ଅର୍ଜୁନ ପୁରସ୍କାର ପାଇଁ ଧାୱନ ଓ ମାନ୍ଧାନାଙ୍କ ନାମ ସୁପାରିସ

0

ନୂଆଦିଲ୍ଲୀ : କ୍ରୀଡ଼ାକ୍ଷେତ୍ରରେ ଉତ୍କର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରା ଯାଇଥାଏ ଅର୍ଜୁନ ପୁରସ୍କାର। ଏଥର ଅର୍ଜୁନ ପୁରସ୍କାର ପାଇଁ ବିସିସିଆଇ ଶିଖର ଧାୱନ୍‍ ଓ ସ୍ମୃତି ମାନ୍ଧାନାଙ୍କ ନାମର ସୁପାରିସ ସରକାରଙ୍କୁ କରିଛି ବୋଲି ପ୍ରକାଶ କରିଛି। ଦୁହେଁ ଗତ କିଛି ବର୍ଷ ହେଲା ଭାରତୀୟ କ୍ରିକେଟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଉଥିବାରୁ ଉଭୟେ ଅର୍ଜୁନ ପୁରସ୍କାର ପାଇବାକୁ ହକ୍‍ଦାର ବୋଲି ବିସିସିଆଇ ଅସ୍ଥାୟୀ ସମ୍ପାଦକ ଅମିତାଭ ଚୌଧୁରୀ କହିଛନ୍ତି।
୨୧ ବର୍ଷ ବୟସ୍କା ମୁମ୍ବଇର ସ୍ମୃତି ମାନ୍ଧାନା ମଧ୍ୟ ଶିଖର ଧାୱନଙ୍କ ପରି ଜଣେ ବାମହାତି ଓପ୍‍ନର। ଉଭୟ ସ୍ମୃତି ଓ ଶିଖର ସଟ୍‍୍‍ ଖେଳିବାକୁ ଭଲପାଆନ୍ତି ଏବଂ ଦୁହେଁ ୩ଟିଯାକ ଫର୍ମାଟରେ ଭାରତୀୟ ଦଳର ନିୟମିତ ସଦସ୍ୟ। ଗତବର୍ଷ ମହିଳା ବିଶ୍ୱକପ୍‍ରେ ମାନ୍ଧାନା ୱେଷ୍ଟଇଣ୍ଡିଜ୍‍ ବିରୋଧରେ ପ୍ରଥମ ଲିଗ୍‍ ମ୍ୟାଚ୍‍ରେ ଶତକ ମାରିବା ସହ ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ପୁଣି ନିକଟରେ ଭ୍ରମଣକାରୀ ଇଂଲଣ୍ଡ ଦଳ ବିରୋଧରେ ମାନ୍ଧାନା ୯ଟି ମ୍ୟାଚ୍‍ରୁ ୫ଟି ଅର୍ଦ୍ଧଶତକ ସହ ୫୩୧ ରନ୍‍ କରିଥିଲେ। ଏପରି ପ୍ରଦର୍ଶନ ଯୋଗୁଁ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକାରେ ମାନ୍ଧାନା ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୩୨ ବର୍ଷ ବୟସ୍କ ଦିଲ୍ଲୀର ଶିଖର ଧାୱନ ୨୦୧୩ରେ ଅଷ୍ଟ୍ରେଲିଆ ବିରୋଧରେ ଘରୋଇ ଟେଷ୍ଟ ସିରିଜ୍‍ରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳି ବିସ୍ଫୋରକ ଶତକ ମାରିବା ପରଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି। ଧାୱନ୍‍ ୩ଟିଯାକ ଫର୍ମାଟରେ ଭାରତୀୟ ଦଳର ନିୟମିତ ସଦସ୍ୟ। ସେ ୨୯ଟି ଟେଷ୍ଟରୁ ୬ଟି ଶତକ ସହ ୨୦୪୬ ରନ୍‍, ୧୦୨ଟି ଦିନିକିଆରୁ ୧୩ଟି ଶତକ ସହ ୪୩୬୧ ରନ୍‍ ଓ ୩୬ଟି ଟ୍ୱେଣ୍ଟି୨୦ରୁ ୬ଟି ଅର୍ଦ୍ଧଶତକ ସହ ୮୮୪ ରନ୍‍ ସ୍କୋର୍‍ କରିଛନ୍ତି। ରୋହିତ ଶର୍ମାଙ୍କ ସହ ମିଶି ଧାୱନ୍‍ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓପ୍‍ନିଂ ଯୋଡ଼ିର ମାନ୍ୟତା ପାଇଛନ୍ତି। ଏହାସହ ବିସିସିଆଇ ଘୋଷଣା କରିଛି ଯେ ମେ’ ୩୧ରେ ଲର୍ଡସରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ହେବାକୁ ଥିବା ପ୍ରଦର୍ଶନୀ ପାଣ୍ଠିଯୋଗାଡ଼ ମ୍ୟାଚ୍‍ରେ ଭାରତରୁ ହାର୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକ ବିଶ୍ୱ ଏକାଦଶର ପ୍ରତିନିଧିତ୍ୱ କରିବେ।

Leave A Reply