ଶିରିଡି ସାଇଧାମରେ ପହଞ୍ଚିଲା ସ୍ୱତନ୍ତ୍ର ତୀର୍ଥ ଯାତ୍ରୀ ଟ୍ରେନ: ଦେହ ଖରାପ ଯୋଗୁଁ ରାୟପୁରରେ ଓହ୍ଲାଇଲେ ଜଣେ ଯାତ୍ରୀ
ସମ୍ବଲପୁର:ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଉତ୍ତରାଞ୍ଚଳ ପର୍ଯ୍ୟଟନ ଡିଭିଜନରେ ଥିବା ୧୦ଟି ଜିଲ୍ଲାର ୯୯୬ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯାଇଛନ୍ତି । ବରିଷ୍ଠ ତୀର୍ଥ ଯାତ୍ରୀଙ୍କର ରହିବା ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏକ ସ୍ୱତନ୍ତ୍ର ଟ୍ରେନରେ ଏମାନେ ତୀର୍ଥ ଯାତ୍ରା ଉପଲକ୍ଷେ ବାହାରିଛନ୍ତି । ଏହି ଟ୍ରେନ ଶିରିଡି ଧାମରେ ପହଞ୍ଚିଥିବା ସୂଚନା ମିଳିଛି ।
ଜଣେ ତୀର୍ଥ ଯାତ୍ରୀଙ୍କର ଯାତ୍ରା ସମୟରେ ରକ୍ତଚାପ ବଢି ଯାଇଥିବାରୁ ଟ୍ରେନରେ ଥିବା ଡାକ୍ତରୀ ଦଳ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାୟପୁର ଷ୍ଟେସନରେ ଓହ୍ଲାଇ ଆଇଆରସିଟିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା ସୂଚନା ମିଳିଛି, ତାଙ୍କୁ ଘରକୁ ଫେରାଇ ଆଣିବା ପାଇ ପର୍ଯ୍ୟଟନ ବିଭାଗ ବ୍ୟବସ୍ଥା କରୁଛି । ସେହପରି ଏବେ ଅତ୍ୟଧିକ ଗରମ ଅନୁଭୂତ ହେଉଥିବାରୁ ଓ ଟ୍ରେନରେ ମସଲାଯୁକ୍ତ ଖାଦ୍ୟ ଖାଇ କିଛି ତୀର୍ଥ ଯାତ୍ରୀଙ୍କର ପେଟ ଖରାପ ହୋଇଥିଲା । ସେମାନଙ୍କୁ ଟ୍ରେନର ଡାକ୍ତରୀ ଦଳ ଓଆରଏସ୍ ପାନୀୟ ସହ ଅନ୍ୟ ଚିକିତ୍ସା କରିଥିଲେ । ଏଥିରେ ସମସ୍ତେ ଆରୋଗ୍ୟ ହୋଇଥିବା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର ଦଳାଇ ସୂଚନା ଦେଇଛନ୍ତି । ମଙ୍ଗଳବାରରେ ସ୍ୱତନ୍ତ୍ର ଟ୍ରେନ ଶିରିଡିରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ହୋଟେଲରେ ବିଶ୍ରାମ ନେଉଥିବା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି ।