ପଶ୍ଚିମବଙ୍ଗରେ କାଳବୈଶାଖୀ ତାଣ୍ଡବ: ୮ ମୃତ

0

କଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକାତା ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ଗଛ, ଫୋନ୍‌ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡିଛି । ଗଛ ରାସ୍ତା ଉପରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଫୋନ୍‌ ଓ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଥିଲାବେଳେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ବେସରକାରୀ ସୂତ୍ରରୁ କାଳବୈଶାଖୀରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କାଳବୈଶାଖୀରେ କଲକାତାରେ କେବଳ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବଙ୍କୁରା ଜିଲାରେ ୨ ଜଣ ଓ ହାୱଡା ଜିଲାରେ ଜଣେ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ୪୨ ବେଳେ ଏହି କାଳବୈଶାଖୀ ସହରରେ ମାଡ଼ ହୋଇଥିଲା । ଘଣ୍ଟା ପ୍ରତି ୯୮ କିଲୋମିଟରରୁ ଅଧିକ ବେଗରେ ପବନ ବୋହିବା ସହ ବର୍ଷା ଓ ବଜ୍ରପାତ ଘଟିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଜିକେ ଦାସ କହିଛନ୍ତି । ପ୍ରାୟ ୨୬ଟି ସ୍ଥାନରେ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କଲକାତା ନଗର ପାଳିକା କର୍ମଚାରୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିବାରୁ ଅନେକ ସ୍ଥାନ ଅନ୍ଧାରରେ ରହିଛି । କାମ ସାରି ଘରକୁ ଫେରୁଥିବା ଲୋକେ ଟ୍ରାଫିକ୍‌ ଜାମ ଭଳି ସମସ୍ୟା ଭୋଗିଛନ୍ତି । ମେଟ୍ରୋ ରେଳ ସେବା ବାତିଲ ହୋଇଥିବାରୁ ଲୋକେ ଯାତାୟତରେ ବହୁ ଅସୁବିଧା ଭୋଗିଛନ୍ତି ।

Leave A Reply