୨୧ରେ ସୁଷମାଙ୍କ ଚୀନ୍‌ ଗସ୍ତ

0

ନୂଆଦିଲ୍ଲୀ : ଡୋକଲାମ୍‌ ଘଟଣା ପରେ ସୀମା ପ୍ରସଙ୍ଗକୁ ନେଇ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏପ୍ରିଲ ୨୧ରେ ବେଜିଂ ଗସ୍ତ କରିବାକୁ ସ୍ଥିର କରିଛନ୍ତି। ଦୁଇ ଦିନିଆ ଗସ୍ତକାଳରେ ସେ ସଙ୍ଘାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ‘ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀ’ରେ ଯୋଗ ଦେବେ। ଏହି ସମ୍ମିଳନୀ ପୃଷ୍ଠଭୂମିରେ ସେ ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କୁହାଯାଉଛି। ପରମାଣୁ ଯୋଗାଣକାରୀ ଦଳ (ଏନ୍‌ଏସ୍‌ଜି)ରେ ଭାରତର ପ୍ରବେଶ ଏବଂ ପାକିସ୍ତାନୀ ଆତଙ୍କବାଦୀ ମାସୁଦ୍‌ ଆଝାରକୁ ବେଆଇନ ଘୋଷଣା କରିବା ନେଇ ଜାତିସଂଘରେ ଭାରତର ଆବେଦନକୁ ଚୀନ୍‌ ବିରୋଧ କରିଆସୁଛି। ଏନେଇ ଭାରତ ଚୀନ୍‌ ଉପରେ ଅସନ୍ତୁଷ୍ଟ ରହିଛି। ଅନ୍ୟପଟେ ଇସ୍‌ଲାମାବାଦ୍‌ ଅଧୀକୃତ ବିବାଦୀୟ କାଶ୍ମୀର ଦେଇ ନିର୍ମାଣ ହେଉଥିବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର୍‌କୁ ନେଇ ମଧ୍ୟ ଭାରତ ଅସନ୍ତୁଷ୍ଟ ଅଛି। ୨୦୧୭ରେ ଡୋକଲାମ୍‌ଠାରେ ଦୁଇ ଦେଶର ସେନା ମୁହାଁମୁହିଁ ହେବା ପରେ ଉଭୟ ଦେଶ ଯଦିଓ ପରିସ୍ଥିତି ସାଧାରଣ କରିବାକୁ ଉଦ୍ୟମ କରିଛନ୍ତି ତଥାପି ବିଭିନ୍ନ ସମୟରେ ପରସ୍ପର କଥା କଟାକଟି ଜାରି ରହିଛି। ଏହିସବୁ ପ୍ରସଙ୍ଗ ଦ୍ୱପାକ୍ଷିକ ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ସୁଷମା ୨୦୧୫ରେ ଚୀନ୍‌ ଗସ୍ତ କରିଥିଲେ। ଆଗାମୀ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‌ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଜୁନ୍‌ରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘାଇ କର୍ପୋରେସନ ସମ୍ମିଳନୀରେ ମୋଦି ଯୋଗ ଦେବା ସହିତ ଏହି ପୃଷ୍ଠଭୂମିରେ ଚୀନ ରାଷ୍ଟ୍ରପତି ସିି ଜିନ୍‌ପିଙ୍ଗଙ୍କୁ ଭେଟିବେ।

Leave A Reply