ଡ.ହୁସେନ ରବି ଗାନ୍ଧୀ ପାଇବେ ‘ବାଣୀପୀଠ’ ପୁରସ୍କାର
ବଡ଼ସାହି : ମୟୂରଭଞ୍ଜ ଜିଲାର ବଡ଼ସାହି ବିବେକାନନ୍ଦ ବିହାର ଠାରେ ‘୩୯ତମ ବାଣୀପୀଠ ମହୋତ୍ସବ’ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷର ବାଣୀପୀଠ ପୁରସ୍କାର ସହିତ ଏକ ଲକ୍ଷଟଙ୍କାର ପଲିସିବଣ୍ଡ କଟକର ଡକ୍ଟର ହୁସେନ ରବିଗାନ୍ଧୀଙ୍କୁ ପ୍ରଦାନ କରାଯିବ ବୋଲି ବାଣୀପୀଠ ସୂତ୍ରରୁ ଜଣାପଡ଼ିଛି। ଏହି ମହୋତ୍ସବ ତିନିଦିନ ଧରି ଚାଲୁ ରହି ୩୧ତାରିଖରେ ଉଦ୍ଯାପିତ ହେବ। ୨୯ ତାରିଖ ଶୁକ୍ରବାର ସକାଳ ୧୦ଟାରେ ଉଦ୍ଘାଟନ ସମାରୋହ ଓ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହେବ। ୩୦ତାରିଖ ଶନିବାର ‘ବିବେକାନନ୍ଦ ଶିକ୍ଷା କେନ୍ଦ୍ର’ର ୧୯ତମ ବାର୍ଷିକ ଉତ୍ସବ ଓ ଅଭିଭାବକ ମେଳା ଅନୁଷ୍ଠିତ ହେବ। ସେହିପରି ୩୧ ତାରିଖ ରବିବାର ସକାଳ ୬ଟାରୁ କବିତା ମହାଯଜ୍ଞ, ରାଜ୍ୟସ୍ତରୀୟ କବି, ଲେଖକ ଓ କଳାକାର ସମ୍ମେଳନ ସହିତ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହେବ।
ଏଥିରେ ରାଜ୍ୟ ତଥା ପଡୋଶୀ ରାଜ୍ୟରୁ ବହୁ କବି, ଲେଖକ ଓ କଳାକାର ଯୋଗଦାନ କରୁଥିବା ବେଳେ ଅନୁଷ୍ଠାନର ଶ୍ରେଷ୍ଠ ଉପାଧି ‘ବାଣୀରତ୍ନ’ ବାରିପଦାର ଡ଼କ୍ଟର ନୀଳକଣ୍ଠ ମିଶ୍ର, ଉପାଧି-‘ବାଣୀପ୍ରଜ୍ଞା’ ଭୁବନେଶ୍ୱରର ଡ଼କ୍ଟର ଅଭୟ ନାୟକ, ‘ବାଣୀଭୂଷଣ’ ସୁବର୍ଣ୍ଣପୁରର ଡ଼କ୍ଟର ସୁବାଷ ଚନ୍ଦ୍ର ପାତ୍ର, ‘ବାଣୀବିନୋଦ’ ନୟାଗଡର ଡ଼କ୍ଟର ପବିତ୍ର କୁମାର ସୁବୁଦ୍ଧି, ‘ବାଣୀମଞ୍ଜୁଳ’ ବଲାଙ୍ଗିରର ଡକ୍ଟର ଗୋବର୍ଦ୍ଧନ ସାହୁ, ‘ବାଣୀଶ୍ରୀ’ବୌଦ୍ଧର ଇଂ.ସଞ୍ଜୟ କୁମାର ପଣ୍ଡା ଓ ପୁରୀର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୋଇ, ‘ବାଣୀଗୌରବ’ ନୟାଗଡର ଡକ୍ଟର ଲକ୍ଷ୍ମଣ ସାହୁ, ‘ସେବକଶ୍ରୀ’ ଖୋର୍ଦ୍ଧାର ଡକ୍ଟର ରବିନାରାୟଣ ରଥ, ‘ଶିକ୍ଷାଶ୍ରୀ’ ବାଲେଶ୍ୱରର ବିଜୟ କୁମାର ମହାନ୍ତି, ‘ଶିକ୍ଷାଜ୍ୟୋତି’ ବାଳିଆପାଳର ଡ଼କ୍ଟର ବିଜୟ କୁମାର ଦେ, ‘କବିପ୍ରାଣ’ ଭୁବନେଶ୍ୱରର ମୀନକେତନ ଦାଶ ଓ କଟକର ବିଶ୍ୱନାଥ କର, ‘ଭଞ୍ଜକନ୍ୟା’ ମୟୂରଭଞ୍ଜର ବିରଜା ଦେବୀ, ‘ଉତ୍କଳକନ୍ୟା’ ଢେଙ୍କାନାଳର ବୀରାଲକ୍ଷ୍ମୀ ରଣା, ‘ଭଞ୍ଜପ୍ରଦୀପ’ ବାଲେଶ୍ୱରର ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ‘କବିରତ୍ନ’ଭଦ୍ରକର ଶିିବପ୍ରସାଦ ରାଉତ ଓ ଗଡିଆର ନୂତନ କୁମାର ବେହେରା, ‘ସବୁଜଶ୍ରୀ’ ରାଇରଙ୍ଗପୁରର ପ୍ରଦୀପ୍ତ କବି ଓ ‘ଭଞ୍ଜଗୌରବ’ ବାଣପୁର-ଖୋର୍ଦ୍ଧାର ପଣ୍ଡିତ ବିଶ୍ୱନାଥ ଶତପଥୀଙ୍କୁ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ କବି, କଳାକାର ଓ ଲେଖକ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ପଣ୍ଡିତ ଲକ୍ଷ୍ମୀଧର ରାଉତ ପ୍ରକାଶ କରିଛନ୍ତି।