ମୟୂରଭଞ୍ଜର ଅଜିତ ମହାନ୍ତି ଭାବା ଆଣବିକ କେନ୍ଦ୍ରର ମୁଖ୍ୟ

0

ଖୁଣ୍ଟା : ଓଡିଆ ବୈଜ୍ଞାନିକ ମୟୂରଭଞ୍ଜ ମାଟିର ପୁଅ ଡ.ଅଜିତ କୁମାର ମହାନ୍ତି ଦେଶର ସୁନାମ ଧନ୍ୟ ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦେଶକ ଭାବେ ମାର୍ଚ୍ଚ ୬ ତାରିଖରେ ନିଯୁକ୍ତି ପାଇଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାତ୍ମକ ସ୍ଥିତି ଜାରି ରହିଥିବା ସମୟରେ ଖାଲି ପଡିଥିବା ଉକ୍ତ ନିର୍ଦେଶକ ପଦରେ ଶ୍ରୀ ମହାନ୍ତିଙ୍କ ନିଯୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ପଦବୀରେ ସେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ମୟୂରଭଞ୍ଜ ଜିଲା ସମେତ ପୈତୃକ ଗ୍ରାମ ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଆରପଟା ଗ୍ରାମପଞ୍ଚାୟତ ଖିରିପଦା ଗ୍ରାମରେ ଖୁସିର ମାହଲ ସୃଷ୍ଟି ହୋଇଛି।
ସ୍ୱର୍ଗତ ଭଗବାନ ମହାନ୍ତି ଓ ରତ୍ନମଣି ମହାନ୍ତିଙ୍କ ଚାରି ପୁଅ ଓ ଜଣେ କନ୍ୟାଙ୍କ ମଧ୍ୟରେ ୫୯ ବର୍ଷ ବୟସ୍କ ଡ. ଅଜିତ କୁମାର ଜ୍ୟେଷ୍ଠ ପୁତ୍ର ଅଟନ୍ତି। ବୈଜ୍ଞାନିକ ଅରୁଣ କୁମାର ମହାନ୍ତି ଆମେରିକାରେ ଗବେଷଣାରତ ଥିବାବେଳେ ଅବନୀ କୁମାର ମହାନ୍ତି କୁଆମରା ସାରସ୍ୱତ ସ୍ନାତକ କଲେଜର ଅଧ୍ୟାପକ, ସାନ ପୁଅ ଅଶୋକ ଜଣେ ସଫଳ ବ୍ୟବସାୟୀ ଓ କନ୍ୟା ମାଳତୀ ମଞ୍ଜରୀ ବିବାହିତା। ଡ. ଅଜିତ ମହନ୍ତି ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଫିଜିକ୍ସ ଗୃପ ଡାଇରେକ୍ଟର ଓ କୋଲକାତା ସ୍ଥିତ ସାହା ଇନଷ୍ଟିଚ୍ୟୁଟ ଅଫ ନିଉକ୍ଲିୟର ଫିଜିକ୍ସରେ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ପଦାର୍ଥ ବିଜ୍ଞାନରେ ଭୌତିକ କଣିକା ସଂଘର୍ଷ(ପାର୍ଟିକିଲ କୋଲିଜନ) ଗବେଷଣା କ୍ଷେତ୍ରରେ ସେ ଜଣେ ବିଶେଷଜ୍ଞ ଭାବେ ପରିଚିତ ଥିବା ବେଳେ ଜେନିଭାରେ ବିଶ୍ୱ କଣିକା ବା ଗଡ ପାର୍ଟିକିଲ ଉତ୍ପତିର ଅନୁସନ୍ଧାନ ପାଇଁ ହୋଥିବା ବହୁ ଚର୍ଚ୍ଚିତ ଲାର୍ଜ ହେଡ୍ରନ କୋଲାଇଡର ଗବେଷଣା ପ୍ରକଳ୍ପର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ଏକ ବହୁମୁଖି ଶାନ୍ତିପୂର୍ଣ୍ଣ ଆଣବିକ ଗବେଷଣା ଓ ଭିତ୍ତିଭୂମୀ ବିକାଶ ପାଇଁ ଭାବା ଭାରତର ଅଗ୍ରଣୀ ଗବେଷଣା କେନ୍ଦ୍ର ହୋଇଥିବା ବେଳେ ଡ. ଅଜିତ ମହାନ୍ତି ଏହାର ନିଦେର୍ଶକ ହେବା ରାଜ୍ୟବାସୀଙ୍କ ପାଇଁ ଗର୍ବର ବିଷୟ। ତାଙ୍କର ନିଯୁକ୍ତି ବାବଦରେ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

kalyan agarbati
Leave A Reply