ବର୍ଯ୍ୟବସ୍ତୁ ପରିଚାଳନାରେ ବିଫଳତା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଉ: ଅମିତାଭ କାନ୍ତ
ନୂଆଦିଲ୍ଲୀ : ଦେଶର ସହରାଞ୍ଚଳରେ ଜନସଂଖ୍ୟା ବୃଦ୍ଧିପାଉଛି। ବର୍ତ୍ତମାନ ଅନୁପାତରେ ଏହା ବୃଦ୍ଧି ପାଇଲେ ୨୦୫୦ ସୁଦ୍ଧା ସହରାଞ୍ଚଳବାସୀଙ୍କ ସଂଖ୍ୟା ୭୦୦ ନିୟୁତ ବା ୭୦କୋଟିରେ ପହଞ୍ଚିବ। ଏହାକୁ ଲକ୍ଷ୍ୟ କରି ବର୍ଯ୍ୟବସ୍ତୁ ପରିଚାନା ବ୍ୟବସ୍ଥା କରାଯିବା ଆବଶ୍ୟକ; ସର୍ବୋପରି ବର୍ଯ୍ୟବସ୍ତୁ ହ୍ରାସ କରାଯିବା ଉଚିତ ବୋଲି ଚେତାଇ ଦେଇଛନ୍ତି ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ। ୟୁରୋପ, ଆମେରିକା ଓ ଚୀନ୍ ତୁଲ୍ୟ ଆମର ସହରାଞ୍ଚଳ ବ୍ୟାପୁ ନାହିଁ। ସେ ଦେଶରେ ସହରୀକରଣର ଅନ୍ତ ଘଟିଲାଣି। ଆମେ ଯଦି ଦୈନିକ ଉତ୍ପାଦନ କରୁଥିବା ୭୧ନିୟୁତ ଟନ୍ ବର୍ଯ୍ୟବସ୍ତୁର ସୁପରିଚାଳନା ନ କରିବା ବା ଏହି ପରିମାଣରେ ହ୍ରାସ ନ ଘଟାଇବା; ତେବେ ସେତେବେଳକୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବ। ‘ବର୍ଯ୍ୟବସ୍ତୁ ପରିଚାଳନା ଦେଶର ପୌର ସଂସ୍ଥାଗୁଡ଼ିକର ପ୍ରମୁଖ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଥିରେ ସେମାନେ ବିଫଳ ହେଉଛନ୍ତି। ଏଥିଯୋଗୁଁ ଦେଶରେ ବର୍ଯ୍ୟବସ୍ତୁ ସମସ୍ୟା ଉତ୍କଟ ହେଉଛି। ପୌର କର୍ତ୍ତୃପକ୍ଷ ସେମାନଙ୍କ ମୌଳିକ କାର୍ଯ୍ୟ କରୁ ନାହାନ୍ତି; ତେଣୁ ସେମାନଙ୍କୁ ହଟାଇ ଦିଆଯିବା ଦରକାର’ ବୋଲି କହିଛନ୍ତି ଅମିତାଭ।
ଏଠାରେ ଆୟୋଜିତ ଏକ ଆଲୋଚନାଚକ୍ରେର ଅଂଶଗ୍ରହଣ କରି ସେ ଏହି ପ୍ରସଙ୍ଗରେ ପୌର ସଂସ୍ଥାଗୁଡ଼ିକୁ ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ପୌରାଞ୍ଚଳକୁ ସଫାସୁତୁରା ରଖିବା ପୌର କର୍ତ୍ତୃପକ୍ଷଙ୍କ ପ୍ରାଥମିକ କର୍ତ୍ତବ୍ୟ। ସେମାନେ ଏହାକୁ ଭୁଲି ଅଧିକ ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ବ ଦେବା ଦ୍ବାରା ସମସ୍ୟା ବଳିପଡ଼ୁଛି। ରାଜ୍ୟର ସବୁଠୁ ଦକ୍ଷ ଅଧିକାରୀଙ୍କୁ ପୌର ପ୍ରଶାସକ ପଦରେ ନିଯୁକ୍ତି ଦିଆଯିବା ସହ ସେମାନଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ଉଚିତ। ଧାର୍ଯ୍ୟ ଅବଧି ମଧ୍ୟରେ ଯେମିତି ସେମାନେ ଲକ୍ଷ୍ୟ ପୂରଣ କରିପାରିବେ ତାହା ଦେଖିବା ଉଚିତ; ନଚେତ ସେମାନଙ୍କୁ ଦାୟୀ କରାଯିବା ଦରକାର ବୋଲି ଅମିତାଭ କହିଛନ୍ତି।