ଏପ୍ରିଲ ପହିଲାରେ ଆଇସିସିର ୫ ଆଚମ୍ବିତ ଟ୍ବିଟ୍
ଦୁବାଇ : ଏପ୍ରିଲ ୧ ବା ‘ଏପ୍ରିଲ ଫୁଲ୍’ ଦିନରେ ସାରାବିଶ୍ବର କ୍ରିକେଟପ୍ରେମୀଙ୍କୁ ଚକ୍ମା ଦେଇଛି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)। ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ଲାଗି କିଛି ନିୟମ ପରିବର୍ତ୍ତନ କରିବାକୁ ଟ୍ବିଟର ଜରିଆରେ ଏହା ଘୋଷଣା କରିଛି। ତେବେ ଉକ୍ତ ନିୟମ ପରିବର୍ତ୍ତନ ରୋଚକ ହୋଇଥିଲେ ହେଁ ଏହା ସତ ବୋଲି କ୍ରିକେଟପ୍ରେମୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଏପ୍ରିଲ ଫୁଲ୍ କରିବାକୁ ଆଇସିସି ଏପରି ଘୋଷଣାସବୁ କରିଛି ବୋଲି ଆଲୋଚନା ହେଉଛି। ଟେଷ୍ଟ କ୍ରିକେଟର ଲୋକପ୍ରିୟତାକୁ ବଞ୍ଚାଇ ରଖିବା ପାଇଁ ଏପରି ନିୟମ ପରିବର୍ତ୍ତନ କରାଯାଇଛି ବୋଲି ଆଇସିସି କହିଛି। ସୋମବାର ଆଇସିସି ଟ୍ବିଟ୍କରି ଏହିସବୁ ନିୟମ ପରିବର୍ତ୍ତନ ବିଷୟରେ ଜଣାଇଛି।
ଯୁବ ପିଢ଼ିଙ୍କ ମଧ୍ୟରେ ଟେଷ୍ଟ କ୍ରିକେଟ୍କୁ ଲୋକପ୍ରିୟ କରିବା ଲାଗି ଏଣିକି ଖେଳାଳିଙ୍କ ସାର୍ଟରେ ନମ୍ବର ରହିବା ସହ ସେମାନଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ମଧ ରହିବ। ଏବେ କ୍ରିକେଟ ମ୍ୟାଚ୍ରେ ମୁଦ୍ରା ଜରିଆରେ ଟସ୍ ପଡ଼ୁଥିବା ବେଳେ ଏଣିକି କ୍ରିକେଟପ୍ରେମୀ ନିଷ୍ପତ୍ତି ନେବେ ଯେ କିଏ ବ୍ୟାଟିଂ କରିବେ ଏବଂ କେଉଁ ଦଳ ଫିଲ୍ଡିଂ ନେବ। ଟ୍ବିଟର ଜରିଆରେ ମତାମତ ନିଆଯାଇ ବ୍ୟାଟିଂ, ଫିଲ୍ଡିଂର ନିଷ୍ପତ୍ତି ନିଆଯିବ। କେବଳ ଏତିକି ନୁହେଁ; ଖେଳାଳିଙ୍କ ଆରାମ ପ୍ରତି ମଧ୍ୟ ଆଇସିସି ଧ୍ୟାନରଖିବ। ତାପମାତ୍ରା ୩୫ ଡିଗ୍ରି ସେଲ୍ସିୟସ୍ ଅତିକ୍ରମ କଲେ, ଖେଳାଳି ଚାହିଁଲେ ହାଫ୍ପ୍ୟାଣ୍ଟ ବା ସର୍ଟସ ପିନ୍ଧି ଟେଷ୍ଟମ୍ୟାଚ୍ ଖେଳିପାରିବେ। ପୁଣି ଟିଭିରେ କ୍ରିକେଟ ଦେଖୁଥିବା ଦର୍ଶକଙ୍କ ଲାଗି ଟେଷ୍ଟମ୍ୟାଚ୍କୁ ଅଧିକ ରୋଚକ କରିବା ଲାଗି ସୁପାରିସ କରାଯାଇଛି ଯେ ସ୍ଲିପ୍ ଫିଲ୍ଡରଙ୍କ ପଛରେ ଟିଭି ଭାଷ୍ୟକାର ହାତରେ ମାଇକ୍ରୋଫୋନ୍ ଧରି ଛିଡ଼ା ହୋଇପାରିବେ। ପଡ଼ିଆ ମଧ୍ୟରୁ ଭାଷ୍ୟକାର ଧାରା ବିବରଣୀ ଦେବେ।
ପୁଣି ଫିଲ୍ଡିଂ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ। ଗୋଟିଏ ବଲ୍ରେ ୨ ଜଣ ବ୍ୟାଟ୍ସମ୍ୟାନ୍ ଆଉଟ ହୋଇପାରନ୍ତି। ଫିଲ୍ଡର କ୍ୟାଚ୍ ଧରିବା ପରେ ଚାହିଁଲେ ନନ୍ଷ୍ଟ୍ରାଇକର ପଟେ ଥିବା ବ୍ୟାଟ୍ସମ୍ୟାନଙ୍କୁ ରନ୍ଆଉଟ କରିପାରିବେ।
ଫଳରେ ଉଭୟ ବ୍ୟାଟ୍ସମ୍ୟାନ ଏକାସାଙ୍ଗରେ ପାଭିଲିୟନକୁ ଫେରିଯିବେ। ପୁଣି ଟେଷ୍ଟମ୍ୟାଚ୍େର ଏଣିକି ‘ନୋ-ବଲ୍’କୁ ‘ଫଲ୍ଟସ’ ଓ ‘ଡଟ୍ ବଲ୍’ ବା ରନ୍ ହୋଇନଥିବା ବଲ୍କୁ ‘ଏସେସ୍’ ବୋଲି କୁହାଯିବ। ସବୁଠାରୁ ରୋଚକ ନିୟମ ପରିବର୍ତ୍ତନ ହେଉଛି; ଦିବାରାତ୍ର ଟେଷ୍ଟମ୍ୟାଚ୍ରେ ସାନ୍ଧ୍ୟ ଅଧିବେଶନରେ ବ୍ୟାଟ୍ସମ୍ୟାନ୍ ବାଉଣ୍ଡରୀ ମାରିଲେ ତାଙ୍କୁ ଦୁଇଗୁଣ ରନ୍ ମିଳିବ। ଅର୍ଥାତ୍ ଚୌକା ମାରିଲେ ୮ ରନ୍ ଏବଂ ଛକା ମାରିଲେ ୧୨ ରନ୍ ବ୍ୟାଟ୍ସମ୍ୟାନ୍ ଓ ଦଳର ସ୍କୋର୍କୁ ଯିବ। ଶେଷରେ ଏହା ମଧ୍ୟ ସୁପାରିସ କରାଯାଇଛି ଯେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଟେବୁଲରେ ଯଦି ଉଭୟ ଦଳଙ୍କ ପଏଣ୍ଟ ସମାନ ହୋଇଯାଏ; ତେବେ ବିଦେଶରେ ଅଧିକ ରନ୍ ସ୍କୋର୍ କରିଥିବା ଦଳ ଆଗରେ ରହିବ।
ଆକର୍ଷଣୀୟ ପ୍ରସ୍ତାବ
– ଟସ୍ କଏନ୍ର ସ୍ଥାନ ନେବ ଟ୍ବିଟର ପୋଲ୍
– ପ୍ରତି ଚୌକାକୁ ୮ ଓ ଛକାଟିଏ ପାଇଁ ମିଳିବ ୧୨ ରନ୍
– ଗୋଟିଏ ବଲ୍ରେ କ୍ୟାଚ୍ ସହ ନନ୍ଷ୍ଟ୍ରାଇକର ବି ହେବେ ଆଉଟ୍
– ୩୫ ଡିଗ୍ରୀରୁ ଅଧିକ ତାପମାତ୍ରା ହେଲେ ଖେଳାଳି ପିନ୍ଧିବେ ସର୍ଟସ୍
– ଜର୍ସିରେ ଲାଗିବ ଖେଳାଳିଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ସହ ନମ୍ବର
– ଖେଳ ବେଳେ ପଡିଆରେ ଭାଷ୍ୟକାର ଦେବେ ଧାରା ବିବରଣୀ
– ପଏଣ୍ଟ ସମାନ ହେଲେ ବିଦେଶରେ ସ୍କୋରକୁ ମିଳିବ ଗୁରୁତ୍ବ
– ‘ନୋ-ବଲ୍’କୁ ‘ଫଲ୍ଟସ୍’ ଓ ‘ଡଟ୍ ବଲ୍’କୁ କୁହାଯିବ ଆସେସ୍’
Comments are closed.