ଲୋକସଭା ନିର୍ବାଚନ ପରେ ଭାରତ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ ଚାହୁଁଛି ପାକିସ୍ତାନ
ନୂଆଦିଲ୍ଲୀ : ଭାରତରେ ଲୋକସଭା ନିର୍ବାଚନ ପରେ ଯେଉଁ ସରକାର ଆସିବ, ସେହି ସରକାର ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ ପାକିସ୍ତାନ ଆଶା ରଖିଛି। ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ପଡୋଶୀ ଦେଶ ଦ୍ୱୟ ଯୁଦ୍ଧ ଭଳି ପରିସ୍ଥିତିକୁ ଏଡାଇବା, ଦୀର୍ଘ ଦିନ ବିବାଦର ସମାଧାନ ସହ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା କରିପାରିବେ ବୋଲି ପାକିସ୍ତାନ ଆଶା ବ୍ୟକ୍ତ କରିଛି।
ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ ସୋହେଲ ମହମୁଦ ରବିବାର ଏହା କହିଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ସୁଧାରିବା ପାଇଁ କୂଟନୈତିକସ୍ତରରେ ଆଲୋଚନା ଆବଶ୍ୟକ। ଭାରତରେ ଲୋକସଭା ନିର୍ବାଚନ ସରିବା ପରେ ଉଭୟ ଦେଶ ମଧ୍ୟରେ ପୁଣିଥରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ ହେବ ବୋଲି ଆଶା ରଖିଛୁ। ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ହିଁ ବହୁ ସମସ୍ୟାର ସମାଧାନ କରାଯାଇପାରିବ। ଏହାଦ୍ୱାରା ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିହେବ।
ପ୍ରକାଶଯୋଗ୍ୟ ଯେ ଗତ ଫେବୃଆରୀ ମାସରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରଠାରୁ ଉଭୟ ଦେଶର ସମ୍ପର୍କ ଅଧିକ ଖରାପ ରହିଛି। ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆତଙ୍କବାଦ ଏବଂ କଥାବାର୍ତ୍ତା ଏକସଙ୍ଗେ ଚାଲିପାରିବ ନାହିଁ ବୋଲି ଭାରତ କହିଆସୁଛି। କଥାବାର୍ତ୍ତା ପାଇଁ ପାକିସ୍ତାନକୁ ଆତଙ୍କବାଦ ପଥ ଛାଡ଼ିବାକୁ ପଡ଼ିବ ବୋଲି ଭାରତ କହିଛି।
Comments are closed.