ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ମୋଦୀଙ୍କ ବୈଠକ, ଏନଡିଏ ଶୀର୍ଷ ନେତାଙ୍କ ସହ ଶାହାଙ୍କ ନୈଶ୍ୟ ଭୋଜି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଏକଜିଟ୍‍ ପୋଲରେ ଏନ୍‍ଡିଏକୁ ବହୁମତ ମଳିବାର ପୂର୍ବାନୁମାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିଜେପିର ମୁଖ୍ୟାଳୟରେ ନିଜ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ବୈଠକ କରିଛନ୍ତି। ବୈଠକରେ ମୋଦୀ ସମସ୍ତ ନେତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ବୈଠକ ଆରମ୍ଭରେ ସହଯୋଗୀ ଦଳର ନେତା ରାମବିଳାସ ପାଶୱାନ, ହରସିମରତ କୌର, ଅନୁପ୍ରିୟା ପଟେଲଙ୍କ ସମେତ ଅନ୍ୟଦଳର ନେତାମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ। ବିଜେପି ନେତୃତ୍ୱାଧୀନ ଏନ୍‍ଡିଏକୁ ଅଧିକ ମଜଭୁତ କରିବା ସହ ସରକାର ଗଠନ କରିବା ପାଇଁ ଏହି ବୈଠକ ଡକାଯାଇଥିଲା। ଏହି ବୈଠକରେ ମୋଦୀଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡ଼କରୀ, ସ୍ମୃତି ଇରାନୀ, ପୀୟୂଷ ଗୋଏଲ, ମୁଖତାର ନକବୀ, ରାଧାମୋହନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକର ନାମ ‘ସ୍ୱାଗତ ଏବଂ କୃତଜ୍ଞତା ଜ୍ଞାପନ ସମାରୋହ’ ରଖାଯାଇଥିଲା।
ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏନ୍‍ଡିଏର ଶୀର୍ଷ ନେତାଙ୍କ ପାଇଁ ମଙ୍ଗଳବାର ରାତିରେ ଏକ ନୈଶ୍ୟ ଭୋଜି ରଖିଛନ୍ତି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ପଲାନିସ୍ୱାମୀ, ଏଲଜିପି ଅଧ୍ୟକ୍ଷ ରାମବିଳାସ ପାଶୱାନ ଓ ଶିରୋମଣି ଅକାଳୀ ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଏବଂ ସୁଖବୀର ସିଂହ ବାଦଲ ପ୍ରମୁଖ ସାମିଲ ହେବେ।

Comments are closed.