ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ; ୨୫୧ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା, ୪୨୩ କୋଟିପତି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୫୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୧ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୬୭ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ନ୍ୟାଶନାଲ ଇଲେକ୍ସନ ୱାଚ ଏବଂ ଆସୋସିଏସନ ଫର ଡେମୋକ୍ରାଟିକ୍‍ ରିଫମର୍ସ (ଏଡିଆର) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଏଡିଆର ପକ୍ଷରୁ ୧୫୯୦ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଲେଷଣ କରାଯିବା ପରେ ଏହି ତଥ୍ୟ ପଦାକୁ ଆସିଛି। ଏଡିଆର ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧,୬୪୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ତେବେ ୫୪ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ତଥ୍ୟ ଉପଲବ୍ଧ ନାହିଁ। ଅପ୍ରେଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯିବ। କଂଗ୍ରେସର ୧୭, ବିଜେପିର ୧୦, ବିଏସ୍‍ପିର ୧୦, ଏଆଇଏଡିଏମକେର ୩, ଡିଏମକେର ୭, ଶିବସେନାର ଗୋଟିଏ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।
ସତ୍ୟପାଠ ଅନୁସାରେ ୪୨୩ ପ୍ରାର୍ଥୀଙ୍କ ଏକ କୋଟରୁ ଅଧିକ ସମ୍ପତ୍ତି ରହିଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୪୬ ଜଣ କଂଗ୍ରେସ ପ୍ରାର୍ଥୀ, ବିଜେପିର ୪୫ ଜଣ ପ୍ରାର୍ଥୀ କୋଟିପତି ଅଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩୧.୮୩ କୋଟି ଟଙ୍କା ଏବଂ ବିଜେପି ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୧.୫୯ କୋଟି ଟଙ୍କା ରହିଛି।
ରିପୋର୍ଟ ଅନୁସାରେ ୩ ଜଣ ପ୍ରାର୍ଥୀ କେତେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ୬ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା ରହିଛି। ୨୫ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ୮ ପ୍ରାର୍ଥୀଙ୍କ ବିରୋଧରେ ଅପହରଣ ସମ୍ପର୍କିତ ମାମଲା, ୧୦ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ, ୧୫ ପ୍ରାର୍ଥୀଙ୍କ ବିରୋଧରେ ଘୃଣ୍ୟ ଅପରାଧ ମାମଲା ରହିଛି। କଂଗ୍ରେସର ୫୩ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାବେଳେ ବିଜେପିର ୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ, ବିଏସ୍‍ପିର ୮୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ, ଏଆଇଏଡିଏମକେର ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ, ଡିଏମକେର ୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ଏବଂ ଶିବସେନାର ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

Comments are closed.