ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ ମାଝୀ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଏକ ଭିଆଇପି ବଙ୍ଗଳା ନେଇଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ବଙ୍ଗଳା ନେଇ ଓଡ଼ିଶା ଶାସନର ଡୋରି ଦିଲ୍ଲୀରେ ରଖିବାକୁ ବିଜେପି ଚାହୁଁଥିବା ବିଜେଡି ଅଭିଯୋଗ କରିଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା କହିଛନ୍ତି, କେନ୍ଦ୍ର ସରକାର ଦିଲ୍ଲୀର ଭିଆଇପି ଅଞ୍ଚଳ ଭାବେ ପରିଚିତ ତିନମୂର୍ତ୍ତି ଲେନ୍ ବଙ୍ଗଳା ନଂ-୨ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆବଣ୍ଟନ କରିଛନ୍ତି। ପ୍ରୋଟୋକଲ ଅନୁଯାୟୀ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଗଲେ ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କୁ ନିରାପତ୍ତା ଯୋଗାଇ ଦିଆଯାଇଥାଏ। କିନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସୁରକ୍ଷା ନିମନ୍ତେ ଦିଲ୍ଲୀ ପୁଲିସ ଉପରେ ଭରସା ନ କରି ରାଜ୍ୟ ତହବିଲରୁ ବିପୁଳ ଅର୍ଥ ବ୍ୟୟରେ ଓଡ଼ିଶା ପୁଲିସର ୧ ପ୍ଲାଟୁନ୍ ଫୋର୍ସ ନେବାର ଯଥାର୍ଥତା କ’ଣ? ରାଜ୍ୟବାସୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ଓଡ଼ିଶା ସଦନ ରହିଛି। ଓଡ଼ିଶା ଭବନ ପୁନଃନିର୍ମାଣ ପାଇଁ ଭାଙ୍ଗି ଦିଆଗଲା ପରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ରହିବା ପାଇଁ ଏକ ତାରକା ହୋଟେଲରେ ସୁବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ବନ୍ଦୋବସ୍ତ ଆଗରୁ କେବେ ଶୁଣାଯାଇ ନଥିଲା। ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ମଧ୍ୟ ନବୀନ ପଟ୍ଟନାୟକ ଦିଲ୍ଲୀରେ ରାଜ୍ୟ ତହବିଲ୍ରୁ ଅର୍ଥ ଖର୍ଚ୍ଚ କରି ବଙ୍ଗଳା ନେବା ପାଇଁ କେବେ ଚିନ୍ତା କରିନଥିଲେ ବୋଲି ବିଜେଡି ଯୁକ୍ତି ରଖିଛି। ପ୍ରତ୍ୟେକ ମାସରେ ଏକାଧିକବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କଲା ପରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ବଢ଼ିବା ପରିବର୍ତ୍ତେ କମୁଛି। କେନ୍ଦ୍ର ଉପରେ ରାଜ୍ୟର ଥିବା ବକେୟା ଅର୍ଥ ମିଳିପାରୁ ନାହିଁ। ରାଜ୍ୟର ଋଣ ଭାର ଦେଢ଼ବର୍ଷ ଭିତରେ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ଦିଲ୍ଲୀରେ ଭିଆଇପି ବଙ୍ଗଳା ନେବାର ଆବଶ୍ୟକତା କ’ଣ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି
Popular Categories



