚୌକା ସହ ୭୦ ଏବଂ ବ୍ରାଭୋ ୭ ବଲ୍‌ରୁ ୧୪ ରନ୍‌କରି ଅପରାଜିତ ଥିଲେ।
ଚେନ୍ନଇ ଟସ୍‌ ଜିତି ଫିଲ୍‌୍‌ଡିଂ ନେବା ପରେ ବାଙ୍ଗାଲୋର ପ୍ରଥମ ୧୩ ଓଭରରେ ୧ ୱିକେଟରେ ୧୩୮ ରନ୍‌ କରିଥିଲା। ତେବେ ଚେନ୍ନଇର ବୋଲର ଶେଷ ୭ ଓଭରରେ ୬୭ ରନ୍‌ ଦେଇ ୭ଟି ୱିକେଟ ନେଇ ପାରିଥିଲା। ଅଧିନାୟକ ବିରାଟ କୋହଲି ୧୫ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍‌ କରିଥିଲେ। ପରେ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ଡି କକ୍‌ ଓ ଏବି ଡି’ଭିଲିଅର୍ସଙ୍କ ମଧ୍ୟରେ ୨ୟ ୱିକେଟ ପାଇଁ ୫୩ ବଲ୍‌ରୁ ୧୦୩ ରନ୍‌ ଭାଗିଦାରୀ ହୋଇଥିଲା। ବାମହାତି ଡି କକ୍‌ ୩୭ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୫୩ ରନ୍‌ କରିଥିଲେ। ଡି’ଭିଲିଅର୍ସ ବିସ୍ଫୋରକ ଇନିଂସ ଖେଳି ମାତ୍ର ୩୦ ବଲ୍‌ରୁ ୮ଟି ଛକା ଓ ୨ଟି ଚୌକା ସହ ୬୮ ରନ୍‌ କରିଥିଲେ। କୋରି ଆଣ୍ଡରସନ୍‌ ୮ ବଲ୍‌ରୁ ମାତ୍ର ୨ ରନ୍‌ କରି ପାରିଥିଲେ। ଇନିଂସର ଶେଷଆଡ଼କୁ ମନଦୀପ ସିଂହ ଚମତ୍କାର ବ୍ୟାଟିଂ କରିବାରୁ ଆର୍‌ସିବି ୨ ଶହ ରନ୍‌ ଅତିକ୍ରମ କରି ପାରିଥିଲା। ମନଦୀପ ୧୭ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୨ ରନ୍‌ କରିଥିଲେ। ବାଙ୍ଗାଲୋର ଇନିଂସରେ ମୋଟ ୧୬ଟି ଛକା ଦେଖିବାକୁ ମିଳିଥିଲା। ପୁଣି ସାର୍ଦ୍ଦୁଳ ଠାକୁର ଓ ଡ୍ୱେନ୍‌ ବ୍ରାଭୋ ମେଡେନ୍‌ ପକାଇଥିଲେ। ଠାକୁର, ବ୍ରାଭୋ ଓ ଇମ୍ରାନ୍‌ ତାହିର ୨ଟି ଲେଖାଏଁ ୱିକେଟ ପାଇଥିଲେ।

Leave A Reply