ପଦ ପାଇଁ ପ୍ରତିଶୋଧ:ଜାଣନ୍ତୁ ପାର୍ସଲ ବୋମାକୁ କେମିତି ତିଆରି କରିଥିଲା ପୁଞ୍ଜିଲାଲ

0

କଟକ: ପାଟଣଗଡରେ ପାର୍ସଲ ବୋମା ବିସ୍ପୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ନବବିବାହିତ ସୌମ୍ୟ ଶେଖରଙ୍କ ସହ ତାଙ୍କର ସମ୍ପର୍କୀୟ ଜେଜେମା ମୃତ୍ୟୁ ବରଣ କରିଥିଲେ । ଗୁରୁତର ହୋଇଥିଲେ ନବ ବିବାହିତ ରିମା ସାହୁ ।

ଅପରାଧି କିଏ ? କିଏ କରିଥିଲା ଏପରି ଯୋଜନା ?  ପ୍ରମାଣର ଖିଅ ଖୋଜିବା ବେଶ୍‌ କଷ୍ଟକର ଥିଲା । ପ୍ରଥମେ ପ୍ରେମ ଓ ପରେ ପ୍ରତିଶୋଧ କୁ ନେଇ ଏପରି କରାଯାଇଥିବା ସନ୍ଦେହ କରାଯାଉଥିଲା । ହେଲେ ଏକ ଚିଠିଯୋଗୁଁ ମୁଖ୍ୟ ଅଭିଯୁକ୍ତ  ପୁଞ୍ଜିଲାଲ ମେହେର ଧରା ପଡିଥିଲା । କେମିତି କରିଥିଲା ପୁଞ୍ଜିଲାଲା ଯୋଜନା ଜାଣନ୍ତୁ –

ଏହି ମାମଲାଟି  ତଦନ୍ତ ବେଳେ ବେଶ୍‌ କଷ୍ଟକର ଥିଲା । ସିବିଆଇକୁ ତଦନ୍ତ ଭାର ଦେବା ପାଇଁ ଦାବି ହୋଇଥିଲା । ମାତ୍ର  କ୍ରାଇମ୍‌ ବ୍ରାଞ୍ଚ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

ପଦ ପାଇଁ ପ୍ରତିଶୋଧ  ନେବାକୁ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏହାର ବ୍ଲୁ ପ୍ରିଣ୍ଟ ବେଶ୍‌ ଆଗରୁ ତିଆରି କରିଥିଲା ।

ପେଷାରେ ଅଧ୍ୟାପକ ପୁଞ୍ଜିଲାଲା ମେହେର,  ଭଁଇସା ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲା ।  ସୌମ୍ୟ ଶେଖରଙ୍କର ମାଆ ଏହି ମହା ବିଦ୍ୟାଳୟରେ ନୂତନ ଭାବେ  ଅଧ୍ୟକ୍ଷା ହୋଇଥିଲା । ଏହାପରେ ପୁଞ୍ଜିଲାଲା ଓ ସୌମ୍ୟ ଶେଖରଙ୍କ ମାଆଙ୍କ ମଧ୍ୟରେ ବିବାଦ ହୋଇଥିଲା । ପ୍ରତିଶୋଧର ବହ୍ନିରେ ଜଳିଥିଲା ପୁଞ୍ଜିଲାଲ । ଦୀପାବଳି ପୂର୍ବରୁ ତା ଭିତରେ ବିସ୍ପୋରଣ ହୋଇଥିଲା । ସୌମ୍ୟାଙ୍କ  ପରିବାରକୁ ଛାର ଖାର କରିବା ପାଇଁ ନିଶ୍ଚୟ କରି ସାରିଥିଲା ପୁଞ୍ଜିଲାଲ ମେହେର ।  ବୋମା ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମ୍‌ ବ୍ରାଞ୍ଜ ଆଇଜି ଅରୁଣ ବୋଥ୍ରା ଦେଇଥିବା ସୂଚନା ଅନୁସାରେ ଦୀପାବଳୀରେ ବଲାଙ୍ଗୀର ଯାଇ ବାରୁଦ ପାଇଁ ପ୍ରଚୁର ବାଣ କିଣିଥିଲା ପୁଞ୍ଜିଲାଲ ମେହେର । ବାଣରୁ ବାରୁଦ ସବୁକୁ ସଂଗ୍ରହ କରିଥିଲା । ଏହାପରେ ଇଣ୍ଟରନେଟ୍‌ରେ ବୋମା ତିଆରି ପାଇଁ ଖୋଜିଥିଲା ବିଭିନ୍ନ ଉପାୟ । ସେ ଇଣ୍ଟରନେଟ୍‌ ହିଷ୍ଟରିକୁ ଡିଲିଟ୍  କରୁଥିଲା । ବୋମା ତିଆରି ଶିଖି ଯିବା ପରେ ପାର୍ସଲ ଖୋଲିବା ବେଳେ କିପରି ବୋମା ଫୁଟିବ ସେ ବିଷୟରେ ତର୍ଜମା କରିଥିଲା । ଇଣ୍ଟରନେଟ୍‌ର ବି ସହାୟତା ନେଇଥିଲା । ସୌମ୍ୟଶେଖରଙ୍କ ବିବାହ ସମୟରେ ସେ ଉପହାର ପ୍ୟାକେଟ ପରି ଦେଖାଯାଉଥିବା ପାର୍ସଲ ବୋମା ପଠାଇବା ଯୋଜନା କରିଥିଲା ।

ମହାବିଦ୍ୟାଳୟରେ ପଢାଇବା ପରେ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଯାଇଥିଲା । ପରିଚୟ ଲୁଚାଇବା ପାଇଁ ଟୋପି ସହ  ଅନ୍ୟ ପୋଷାକ ପିନ୍ଧିଥିଲା ।  କାଳେ ଟିକେଟ କାଉଣ୍ଟରରେ ସିସି ଟିଭି କ୍ୟାମେରା ଲାଗିଥିବା ସେଥି ପାଇଁ ଟିକେଟ୍‌ ନ କିଣି ବିନା ଟିକେଟ୍‌ରେ ଯାତ୍ରା କରିଥିଲା । ଆସିବା ସମୟରେ ବି ସେପରି କରିଥିଲା । ପାର୍ସଲ ଖୋଲିବା ବେଳେ ଫୁଟିବା ପାଇଁ ବାରୁଦ ନିକଟରେ ଲିଚୁବଲ୍‌ର ଫିଲାମେଣ୍ଟ ଲଗାଇଥିଲା । ଖୋଲିବା ବେଳେ ବ୍ୟାଟେରୀକୁ ବିଦ୍ୟୁତ୍‌ ସ୍ରୋତ ଯାଇ ଫିଲାମେଣ୍ଟ ଜଳିବା ଓ ବିସ୍ପୋରଣ ହେବ,  ସେପରି ବ୍ୟବସ୍ଥା କରିଥିଲା ।  ରାୟପୁର ସହରରେ ଅଟୋରେ ଯିବା ସହ, ଅଟୋ ଡ୍ରାଇଭରକୁ କୋରିଅର କେନ୍ଦ୍ରରେ  ପାର୍ସଲ ପଠାଇବା ପାଇଁ ଟଙ୍କା ଦେଇ ବ୍ୟବସ୍ଥା କରିଥିଲା । ଏହାପରେ ବିସ୍ପୋରଣ ଦିନ ବି ମହାବିଦ୍ୟାଳୟରେ ପାଠ ପଢାଇଥିଲା । ବିସ୍ପୋରଣ ପରେ ପ୍ରତ୍ୟେକ ଖବର ଉପରେ ପୁଞ୍ଜିଲାଲର ନଜର ଥିଲା । ମଝିରେ ତା ନାଁ ଉଠିବାରୁ ହଡ ବଡେଇ ଯାଇଥିଲା ପୁଞ୍ଜିଲାଲ । ଅନେକ ଲଫାପା କିଣିଥିଲା । ଲ୍ୟାପଟପରେ ଲେଖି , ପେନ୍‌ ଡ୍ରାଇଭ୍‌ରେ ଏହାକୁ ନେଇ ବାହାରେ ପ୍ରିଣ୍ଟ କାଢୁଥିଲା । ତଦନ୍ତ ନାଁରେ ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ୍‌ ସ୍ଥାନୀୟ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ଏସ୍‌ପିଙ୍କୁ ଚିଠି ଲେଖିଥିଲା। ଏସ୍‌ପିଙ୍କୁ ଏହି ଚିଠି ମିଳଥିଲା ।

ଏଥିରୁ ମିଳିଥିଲା ସୁରାକ୍‌, ଶହେଥର ଚିଠିକୁ ତର୍ଜମା କରିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଅଭିଯୁକ୍ତ ପାଖରେ ପହଞ୍ଚି ଯାଇଥିଲେ । ପ୍ରଥମେ ମାନୁ ନ ଥିବା ପୁଞ୍ଜିଲାଲ ଏହି ଘଟଣାର ମାଷ୍ଟର ମାଇଣ୍ଡ ଓ ଅନ୍ୟକୁ ଭରସା କରି ନ ପାରି ନିଜେ ବୋମା ତିଆରି ଠାରୁ ସମସ୍ତ କାମ କରିଥିବା ସ୍ୱୀକାର କରିଥିଲା । ଏହାପରେ ତା ଘରୁ  ପ୍ରଚୁର ବାରୁଦ ବି ଜବତ ହୋଇଥିଲା । ପୁଲିସ ତାକୁ ଅଦାଲତରେ ହାଜର କରିବା ସହ ୧୪ ଦିନ ରିମାଣ୍ଡରେ ନେବା ପାଇଁ ପ୍ରାର୍ଥନା କରିଛି । ତେବେ ନିଶ୍ଚିୟ ଭାବେ କ୍ରାଇମ୍‌ବ୍ରାଞ୍ଚ ଏକ ଜଟିଳ ମାମଲାକୁ ସମାଧାନ କରି ପାରିଛି ।

Leave A Reply