ଚୀନ୍‌ ସୀମାନ୍ତରେ ‘ଗଗନ ଶକ୍ତି’ ଯୁଦ୍ଧାଭ୍ୟାସ

0

ଡେରାଡୁନ୍‌ : ଭାରତୀୟ ବିମାନ ବାହିନୀ ପକ୍ଷରୁ ଚୀନ୍‌ ସୀମାନ୍ତରେ ଯୁଦ୍ଧାଭ୍ୟାସ କରାଯାଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଗଗନ ଶକ୍ତିି’ ନାମକରଣ କରାଯାଇଛି। ପ୍ରଥମ ଥର ପାଇଁ ଏଏନ୍‌-୩୨ପରିବହନ ବିମାନ ଯୋଗେ ବିମାନ ବାହିନୀର ଯବାନମାନେ ମଙ୍ଗଳବାର ସକାଳ ୭ଟା ୧୫ରେ ଉତ୍ତରାଖଣ୍ଡର ଉତ୍ତରକାଶି ଜିଲା ଅନ୍ତର୍ଗତ ଚିନ୍ୟାଲିସର ବିମାନ ଘାଟିରେ ଅବତରଣ କରିଥିଲେ ମଧ୍ୟ ଏହା ପୂର୍ବରୁ ପ୍ରାୟ ସାଢ଼େ ୬ଟାରୁ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଦ୍ୱିତୀୟ ପରିବହନ ବିମାନ ୭ଟା ୪୫ ଓ ତୃତୀୟଟି ୮ଟାରେ ଅବତରଣ କରିଥିଲା। ଚିନ୍ୟାଲିସାରଠାରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଏହି ଯୁଦ୍ଧାଭ୍ୟାସ ଜାରି ରହିବ। ବିମାନ ବାହିନୀ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତି ଅନୁଧ୍ୟାନ ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଓ ଏହା ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବାବେଳେ ଏପ୍ରିଲ ୮ରୁ ଏହା ଆରମ୍ଭ ହୋଇଛି ଓ ଆସନ୍ତା ୨୨ରେ ଶେଷ ହେବ। ଉଲ୍ଲେଖଯୋଗ୍ୟ ଯେ ‘ଗଗନ ଶକ୍ତି’ ହେଉଛି ଗତ ଦଶ ବର୍ଷ ମଧ୍ୟରେ ବିମାନ ବାହିନୀର ସବୁଠୁ ବଡ଼ ଯୁଦ୍ଧ ପ୍ରସ୍ତୁତି କାର୍ଯ୍ୟକ୍ରମ। ବିଶେଷକରି ଚୀନ୍‌ ଓ ପାକିସ୍ତାନର ମୁକାବିଲା ପାଇଁ ଏହି ପ୍ରସ୍ତୁତି କରାଯାଉଛି। ଗତ ସପ୍ତାହରେ ଭାରତ ମହାସାଗରରେ ଏଭଳି ଅଭ୍ୟାସ କରାଯାଇଥିଲା।

Leave A Reply