ଆମେ କିପରି ଭୋଟ (ନ) ଦେବା
ଶୈଳଜ ରବି
ଅନେକ ସମୟରେ ଏକ ସକାରାତ୍ମକ ବିଷୟ ବୁଝାଇବା ପାଇଁ ନକାରାତ୍ମକ ଶବ୍ଦ ଅଥବା ପଦ୍ଧତିର ପ୍ରୟୋଗ କରାଯାଇ ଥାଏ। ‘ବ୍ରହ୍ମ’ କ’ଣ ବୁଝାଇବାକୁ ଯାଇ ‘ନେତି’, ‘ନେତି’ କହି ବ୍ରହ୍ମ କ’ଣ ନୁହେଁ ବୁଝାଇଛନ୍ତି ବୈଦିକ ଋଷି। ବୈଦ୍ୟୁତିକ ଭୋଟ ଯନ୍ତ୍ର ଇଭିଏମ୍ରେ ଯେଉଁ ‘ନୋଟା’ ଚିହ୍ନ ଯୋଡ଼ା ହୋଇଚି ତାହା ଏଭଳି ଏକ ସକାରାତ୍ମକ ଭାବନାର ନକାରାତ୍ମକ ପ୍ରତୀକ। ଲୋକପ୍ରତିନିଧିଟିଏ କିପରି ହେବା ଉଚିତ ତାହା ବୁଝାଇ ପାଇଁ ସେ କିପରି ନ ହୋଇଥିବା ଉଚିତ ତାହା ‘ନୋଟା’ ଚିହ୍ନ ସୂଚାଇ ଦେଉଛି।
‘ନୋଟା’ର ସମଧର୍ମୀ ବ୍ୟବସ୍ଥା ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନ ସମୟରୁ ରହି ଆସିଛି। ନିର୍ବାଚନ ଲଢ଼ୁଥିବା ବିଭିନ୍ନ ପ୍ରାର୍ଥୀଙ୍କ ଭିତରୁ ଯଦି ଜଣକୁ ଭୋଟ ଦେବାର ଅଧିକାର ଭୋଟରର ଅଛି ତେବେ ତାର ପସନ୍ଦଯୋଗ୍ୟ ହେଉନଥିବା ସମସ୍ତଙ୍କୁ ଅସ୍ବୀକାର ବା ପ୍ରତ୍ୟାଖ୍ୟାନ କରିବାର ଅଧିକାର ମଧ୍ୟ ଅଛି- ‘ନୋଟା’ ଭୋଟ ପଛରେ ଥିବା ଏହି ଯୁକ୍ତିଟି ନିର୍ବାଚନ ଆୟୋଗ ସ୍ବାଧୀନ ଭାରତରେ ସାଧାରଣ ନିର୍ବାଚନ ଦିନରୁ ଗ୍ରହଣ କରିନେଇଛନ୍ତି। ଯେତେବେଳେ ବ୍ୟାଲଟ୍ର ପ୍ରଚଳନ ଥିଲା, ସେତେବେଳେ ଯଦି ଜଣେ ଭୋଟଦାତା ସମସ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବା ଚାହୁଁଥିଲେ ସେ କୌଣସି ପ୍ରାର୍ଥୀଙ୍କ ଚିହ୍ନପାଖରେ ଷ୍ଟାମ୍ପ ନ ମାରି ଓ ବ୍ୟାଲଟ କାଗଜଟି ବାକ୍ସରେ ନ ପକାଇ ସେଠି ଉପସ୍ଥିତ ନିର୍ବାଚନ ଅଧିକାରୀଙ୍କ ହାତକୁ ବଢ଼ାଇ ଦେଉଥିଲେ। ନିର୍ବାଚନ ଅଧିକାରୀ ତାହା ଏକ ଅସମ୍ମତିସୂଚକ ଭୋଟ ବୋଲି ତା’ ଉପରେ ଲେଖି ଦେଉଥିଲେ। ତାହା ଏକ ଆଇନ୍ସିଦ୍ଧ ଭୋଟ ହୋଇଥିବାରୁ ସ୍ବତନ୍ତ୍ରଭାବେ ଗଣା ହେଉଥିଲା। ଯେତେବେଳେ ଇଭିଏମ୍ ଯନ୍ତ୍ରର ପ୍ରଚଳନ ହେଲା, ଉପରୋକ୍ତ ଧରଣର ଭୋଟଦାତା ଅଧିକାରୀଙ୍କ ପାଖରେ ଥିବା ରେଜିଷ୍ଟର୍ରେ (ପରେ ଏକ ଫର୍ମରେ) ଲେଖିଦେଉଥିଲେ ଯେ ସେ କାହାରି ସପକ୍ଷରେ ଭୋଟ ଦେବା ଚାହାନ୍ତି ନାହିଁ। ଭୋଟଦାତା ଏବଂ ଅଧିକାରୀ ଉଭୟ ସେଠାରେ ଦସ୍ତଖତ କରୁଥିଲେ। ତେବେ ଏ ଭୋଟଦାନ ପଦ୍ଧତିରେ ଏକ ଗୁରୁତର ତ୍ରୁଟି ରହିଯାଉଥିଲା। ଭୋଟାଦାତା ଯେ କାହାରିକୁ ଭୋଟ ଦେଉନାହାନ୍ତି ତାହା ନିର୍ବାଚନ ଅଧିକାରୀ ଏବଂ ସେଠାରେ ଉପସ୍ଥିତ ବିଭିନ୍ନ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଜାଣିପାରୁଥିଲେ। ଫଳରେ, ଭୋଟଦାତାଙ୍କର ଗୁପ୍ତରେ ଭୋଟ ଦେବାର ଅଧିକାର ବ୍ୟାହତ ହେଉଥିଲା। ସେହି ତ୍ରୁଟି ଏଡ଼ାଇବା ପାଇଁ ‘ନୋଟା’ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏବେ ଅନ୍ୟ ପ୍ରାର୍ଥୀଙ୍କୁ ଦିଅାଯାଉଥିବା ଭୋଟ ପରି ‘ନୋଟା’ ଭୋଟ ମଧ୍ୟ ଗୁପ୍ତରେ ବୋତାମ ଚିପି ଦିଆଯିବ।
ଗାନ୍ଧିଜୀଙ୍କୁ ହତ୍ୟା କରାଯିବାର ପୂର୍ବଦିନ ସେ କଂଗ୍ରେସର ସମ୍ବିଧାନ ସଂଶୋଧନ ପାଇଁ ଏକ ଚିଠା ପ୍ରସ୍ତୁତ କରିଥିଲେ। ଏଠାରେ ପ୍ରାସଙ୍ଗିକ ସେଥିରୁ ଦୁଇଟି ବିଷୟ ପ୍ରଣିଧାନଯୋଗ୍ୟ:(୧) ସେ ଚାହିଁଥିଲେ: ଭାରତର ସ୍ବାଧୀନତା ସଂଗ୍ରାମ ଲଢ଼ିବା ପାଇଁ ଗଠିତ ଭାରତୀୟ ଜାତୀୟ କଂଗ୍ରେସକୁ ସ୍ବାଧୀନତା ପ୍ରାପ୍ତିପରେ ବଞ୍ଚାଇ ରଖିବାର ଆବଶ୍ୟକତା ନାହିଁ। ତାକୁ ଭାଙ୍ଗିଦେଇ ‘ଲୋକସେବକ ସଂଘ’ ନାମକ ସଂଗଠନଟିଏ ଗଢ଼ାଯାଉ। ଭାରତ ରାଜନୈତିକ ସ୍ବାଧୀନତା ପାଇଥିଲେ ମଧ୍ୟ ଅର୍ଥନୈତିକ, ନୈତିକ ଏବଂ ସାମାଜିକ ସ୍ବାଧୀନତା ପାଇନାହିଁ। ଏଣୁ ପୂର୍ଣ୍ଣ ସ୍ବରାଜ ପ୍ରାପ୍ତି ପାଇଁ, ଅର୍ଥାତ୍ ସାମଗ୍ରିକ ଭାବେ ବ୍ୟବସ୍ଥା ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବା ଏହି ଲୋକସେବକ ସଂଘର କାର୍ଯ୍ୟ ହେବ। (୨) ପୁନଶ୍ଚ ସେ ସୂଚାଇ ଦେଇଥିଲେ ଯେ ଦଳ ରହିତ ନିର୍ବାଚନ ହେବ। ମାତ୍ର ଭୋଟ ଦେବାକୁ ଯୋଗ୍ୟ ପ୍ରତ୍ୟେକ ବ୍ୟକ୍ତି କିପରି ଭୋଟ ଦାନ କରିବେ ଓ ନିର୍ବାଚନରେ କିପରି ସ୍ବଚ୍ଛତା ଓ ସାଧୁତା ରକ୍ଷା ହୋଇପାରିବ ସେଥି ପ୍ରତି ଧ୍ୟାନ ଦେବା ଲୋକସେବକର କାର୍ଯ୍ୟ ହେବ।
ତେବେ ଲୋକସେବକର ମୁଖ୍ୟ ଧ୍ୟେୟ ହେବ ପୂର୍ଣ୍ଣ ସ୍ବରାଜ୍ୟ ପାଇଁ ଲୋକଚେତନା ସୃଷ୍ଟି କରିବା। ତତ୍କାଳୀନ ଭାରତର ସତୁରି ହଜାର ଗାଁରେ ସତୁରି ହଜାର ତାଲିମ ପ୍ରାପ୍ତ ଲୋକସେବକ ଏହି ଗୁରୁ ଦାୟିତ୍ବ ବହନ କରିବେ ବୋଲି ସେ ଯୋଜନା କରିଥିଲେ। ଭାରତ ସ୍ବାଧୀନତା ପାଇବାର ମାତ୍ର ୫ ମାସ ପରେ ଇହଲୋକ ତ୍ୟାଗ କରିଥିବା ଗାନ୍ଧିଜୀ ନିଜ ସ୍ବପ୍ନର ଭାରତ ଗଢ଼ିବା ପାଇଁ ସମୟ ପାଇଲେ ନାହିଁ। ମାତ୍ର ତାଙ୍କର ସେହି ଚିଠାକୁ ବିଶ୍ଳେଷଣ କଲେ ବୁଝାପଡ଼େ ଯେ ଗାନ୍ଧିଜୀ ରାଜନେତା ଅପେକ୍ଷା ସମାଜକର୍ମୀକୁ ଅଧିକ ଗୁରୁତ୍ବ ଦେଉଥିଲେ ଏବଂ ନିର୍ବାଚନ- ରାଜନୀତି ଅପେକ୍ଷା ତୃଣମୂଳରୁ ଗଢ଼ି ଉଠୁଥିବା ବ୍ୟବସ୍ଥା-ପରିବର୍ତ୍ତନ-ରାଜନୀତିକୁ ଅଗ୍ରାଧିକାର ଦେଉଥିଲେ।
ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଚେତନା ବିକଶିତ ନ ହେଲେ, ସାଧାରଣ ଜନତାର ରାଜନୈତିକ ସଚେତନତା ଓ ଚରିତ୍ରବତ୍ତା ସୁଦୃଢ଼ ନହେଲେ, ନିଚ୍ଛକ ନିର୍ବାଚନ-ରାଜନୀତି ମାଧ୍ୟମରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ଅସମ୍ଭବ- ଏହା ଗାନ୍ଧିଜୀ ବାରମ୍ବାର କହୁଥିଲେ। ସ୍ବାଧୀନୋତ୍ତର ଭାରତରେ ବିନୋବା, ଜୟପ୍ରକାଶ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର ପ୍ରମୁଖ ଭୋଟ ରାଜନୀତିକୁ ବର୍ଜନ କରି ସର୍ବୋଦୟ ଆନ୍ଦୋଳନ ମାଧ୍ୟମରେ ସେଇ ତୃଣମୂଳ ରାଜନୀତିକୁ ସୁଦୃଢ଼ କରିବାରେ ଲାଗିଥିଲେ, କିନ୍ତୁ ୭୦ ଦଶକରେ ଭୋଟ ରାଜନୀତିରେ ସେମାନେ ନିଜକୁ ସଂଶ୍ଲିଷ୍ଟ କଲେ।
କେହିକେହି ଯୁକ୍ତି କରିଥାଆନ୍ତି, ଯଦି ସବୁ ଦଳ ଖରାପ ତେବେ ଅପେକ୍ଷାକୃତ କମ୍ ଖରାପ ଦଳକୁ ଭୋଟ ଦେବା ଉଚିତ। ରାଜତନ୍ତ୍ର ସ୍ଥାୟୀ କରିବାକୁ ଚାହୁଁଥିବା ରାଜଭକ୍ତମାନେ ଅଷ୍ଟାଦଶ ଶତାବ୍ଦୀ ଫ୍ରାନ୍ସରେ ଏହିଭଳି ଯୁକ୍ତି କରିଥିଲେ। ଆଦର୍ଶ ରାଜାଟିଏ ନ ମିଳିଲେ ଅଧିକ ଅତ୍ୟାଚାରୀ ରାଜା ସ୍ଥାନରେ କମ୍ ଅତ୍ୟାଚାରୀ ରାଜାଟିଏ ଗ୍ରହଣୀୟ ହେବା ଉଚିତ। ମାତ୍ର ସେଠି ଜନଅସନ୍ତୋଷ ପରିପକ୍ବ ଅବସ୍ଥାରେ ପହଞ୍ଚି ସାରିଥିଲା। ଲୋକେ ଆମୂଳଚୂଳ ବ୍ୟବସ୍ଥାର ପରିବର୍ତ୍ତନ ଚାହିଁଲେ। ରାଜତନ୍ତ୍ର ସ୍ଥାନରେ ଚାହିଁଲେ ଲୋକତନ୍ତ୍ର। ଫରାସୀ ବିପ୍ଳବ ହେଲା। (ଅବଶ୍ୟ ବିଭିନ୍ନ ବିପ୍ଳବ ସେତ୍ତ୍ବ ଏ ଯାଏ କାହିଁକି ରାଜନୀତି ସ୍ଥାନରେ ଲୋକନୀତି ପ୍ରତିଷ୍ଠିତ ହୋଇ ପାରିନାହିଁ ତାହା ଆଉ ଏକ ଦୀର୍ଘ ଆଲୋଚନାର ବିଷୟ)।
ନେତାଙ୍କ ହାତରୁ ଦଳ ହାତକୁ ଏବଂ ଦଳମାନଙ୍କ ହାତରୁ କ୍ଷମତା ହସ୍ତାନ୍ତରିତ ହେବାର ବେଳ ଯେ ଉପଗତ ତାହା ବହୁକାଳରୁ ଦେଶବାସୀ ସୂଚନା ଦେଇ ଚାଲିଛନ୍ତି। ବିଭିନ୍ନ ଛୋଟବଡ଼ ହିଂସାତ୍ମକ, ଅହିଂସ ଜନଆନ୍ଦୋଳନ-ବିଶେଷ କରି ୧୯୭୪-୭୫ ମସିହାରେ ଜୟପ୍ରକାଶଙ୍କର ଏବଂ ୨୦୧୧ରେ ଆନ୍ନା ହଜାରେଙ୍କ ଆନ୍ଦୋଳନରେ ଏହି ଜନବିକ୍ଷୋଭ ସ୍ପଷ୍ଟଭାବେ ପ୍ରତିଫଳିତ। ଏବେ ଦେଶରେ ଜଳ, ଜମି, ଜଙ୍ଗଲ, କୃଷି, ନିଶା ଓ ଭାଷାକୁ କେନ୍ଦ୍ରକରି ଚାଲିଥିବା ବିିଭିନ୍ନ ଆନ୍ଦୋଳନରେ ଲୋକେ ଆଉ ରାଜନୈତିକ ଦଳଙ୍କୁ ପୂରାଇ ଦେଉନାହାନ୍ତି।
୧୯୭୬ ନିର୍ବାଚନ ପରଠାରୁ ଲୋକେ ବାମପନ୍ଥୀ-ଦକ୍ଷିଣପନ୍ଥୀ-ମଧ୍ୟମପନ୍ଥୀ ସବୁ ବ୍ରାଣ୍ଡ୍ର ଦଳଙ୍କ କରାମତି ଓ କାରସାଦି ସହିତ ପରିଚିତ ହୋଇ ସାରିଲେଣି। ଏବେ ଉପସ୍ଥିତ ନିର୍ବାଚନରେ ପ୍ରାର୍ଥୀ ଦେଉଥିବା ବିଭିନ୍ନ ମୁଖ୍ୟ ଦଳଙ୍କ ‘କୃତିତ୍ବ’ ସମ୍ପର୍କରେ ଲୋକଙ୍କୁ ଆଉ ଗବେଷଣା କରିବା ଦରକାର ପଡ଼ୁନାହିଁ। ପରସ୍ପର ପରସ୍ପରର ଗୋଇ ଖୋଳାଖୋଳି ହୋଇ ପରସ୍ପରର ଅଳ୍ପଜ୍ଞାତ ଅଥବା ଅଜ୍ଞାତ ଅପକର୍ମମାନ ପଦାରେ ପକାଇ ସାରିଲେଣି। ମେଣ୍ଢାପରି ଗୋଟିଏ ଖୁଆଡ଼ରୁ ଆଉ ଗୋଟିଏ ଖୁଆଡ଼କୁ ଡେଉଁଥିବା ଦେଶଭକ୍ତ ନେତାମାନେ ସକାଳେ ଆୟାରାମ୍ ଓ ସନ୍ଧ୍ୟାକୁ ଗୟାରାମ୍ ହୋଇ ଯାଉଛନ୍ତି। କିଛି ପ୍ରଶାସକ ଅବସର ଗ୍ରହଣ ପରେ ଦେଶସେବାର ଆଉ କୌଣସି ପନ୍ଥା ନ ପାଇ ବିଭିନ୍ନ ଦଳରେ ମିଶୁଛନ୍ତି ଏବଂ ଉଲଗ୍ନ ରାଜା ନିଜର ଦିବ୍ୟ ପୋଷାକ ସମ୍ପର୍କରେ େଲାକଙ୍କୁ ପ୍ରବଚନ ଦେବା ଢଙ୍ଗରେ ଦେଶଭକ୍ତି, ଦୁର୍ନୀତି ନିବାରଣ ଇତ୍ୟାଦି ସମ୍ପର୍କରେ ପ୍ରବଚନ ଶୁଣାଉଛନ୍ତି।
ଅବଶ୍ୟ ଲୋକେ ଯେ ଏବେ ସଂପୂର୍ଣ୍ଣ ବ୍ୟବସ୍ଥାର ପରିବର୍ତ୍ତନ ଚାହାନ୍ତି ‘ନୋଟା’ ମାଧ୍ୟମରେ ସେ ବାର୍ତ୍ତା ଠିକ୍ ଭାବେ ଦେଇହେଉନାହିଁ। ସାମୂହିକ ଭୋଟ ବର୍ଜନ ସେ ଦିଗରେ ଆଉ ଏକ ଅଧିକ ବୈପ୍ଳବିକ ପଦକ୍ଷେପ। ମାତ୍ର ସେଥିପାଇଁ ଯଥେଷ୍ଟ ସଂଗଠନ ଓ ପୂର୍ବପ୍ରସ୍ତୁତି ଦରକାର। ତାହାଛଡ଼ା ସେ ପ୍ରକାର ଡକରା ମଧ୍ୟ ପ୍ରାୟତଃ ସ୍ଥାନୀୟ ସମସ୍ୟାକୁ ବା କୌଣସି ତାତ୍କାଳିକ ସମସ୍ୟାକୁ କେନ୍ଦ୍ରକରି ଦିଆଯାଉଛି। ଏଣୁ ନୋଟା ପରି ସାମୂହିକ ଭୋଟ ବର୍ଜନ ମଧ୍ୟ ବସ୍ତୁତଃ କେବଳ ଏକ ନିର୍ଦିଷ୍ଟ ନିର୍ବାଚନ ମଣ୍ଡଳୀରୁ ଠିଆ ହୋଇଥିବା ପ୍ରାର୍ଥୀଙ୍କ ପ୍ରତ୍ୟାଖ୍ୟାନରେ ପର୍ଯ୍ୟବସିତ ହେଉଛି। ତଥାପି ଜନତାର ରୁଦ୍ଧ ରୋଷ ତଥା ମୋହଭଙ୍ଗ ସୂଚାଉଥିବା ଏହି ଦୁଇ ପ୍ରତ୍ୟାଖ୍ୟାନ-ପଦ୍ଧତି ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଜନ-ଆକାଂକ୍ଷା ପ୍ରକାଶର ଦୁଇଟି ପ୍ରାଥମିକ, ଅଥଚ ଏବେ ଉପଲବ୍ଧ ଦୁଇଟି ଗଣତାନ୍ତ୍ରିକ ପଦ୍ଧତି।
‘ନୋଟା’ ଭୋଟ ବିରୋଧରେ ଆଉ ଏକ ଅଭିଯୋଗ ହେଲା: ସବୁ ଭୋଟଦାତା ଯଦି ‘ନୋଟା’ରେ ଭୋଟ ଦେବେ ତେବେ ସରକାର ଗଢ଼ା େହବ କିପରି? ଦେଶ ଶାସନ ଚାଲିବ କିପରି? ଟେଁ ଟେଇଆଁ ଚଢ଼େଇ କୁଆଡ଼େ ରାତିରେ ତା’ ନଳିଗୋଡ଼ ଦି’ଟା ଉପରକୁ ଟେକି ଶୁଏ। ତା’ର ଭୟ ‘କାଳେ ଆକାଶଟା ଗଳି ପଡ଼ିବ।’ ଉପରୋକ୍ତ ଯୁକ୍ତି ଏହିଭଳି ଉଦ୍ଭଟ କଳ୍ପନା ଉପରେ ନିର୍ଭର କରେ। ସଂଖ୍ୟାଗରିଷ୍ଠ ଭୋଟଦାତା ନିଶ୍ଚୟ କୌଣସି ନା କୌଣସି ଦଳକୁ ଭୋଟ ଦେବେ। ମାତ୍ର ‘ନୋଟା’ ଆହ୍ବାନ ଏକ ନିର୍ଦିଷ୍ଟ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ପ୍ରତି ଉଦ୍ଦିଷ୍ଟ। ଯୁଗେଯୁଗେ ଏହିଭଳି ଏକ ସଂଖ୍ୟାଲଘୁ ଗୋଷ୍ଠୀ ହିଁ ଦେଶ ଓ ଜାତିର ବିବେକ ରକ୍ଷକ ଭୂମିକା ନେଇଛନ୍ତି ଏବଂ ବ୍ୟବସ୍ଥା ପରିବର୍ତ୍ତନରେ ସେହିମାନେ ହିଁ ହୋଇଛନ୍ତି ଅଗ୍ରଗାମୀ ପତାକାବାହୀ। ତିନିଟି ରାଜ୍ୟର ଗତ ନିର୍ବାଚନରେ ଓ ତା’ ପୂର୍ବରୁ ହୋଇଯାଇଥିବା କେତୋଟି ପଞ୍ଚାୟତ ନିର୍ବାଚନରେ ‘ନୋଟା’ ଭୋଟ୍ ଯେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି- ଏହା ପର୍ଯ୍ୟବେକ୍ଷକ-ଗବେଷକମାନେ ପ୍ରକାଶ କରିସାରିଛନ୍ତି।
ବାସ୍ତବିକ୍ ନନ୍ ଅଫ୍ ଦି ଏବଭ୍ (ନୋଟା) ଭଳି ଇଭିଏମ୍ରେ ସମାଜର ସଂରଚନାତ୍ମକ ବ୍ୟବସ୍ଥା ପରିବର୍ତ୍ତନ ଆଶାୟୀମାନଙ୍କ ପାଇଁ ଆଉ ଏକ ବୋତାମ ଷ୍ଟ୍ରକ୍ଚରାଲ ଚେଞ୍ଜ ଅଫ୍ ଦି ସୋସାଇଟି (ଏସସିଏସ) ଭବିଷ୍ୟତରେ ଯୋଡ଼ାହେବ ବୋଲି ଆଶା କରିବା। ସେ ପର୍ଯ୍ୟନ୍ତ, ‘ବସ୍ତ୍ରାଭାବେ ସୂତ୍ରଂ ଦଦ୍ୟାତ୍’ ନ୍ୟାୟରେ (ଏସସିଏସ) ଅଭାବେ ନୋଟା ଭୋଟ୍ ଦଦ୍ୟାତ୍।
Comments are closed.