କଲକାତା: ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) କାର୍ଯ୍ୟ ଜାରି ରହିଛି। ଏଥିପାଇଁ ବିଏଲଓ (ବୁଥ୍ ଲେଭଲ ଅଫିସର)ମାନେ ଘରକୁ ଘର ବୁଲି ଭୋଟରଙ୍କ ନିକଟରୁ ଏନୁମେରେସନ ଫର୍ମ ସଂଗ୍ରହ କରୁଛନ୍ତି। ମାନସିକ ଓ ଶାରୀରିିକ ଭାବେ ଅତ୍ୟଧିକ କାର୍ଯ୍ୟଚାପ ପଡୁଥିବାରୁ ବିଏଲଓମାନେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏପରିକି ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ୧୭ ଜଣ ବିଏଲଓ ଆତ୍ମହତ୍ୟା ମଧ୍ୟ କରିସାରିଛନ୍ତି।
ଏହି ପରିପ୍ରେକ୍ଷୀରେ ସୋମବାର କଲକାତାରେ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଏଲଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବିଏଲଓ ଅଧିକାର ରକ୍ଷା କମିଟି’ ଆନୁକୂଲ୍ୟରେ ଏହି ବିକ୍ଷୋଭ ଆୟୋଜିତ ହୋଇଛି। ପୁଲିସ ବିକ୍ଷୋଭକାରୀଙ୍କୁ ହଟାଇବାକୁୁ ଉଦ୍ୟମ କରୁଥିବାବେଳେ ଖଣ୍ଡଯୁଦ୍ଧ ହୋଇଥିବା ଲକ୍ଷ୍ୟ କରାଯାଇଛି। ବିଜେପି କର୍ମୀଙ୍କ ସହ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା ଉଦ୍ୟମ କରିଥିଲେ। ଉଭୟପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡିଛି।
ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ସମର୍ଥନରେ ଏଭଳି ବିକ୍ଷୋଭ ଆୟୋଜିତ ହୋଇଥିବା ବିଜେପି ଅଭିଯୋଗ କରିଛି। ରାଜ୍ୟରେ ଭୋଟର ତାଲିକାରୁ ଅଣ-ବିଜେପି ଲୋକଙ୍କୁ ବାଦ ଦେବାକୁ ଏସଆଇଆର କରାଯାଉଛି ବୋଲି ଟିଏମସି ପାଲଟା ଅଭିଯୋଗ କରିଛି।



