ନକ୍ସଲ ପ୍ରଭାବିତ ଅଞ୍ଚଳରେ ପ୍ରତିଷ୍ଠା ହେବ ୪,୦୭୨ ମୋବାଇଲ ଟାୱାର

0

ନୂଆଦିଲ୍ଲୀ : ଦେଶର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଟେଲିକମ୍‍ ନେଟୱର୍କରେ ସୁଧାର ଆଣିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଏହିସବୁ ଅଞ୍ଚଳରେ ୪,୦୭୨ ମୋବାଇଲ ଟାୱାର ସଂସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଟାୱାରଗୁଡିକ ଦେଶର ୧୦ ରାଜ୍ୟରେ ବସାଯିବ। ଏଥିରେ ଓଡ଼ିଶାରେ ୪୮୩ ମୋବାଇଲ ଟାୱାର ପ୍ରତିଷ୍ଠା ଯୋଜନା ରହିଛି। ତେବେ ଟେଲିକମ୍‍ ଆୟୋଗ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।
ମୋବାଇଲ ଟାୱାର ଦ୍ୱିତୀୟ ପର୍ଯ୍ୟାୟ ଯୋଜନାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୪,୦୭୨ ମୋବାଇଲ ଟାୱାର ପ୍ରତିଷ୍ଠା କରିବା ଲାଗି ଟେଲିକମ୍‍ ଆୟୋଗ ଅନୁମୋଦନ ଦେଇଛନ୍ତି। ଏ ନେଇ ଏକ କ୍ୟାବିନେଟ୍‍ ଚିଠା ପ୍ରସ୍ତାବ ମଧ୍ୟ ଜାରି କରାଯାଇଛି। ଖୁବ୍‍ ଶୀଘ୍ର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିବା ଆଶା କରାଯାଉଥିବା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି। ମୋବାଇଲ ଟାୱାର ସଂସ୍ଥାପନ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶରେ ୩,୧୬୭ କୋଟି ଟଙ୍କା ବ୍ୟୟରେ ୨୩୨୯ ମୋବାଇଲ ଟାୱାର ପ୍ରତିଷ୍ଠା କରାଯାଇଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ବିହାର, ଝାଡଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମୋବାଇଲ ଟାୱାର ପ୍ରତିଷ୍ଠା କରାଯାଇଥିଲା। ଏହି ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଷ୍ଠା କରାଯିବାକୁ ଥିବା ଟେଲିକମ୍‍ ଟାୱାର ଜନିତ ବ୍ୟୟ ଭାର ଟେଲିକମ୍‍ ବିଭାଗର ସାର୍ବଜନୀନ ସେବା ଦାୟିତ୍ୱ ପାଣ୍ଠି (ୟୁଏସ୍‍ଓଏଫ୍‍) ବହନ କରାଯିବ। ଏହି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଷ୍ଠା ହେବାକୁ ଥିବା ୪,୦୭୨ ମୋବାଇଲ ଟାୱାର ମଧ୍ୟରୁ ସର୍ବାଧିକ ୧,୦୫୪ ଟାୱାର ଝାଡଖଣ୍ଡରେ ପ୍ରତିଷ୍ଠା କରାଯିବ। ଏଥିରୁ ଛତିଶଗଡରେ ୧୦୨୮, ଆନ୍ଧ୍ରପ୍ରଦେଶରେ ୪୨୯, ବିହାରରେ ୪୧୨, ପଶ୍ଚିିମବଙ୍ଗରେ ୨୦୭, ଉତ୍ତର ପ୍ରଦେଶରେ ୧୭୯ ଏବଂ ଉତ୍ତର ପ୍ରଦେଶରେ ୧୩୬ ମୋବାଇଲ ଟାୱାର ସ୍ଥାପନ ଯୋଜନା ରହିଛି।

Leave A Reply