ନାଟ୍ୟକାର କାର୍ତ୍ତିକଚନ୍ଦ୍ର ରଥଙ୍କ ପରଲୋକ

କଟକ : ଓଡ଼ିଶାର ନବ ନାଟ୍ୟ ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ନାଟ୍ୟକାର ଓ ପ୍ରବକ୍ତା ତଥା ୬୦ରୁ ଊର୍ଦ୍ଧ୍ବ ଓଡ଼ିଆ ନାଟକର ସ୍ରଷ୍ଟା ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରଥ (୭୦)ଙ୍କ ସୋମବାର ଅପରାହ୍ଣରେ ଶେଖ୍‍ବଜାର ବାନାବଗିଚାସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଶିଳାଦିତ୍ୟ ଏବଂ ଦୁଇ କନ୍ୟା ଅନୁରୂପା ଓ ଅନୁରାଧାଙ୍କ ସମେତ ବୋହୂ, ଜ୍ୱାଇଁ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମଞ୍ଚ, ବେତାର, ଟେଲିଭିଜନ୍‍ ଓ ସିନେମା କଳାକାର ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ସ୍ୱର୍ଗତ ରଥ୧୯୪୯ରେ ବ୍ରହ୍ମପୁର(ଗଞ୍ଜାମ)ରେ ଅନ୍ନପୂର୍ଣ୍ଣା ରଥଙ୍କ ଔରଷରୁ ଜନ୍ମ ନେଇଥିଲେ। ପିତା ସ୍ୱର୍ଗୀୟ ଗଣେଶ ପ୍ରସାଦ ରଥ ଥିଲେ ରାଜ୍ୟର ପ୍ରଥମ ମାଇନିଂ ଇଞ୍ଜିନିୟର। ସେ ରେଭେନ୍ସା କଲିଜିଏଟ୍‍ରୁ ସ୍କୁଲଶିକ୍ଷା ସାରି ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ପାସ୍‍ କରିବା ପରେ ଅଧ୍ୟାପନା ଚାକିରି କରିଥିଲେ। ରାଜାବଗିଚାସ୍ଥିତ ନେତାଜୀ ସୁଭାଷ ମେମୋରିଆଲ ସିଟି କଲେଜର ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକଭାବେ ଚାକିରିରୁ ଅବସର ନେଇଥିଲେ। ସେ ୫୦ରୁ ଅଧିକ ଏକାଙ୍କିକା, ନାଟିକା, ନୃତ୍ୟନାଟିକା, ସଂଗୀତରୂପକ ବ୍ୟତୀତ ଶତାଧିକ ଗୀତ, ଗୀତିକବିତା, କବିତା, ପ୍ରବନ୍ଧ, ଆଲୋଚନା ଆଦି ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ରଚନା କରିଛନ୍ତି। ୧୯୯୩ରୁ ଏ ପର୍ଯ୍ୟନ୍ତ କଟକରେ ବିଶ୍ୱସ୍ତରୀୟ ନାଟ୍ୟମେଳାର ଆୟୋଜନ କରୁଥିଲେ। ଉତ୍କଳ, ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ସମେତ ଶାନ୍ତି ନିକେତନରେ ତାଙ୍କ ରଚିତ ନାଟକ ପାଠ୍ୟପୁସ୍ତକରେ ସ୍ଥାନ ପାଇଥିଲା। ଓଡ଼ିଶାରେ ଉଭୟ ସ୍କୁଲ ଓ କଲେଜ ପାଠ୍ୟପୁସ୍ତକରେ ଶିକ୍ଷାର୍ଥୀ ତାଙ୍କ ଏକାଙ୍କିକା ପଢୁଛନ୍ତି। କାର୍ତ୍ତିଚନ୍ଦ୍ରଙ୍କ ସାମଗ୍ରିକ ନାଟ୍ୟକୃତି ଉପରେ ଗବେଷଣା କରି ୨୦ଜଣ ଗବେଷକ ପିଏଚ୍‍ଡି ପାଇସାରିଲେଣି। ସେ ଥିଲେ ଜଣେ ଚମତ୍କାର ମଞ୍ଚାଭିନେତା। ସେ ୫୦ରୁ ଅଧିକ ନାଟକରେ ଅଭିନୟ କରିଛନ୍ତିି। ସତୁରି ଦଶକର ‘ଜଉଘର’ ଥିଲା ତାଙ୍କ ଅନ୍ତିମ ଅଭିନୀତ ନାଟକ। ସେ ସମୟରେ ସେ ଥିଲେ ରାଜ୍ୟର ସର୍ବକନିଷ୍ଠ ପେସାଦାର ନାଟ୍ୟକାର ଏବଂ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‍ରେ ନାଟକ ‘ଆଜିର ରାଜା’ ଶତାଧିକ ରଜନୀ ଚାଲିଥିଲା। ହିନ୍ଦୀ ସିନେମା ‘ଭିଗି ପଲକେଁ’ର ଚିତ୍ରନାଟ୍ୟ ସେ ଲେଖିଥିଲା ବେଳେ ଓଡ଼ିଆ ସିନେମା ‘ଅକ୍ଷିତୃତୀୟା’ ପାଇଁ ଚିତ୍ରନାଟ୍ୟ ଓ ସଂଳାପ ଏବଂ ‘ଅସ୍ତରାଗ’ର ସଂଳାପ ଲେଖିଥିଲେ। କଟକ ଦୂରଦର୍ଶନର ପ୍ରଥମ ଓଡ଼ିଆ ଧାରାବାହିକ ‘ଆହୁତି’ର ସେ ଲେଖକ। ଜଣେ ସଫଳ ମଞ୍ଚ ନିର୍ଦେଶକ ଓ ବିଶ୍ୱସ୍ତରୀୟ ନାଟ୍ୟମେଳାର ଆୟୋଜକ ଏବଂ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋସିପ୍‍ପ୍ରାପ୍ତ ଧୁରୀଣ ନାଟ୍ୟକାର ଭାବେ ସେ ବେଶ ପରିଚିତ ଥିଲେ। ତାଙ୍କ ରଚିତ ‘ରକ୍ତର ପାହାଡ଼’, ‘ମାଂସର ଫୁଲ’, ‘ପାଦ ତଳର ଆକାଶ’, ‘ସମୁଦ୍ରର ରଙ୍ଗ ଯନ୍ତ୍ରଣା ନୁହେଁ’ ଆଦି ବହୁ ନାଟକ ବିଭିନ୍ନ ନାଟ୍ୟାନୁଷ୍ଠାନ ଦ୍ୱାରା ରାଜ୍ୟର ବିଭିନ୍ନ ମଞ୍ଚରେ ଅନେକବାର ପ୍ରଦର୍ଶିତ ହୋଇସାରିଲାଣି। ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସାରଳା ଭବନ, କଳାବିକାଶ କେନ୍ଦ୍ର, ‘ସମାଜ’ ଅଫିସ୍‍, ନିଖିଳ ଉତ୍କଳ କଳାନିକେତନ, ଉତ୍କଳ ସାହିତ୍ୟ ସମାଜ ଓ ରାଜାବଗିଚା ସିଟି କଲେଜକୁ ନିଆଯାଇଥିଲା। ବହୁ ଶୁଭେଚ୍ଛୁ ଓ ଅନୁରାଗୀ ଶେଷ ଦର୍ଶନ କରିଥିଲେ।
ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତ୍ର ଶିଳାଦିତ୍ୟ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଜନତା ରଙ୍ଗମଞ୍ଚ, କଳାବିକାଶ କେନ୍ଦ୍ର, ଅନ୍ନପୂର୍ଣ୍ଣା ଥିଏଟର ଓ କଳାଶ୍ରୀ ଥିଏଟର ସମେତ ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ‘ସମାଜ’ କାର୍ଯ୍ୟାଳୟରେ ସ୍ୱର୍ଗତ ରଥଙ୍କ ଶବାଧାରରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟ, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶେଷଦର୍ଶନ କରିଥିଲେ। ସ୍ୱର୍ଗତ ରଥଙ୍କ ବିୟୋଗରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ, ଡା. ରବିରଞ୍ଜନ ସାହୁ, ଉତ୍କଳ ସାହିତ୍ୟ ସମାଜର ସଭାପତି ବିଜୟାନନ୍ଦ ସିଂହ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ ପ୍ରଭାକର ସ୍ୱାଇଁ, ସାହିତ୍ୟିକ ସଞ୍ଜୀତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

 

Comments are closed.