ଭବାନୀପାଟଣା : ବହୁ ସମୟରେ କଳାହାଣ୍ଡିକୁ ନେଇ ରାଜନୀତି ହୋଇଛି । ରାଜ୍ୟ ଓ ଦେଶରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚିତ ହୋଇଛି କଳାହାଣ୍ଡି। ବିଭିନ୍ନ ରାଜନୈତିକ ଦଳ କଳାହାଣ୍ଡିକୁ ରାଜନୀତିର ପ୍ରୟୋଗଶାଳାରେ ପରିଣତ କରିଛନ୍ତି । ବିଭିନ୍ନ ଦଳର ତୁଙ୍ଗ ନେତା କଳାହାଣ୍ଡି ଗସ୍ତ ନ କଲେ ଯେମିିତି ତାଙ୍କର ଓଡ଼ିଶା ଗସ୍ତ ଅଧା ରହିଯାଏ । ସ୍ୱାଧୀନତା ପରବର୍ତ୍ତୀ କାଳରେ ୭ ଜଣ ପ୍ରଧାନମନ୍ତ୍ରୀ କଳାହାଣ୍ଡି ଜିଲାକୁ ଆସିଛନ୍ତି । ୧୯୯୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ା ଶେଷ ପ୍ରଧାନମନ୍ତ୍ରୀ ଭାବରେ କଳାହାଣ୍ଡି ଆସିଥିଲେ ଓ ଏହାପରେ ଆଉ କୌଣସି ପ୍ରଧାନମନ୍ତ୍ରୀଙ୍କ ପାଦ କଳାହାଣ୍ଡି ମାଟିରେ ପଡ଼ିନାହିଁ। ଆଜି(ମଙ୍ଗଳବାର) ୨୩ ବର୍ଷ ପରେ ଆଉ ଜଣେ ପ୍ରଧାନମନ୍ତ୍ରୀ କଳାହାଣ୍ଡି ମାଟିରେ ପାଦ ଥାପିବେ । ଆଜି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦଳ ପାଇଁ ପ୍ରଚାର କରିବାକୁ ଆସିବେ ଓଡ଼ିଶା ଓ କଳାହାଣ୍ଡି। କଳାହାଣ୍ଡିର ଭୋକ, ଦାରିଦ୍ର୍ୟ ଓ ଅନାହାର ଦେଶରେ ଚର୍ଚ୍ଚିତ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୬୮ ମସିହାରେ ଆସିଥିଲେ ଅବିଭକ୍ତ କଳାହାଣ୍ଡି ଜିଲାର ଖରିଆର ଅଞ୍ଚଳ । ଏହାପରେ ଜମିଦାରୀ ଉଚ୍ଛେଦ ଓ ବ୍ୟାଙ୍କ ଜାତୀୟକରଣ ପରି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀମତୀ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୭୬ ମସିହାରେ ନିର୍ବାଚନ ପ୍ରଚାର ପାଇଁ ଭବାନୀପାଟଣା ଓ ୧୯୮୦ ମସିହାରେ ମଧ୍ୟ କଳାହଣ୍ଡି ଜିଲାରେ ଖରିଆର୍ ଓ ନୂଆପଡା ଅଞ୍ଚଳ ଗସ୍ତ କରିଥିଲେ। ସେହି ସମୟରେ ଲୋକମାନଙ୍କର ଭୋକ, ଦାରିଦ୍ର୍ୟ ଓ ଅର୍ଦ୍ଧାହାରରେ ଅବସ୍ଥା ଦେଖି ଖରିଆରରୁ ଆରମ୍ଭ କରିଥିଲେ ‘ଗରିବୀ ହଟାଓ’ କାର୍ଯ୍ୟକ୍ରମ। ଯାହା ପରବର୍ତ୍ତୀ ସମୟରେ କଂଗ୍ରେସର ନିର୍ବାଚନ ସ୍ଲୋଗାନରେ ପରିଣତ ହୋଇଥିଲା। ୧୯୭୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତୀ ମୋରାରଜୀ ଦେଶାଇ ମୁଖୀଗୁଡା ଠାରେ ୧୫୦ କୋଟି ଟଙ୍କା ବ୍ୟାୟରେ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଦାରିଦ୍ର୍ୟ ଓ ଖାଦ୍ୟାଭାବରେ ୧୯୮୫ ମସିହାରେ ଖରିଆର ନିକଟସ୍ଥ ଅମଳାପାଲି ଗ୍ରାମରେ ଫନସପୁଞ୍ଜି ତାର ନଣନ୍ଦକୁ ବିକ୍ରି କରିଦେବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ତାଙ୍କ ସ୍ତ୍ରୀ ସୋନିଆ ଗାନ୍ଧୀ ଆସିଥିଲେ କଳାହାଣ୍ଡି ଜିଲାର ଫନସପୁଞ୍ଜିର ଗା୍ରମ ଅମଲାପାଲିକୁ। ସେଠାରେ ଫନସପୁଞ୍ଜିର ଘରେ ମାଣ୍ଡିଆ ଜାଉ ଖାଇଥିଲେ। ୧୯୮୫ ମସିହାରେ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ଅଞ୍ଚଳରେ ଅଖାଦ୍ୟ ଖାଇ ଲୋକମାନଙ୍କ ମୃତ୍ୟୁ ଘଟଣା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା ଏବଂ ରାଜୀବ ଗାନ୍ଧି ‘ଆଡ଼ପ୍ଟ’ ଯୋଜନା ଆରମ୍ଭ କରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହାର ସିଧା ମନିଟରିଂ କରାଯାଉଥିଲା। ସେହି ସମୟରେ ଏହା ସମଗ୍ର ଦେଶରେ ପଛୁଆ ଅଞ୍ଚଳର ବିକାଶ ପାଇଁ କଳାହାଣ୍ଡି ଏକ ପ୍ରୟୋଗଶାଳା ପାଲଟିଥିଲା। ୧୯୯୧ ମସିହାରେ ଚନ୍ଦ୍ରଶେଖର ଭବାନୀପାଟଣା ଗସ୍ତରେ ଆସିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ୧୯୯୨ ମସିହାରେ ଲାଞ୍ଜିଗଡ ରୋଡ ଆସି ଜୁନାଗଡ-ଲାଞ୍ଜିଗଡ଼ ରେଳପଥର ଶିଳାନ୍ୟାସ କରିବା ସହିତ ଆମଝରି ଗ୍ରାମକୁ ଯାଇ କେନ୍ଦ୍ର ସରକାର ଉକ୍ତ ଗ୍ରାମକୁ ଆଦର୍ଶ ଗ୍ରାମଭାବେ ଗ୍ରହଣ କରିଥିଲେ। ପୁଣି ୧୯୯୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ କଳାହାଣ୍ଡି ଜିଲ୍ଲାର ଉତ୍କେଲା ଅଞ୍ଚଳ ଗସ୍ତ କରିଥିଲେ ଓ ଏହାପରେ ଆରମ୍ଭ ହୋଇଥିଲା କେବିକେ ଯୋଜନା । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡ଼ା ୧୯୯୬ ମସିହାରେ କଳାହାଣ୍ଡି ଗସ୍ତ କରିଥିଲେ। ସେ କଳାହାଣ୍ଡି ର ବିକାଶ ପାଇଁ କେନ୍ଦ୍ର ସରକାର ୮୦ କୋଟି ଟଙ୍କା ମଞ୍ଜୁର କରିଥିଲେ।
ଦେବେଗୌଡ଼ାଙ୍କ ଗସ୍ତର ୨୩ ବର୍ଷ ପରେ ପୁଣି କଳାହାଣ୍ଡିିଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ପରି ନରେନ୍ଦ୍ର ମୋଦୀ ନିର୍ବାଚନ ଆଚରଣବିଧିି ଘୋଷଣା ହେବା ପୂର୍ବରୁ କଳାହାଣ୍ଡି ଗସ୍ତ କରିଥିଲେ କିଛି ନା କିଛି ପ୍ରକଳ୍ପ ଘୋଷଣାର ସମ୍ଭାବନା ଥିଲା । ମାତ୍ର ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ଯୋଗୁଁ ତାଙ୍କର ଭାଷଣ ଓ ପ୍ରତିଶ୍ରୁତି ଉପରେ ସମସ୍ତଙ୍କର ଦୃଷ୍ଟି ନିବଦ୍ଧ ହୋଇଛି । ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଗସ୍ତ ବେଳେ ସେ କୌଣସି ନୂଆ ପ୍ରକଳ୍ପ ଘୋଷଣା କରିପାରିବେ ନାହିଁ। କିଛିଦିନ ତଳେ ବଲାଙ୍ଗୀର ଆସିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ପ୍ରତ୍ନତାତ୍ୱିକ ଖନନ ପାଇଁ ଜାତୀୟ ହେରିଟେଜ୍ ମାନ୍ୟତା ଦେବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାର କଳାହାଣ୍ଡି ଜିଲାରେ ଜୁନାଗଡ – ଅମ୍ବାଗୁଡା ରେଳପଥ, ପୂର୍ବରୁ ପ୍ରସ୍ତାବିତ ବିଭିନ୍ନ ରେଳପଥର କାର୍ଯ୍ୟକାରୀ ନହେବା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନ୍ୟ ଜିଲାକୁ ଚାଲିଯିବା, ନର୍ଲା ଠାରେ ହେବାକୁ ଥିବା ରେଳ ଡବା କାରଖାନା ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର ଓ ତା’ ବଦଳରେ ରେଳ ଲୋକୋମୋଟିଭ୍ କାରଖାନା ନିର୍ମାଣ ପାଇଁ ଘୋଷଣା କାର୍ଯ୍ୟକାରୀ ନ ହେବା ଏବଂ ଲାଞ୍ଜିଗଡ଼ଠାରେ ବେଦାନ୍ତର ଆଲୁମିନା ପ୍ରକଳ୍ପକୁ ନିୟମଗିରି ଡଙ୍ଗରିଆ ଜନଜାତି ଅଧିବାସୀଙ୍କ ବିରୋଧରେ ସ୍ଥାୟୀ ସମାଧାନ ନ ହେବ ଆଦି ପ୍ରସଙ୍ଗ ସାଧାରଣ ଲୋକଙ୍କ ମନରେ କ’ଣ ପ୍ରଭାବ ପକାଇଛି ତାହା ଭବିଷ୍ୟତ କହିବ। ଅନ୍ୟପକ୍ଷରେ ରାଜନୈତିକ ଦୃଷ୍ଟିରୁ ଦେଖିବାକୁ ଗଲେ ଜିଲା ବିଜେପି ସଭାପତି ପ୍ରଦୀପ୍ତ ନାଏକ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଓ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପାଇଁ ଏହି ଗସ୍ତ ବିଜେପିର ଏକ ସୁପରିକଳ୍ପିତ ଯୋଜନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କଳାହାଣ୍ଡି ଲୋକସଭା ଆସନ ଉଭୟ କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ପୁନର୍ବାର ଫେରାଇ ଆଣିବାକୁ ମୋଦୀ ମନ୍ତ୍ର କେତେ ଦୂର ସଫଳ ହେବ ତାହା ନିର୍ବାଚନର ଫଳାଫଳ ହିଁ କହିବ।
୧୯୬୮ ଇନ୍ଦିରା ଗାନ୍ଧୀ
୧୯୭୬ ଇନ୍ଦିରା ଗାନ୍ଧୀ
୧୯୭୮ ମୋରାରଜୀ ଦେଶାଇ
୧୯୮୦ ଇନ୍ଦିରା ଗାନ୍ଧୀ
୧୯୮୫ ରାଜୀବ ଗାନ୍ଧୀ
୧୯୯୧ ଚନ୍ଦ୍ରଶେଖର
୧୯୯୨ ପି.ଭି.ନରସିଂହ ରାଓ
୧୯୯୬ ଏଚ୍.ଡ଼ି.ଦେବେଗୌଡ଼ା
ଆଜି ଆସୁଛନ୍ତି ନରେନ୍ଦ୍ର ମୋଦୀ
ରାଜନୀତିର ପ୍ରୟୋଗଶାଳା କଳାହାଣ୍ଡି ; ୨୩ ବର୍ଷ ପରେ ପ୍ରଧାନମନ୍ତ୍ରୀ
Popular Categories



