ରାଜନୈତିକ ଦଳ ପ୍ରାର୍ଥୀ ସମ୍ପର୍କରେ ଗଣମାଧ୍ୟମରେ ତଥ୍ୟ ରଖନ୍ତୁ : ଜଷ୍ଟିସ୍ ମିଶ୍ର
‘ଓଡ଼ିଶାରେ ଆଉ ଗୋଟିଏ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି’
ଭୁବନେଶ୍ୱର :ଦେଶରେ ଜଣେ ସାଧାରଣ ନାଗରିକଙ୍କୁ ଶକ୍ତିଶାଳୀ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଆମର ସାମାଜିକ ଅଧିକାର ଅଧୀନରେ ପ୍ରତି ନାଗରିକଙ୍କ ପାଇଁ ଖାଦ୍ୟ ଅଧିକାର, ପାଠ ପଢ଼ିବା ଅଧିକାର, ବ୍ୟକ୍ତିଗତ ଅଧିକାର ଭଳି ସବୁକିଛି ରଖାଯାଇଛି। ଏପରିକି ନିର୍ବାଚନରେ ‘ନୋଟା’ ବା ନିଜ ପ୍ରାର୍ଥୀଙ୍କୁ ନାପସନ୍ଦ କରିବାର ଅଧିକାର ମଧ୍ୟ ଲୋକଙ୍କୁ ମିଳିଛି। ପ୍ରତି ନାଗରିକ ତା’ର ରାଜନୈତିକ ପ୍ରତିନିଧି ସମ୍ପର୍କରେ ଜାଣିବାର ଅଧିକାର ରହିଛି। ତେଣୁ ରାଜନୈତିକ ଦଳଗୁଡିକ ନିଜର ପ୍ରାର୍ଥୀଙ୍କ ବିଷୟରେ ଗଣମାଧ୍ୟମରେ ତଥ୍ୟ ପ୍ରକାଶ କରିବା ଆବଶ୍ୟକ ବୋଲି ବୋଲି ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ ଅଧିବେଶନ ‘ଫୋର୍ସାଇଟ୍ ୨୦୧୯’ର ନବମ ସଂସ୍କରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ।
‘ଦି କନ୍ଷ୍ଟିଚ୍ୟୁସନାଲ ପର୍ସ୍ପେକ୍ଟିଭ୍ ଅଫ୍ ସୋସିଆଲ୍ ଜଷ୍ଟିସ୍, ଏମ୍ପାୱାର୍ମେଣ୍ଟ ଅଫ୍ ଦି ପାୱାରଲେସ୍ ’ଶୀର୍ଷକ ଆଲୋଚନାଚକ୍ରରେ ବକ୍ତବ୍ୟ ରଖି ଜଷ୍ଟିସ୍ ମିଶ୍ର କହିଲେ, ନୋଟା ହେଉଛି ଏକ ସାମାଜିକ ବ୍ୟବସ୍ଥା। ଆହୁରି ମଧ୍ୟ ଏହା ଏକ ସାମାଜିକ -ରାଜନୈତିକ ଅଧିକାର। ମତଦାତାଙ୍କ ନୋଟା ଅଧିକାରକୁ ଉଚ୍ଛେଦ କରାଯାଇପାରିବ ନାହିଁ। କାରଣ ଜଣେ ବ୍ୟକ୍ତିର ଏକ ପସନ୍ଦ ରହିଥାଏ। ଏହା ଶକ୍ତିହୀନକୁ ଅଧିକ ସଶକ୍ତ କରାଇଥାଏ। ମନୋନୟନ ହେଉଛି ସବୁଠାରୁ ଶକ୍ତିଶାଳୀ ଅଧିକାର ବୋଲି ସେ ଅଭିହିତ କରିଛନ୍ତି । ସ୍ତ୍ରୀ ପୁରୁଷଙ୍କ ଭିତରେ କେବେବି ଫରକ ନ ଥିଲା କି ନାହିଁ। ସମ୍ବିଧାନ ସମସ୍ତଙ୍କୁ ଗୋଟିଏ ଦୃଷ୍ଟିରେ ଦେଖେ। ସ୍ତ୍ରୀ ଲୋକ ଘରେ ରହିଲେ ବି ଶ୍ରମ ବ୍ୟବସ୍ଥାରେ ତାଙ୍କର ମଧ୍ୟ ସମାନ ଅଧିକାର ରହିଛି। ଜଣକ ସମ୍ମାନ ରକ୍ଷା ମଧ୍ୟ ଏକ ସାମାଜିକ ଅଧିକାର ଭିତରେ ଯାଏ। ବହୁଚର୍ଚ୍ଚିତ ‘ପଦ୍ମାବତ୍’ ଫିଲ୍ମ ସମ୍ପର୍କରେ ବିଚାର ସେ କେଉଁ ଚିନ୍ତାଧାରାରେ କରିଥିଲେ ଜଷ୍ଟିସ୍ ମିଶ୍ର ସେ ସମ୍ପର୍କରେ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ।
ଆଲୋଚନାରେ ଭାଗ ନେଇ ‘ଆଉଟ୍ଲୁକ୍ ଇଣ୍ଡିଆ’ର ସମ୍ପାଦକ ରୁବେନ୍ ବାନର୍ଜୀ କହିଲେ, ଜଣେ ସାମ୍ବାଦିକ ସବୁବେଳେ ସତ କହିବାର ଆନନ୍ଦ ଉପଭୋଗ କରିବା ଉଚିତ। ଆମ ଦେଶରେ ଏବେ ସାମ୍ବାଦିକମାନେ ସତ କହି କିପରି ନିର୍ଯ୍ୟାତନା ପାଉଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଉଦାହରଣ ଛଳରେ ସେ ଜବାହରଲାଲ ନେେହରୁ ନିଜ ସମ୍ପର୍କରେ ପରିବେଷିତ କାର୍ଟୁନ୍ ପାଇଁ ବ୍ୟଙ୍ଗ ଚିତ୍ରକର ଆର୍.କେ. ଲକ୍ଷ୍ମଣଙ୍କୁ କିଭଳି ବଧେଇ ଦେଉଥିଲେ ତାହା ଉେଲ୍ଲଖ କରିଥିଲେ। ଏବେ ସିଟିଜେନ୍ପିସ୍ ରାଇଟ୍ ବା ନାଗରିକ ଅଧିକାର ସମ୍ପର୍କରେ ଖବର ପ୍ରସାରଣ କରି ପୂର୍ବାଞ୍ଚଳରେ କିପରି ସାମ୍ବାଦିକମାନେ ହଇରାଣ ହେଉଛନ୍ତି ସେ ସମ୍ପର୍କରେ ଶ୍ରୀ ବାନାର୍ଜୀ କହିଥିଲେ। ଏଥିରେ ‘ସ୍ୱରାଜ୍ୟ’ର କନ୍ସଲ୍ଟିଂ ସମ୍ପାଦକ ଆନନ୍ଦ ରଙ୍ଗନାଥନ୍ କହିଲେ, ବାସ୍ତବରେ ଛୋଟ ଛୋଟ ଜାଗାରେ କାମ କରୁଥିବା ସାମ୍ବାଦିକମାନେ ବତ୍ତର୍ମାନ ସମୟରେ ହିଁ ଅଧିକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି।
କାର୍ଯ୍ୟକ୍ରମରେ ଓଡ଼ିଶାରେ ଏକ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଠନ ପାଇଁ ଏହା ପ୍ରକୃଷ୍ଟ ସମୟ କି ଶୀର୍ଷକ ଏକ ଅଧିବେଶନରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ କହିଲେ, ଓଡ଼ିଶାରେ ରାଜନୈତିର ପରିସ୍ଥିତି ବିଚିତ୍ର ଦିଗରେ ଗତି କରିଛି। ଗୋଟିଏ ସରକାର ଦ୍ୱାରା ଶାସନ ବ୍ୟବସ୍ଥା ସ୍ଥାଣୁତା ଆଡ଼କୁ ଗତି କଲାଣି। ଏଭଳି ପରିସ୍ଥିତିରେ ଓଡ଼ିଶାରେ ଆଉ ଗୋଟିଏ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି। ପୂର୍ବତନ କେନ୍ଦ୍ରୀ ମନ୍ତ୍ରୀ ତଥା ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ବ୍ରଜକିଶୋର ତ୍ରିପାଠୀ କହିଲେ, ଭାରତୀୟ ରାଜନୀତିରେ ମେଣ୍ଟ ରାଜନୀତିର ଇତିହାସ ବହୁତ ପୁରୁଣା। ବିଗତ ଦିନରେ ଅନେକଥର ଉଭୟ କେନ୍ଦ୍ର ଓ ରାଜ୍ୟରେ ମିଳିତ ସରକାର ହୋଇଛି ଓ ସଫଳତା ମଧ୍ୟ ପାଇଛି। ଜାତୀୟ ଦଳଗୁଡ଼ିକ ସବୁବେଳେ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତିନି। ଓଡ଼ିଶାରେ ମେଣ୍ଟ ସରକାର ଗଠନ ଏବେ ଏକ ଆହ୍ୱାନ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ, ଦେଶବ୍ୟାପୀ ଜାତୀୟ ଦଳର ସଫଳତା ସତ୍ତ୍ବେ ଓଡ଼ିଶାରେ ଆଞ୍ଚଳିକ ଦଳ ଭଲ ପ୍ରଦର୍ଶନ କରିଛି। ଓଡ଼ିଶାରେ ବିଜେଡି ଉଭୟ କଂଗ୍ରେସ ଓ ବିଜେପି ସହ ଏକ ସୁରକ୍ଷିତ ଶାସନ କରୁଛି। ତେଣୁ ଏକ ସାମାଜିକ ବିପ୍ଳବ ବ୍ୟତୀତ ଏଠି ପରିବର୍ତ୍ତନ ସମ୍ଭବ ନୁହେଁ। ଉତ୍କଳ ଭାରତ ପାର୍ଟିର ପ୍ରତିଷ୍ଠାତା ଐର ଖାରବେଳ ସ୍ୱାଇଁ ମତ ରଖି କହିଲେ, ମିଳିତ ସରକାରର ସମସ୍ୟା ହେଉଛି ନେତୃତ୍ବ ା ଯେଉଁମାନେ ମିଶୁଛନ୍ତି ସେମାନେ ଚାହୁଁଛନ୍ତି ମୋ ନେତୃତ୍ୱରେ ଏହା ଚାଲୁ। ଏଠି ମଧ୍ୟବିତ୍ତ ହିଁ ଠିକ୍ କରିବେ କାହାକୁ ଭୋଟ୍ ଦେବେ। ପରବର୍ତ୍ତୀ ଅଧିବେଶନେର ‘ବଲିଉଡ୍ ଆଣ୍ଡ ସୋସିଆଲ୍ ମାଣ୍ଡେଟ୍ ’ ଶୀର୍ଷକ ପ୍ରସଙ୍ଗେର ବଲିଉଡ୍ର ଚର୍ଚ୍ଚିତ ନିର୍ଦେଶକ ମଧୁର ଭଣ୍ଡାରକର କହିଲେ, ସେ ତାଙ୍କର ସବୁ ଚଳଚ୍ଚିତ୍ରରେ ସାମାଜିକ ବାର୍ତ୍ତା ରଖିବାକୁ ଚାହାଁନ୍ତି। କିନ୍ତୁ ତାଙ୍କ ମତରେ ଫିଲ୍ମରେ ନିଶ୍ଚିତ ଭାବରେ ଟିକେ କମର୍ସିଆଲ୍ ଟଚ୍ ରହିବା ଜରୁରୀ, ନ ହେଲେ ଏହାକୁ ଦର୍ଶକ ଦେଖିବେ ନାହିଁ। ଏଠି ନିର୍ଦେଶକମାନେ କେମିତି ତାଙ୍କ ପ୍ରଯୋଜକଙ୍କୁ ବୁଝାଇ ଫିଲ୍ମ କରନ୍ତି ସେ ସମ୍ପର୍କରେ ଶ୍ରୀ ଭଣ୍ଡାରକର କହିଥିଲେ।
କାର୍ଯ୍ୟକ୍ରମରେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା ଜଷ୍ଚିସ୍ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଭିନ୍ନ ଅଧିବେଶନରେ ‘ଗୋ-ନ୍ୟୁଜ୍’ର ଏଡିଟର-ଇନ୍-ଚିଫ୍ ପଙ୍କଜ ପଚୋରି, ‘ନ୍ୟୁଜ୍-ଏକ୍ସ’ର ବରିଷ୍ଠ କାର୍ଯ୍ୟନିର୍ବାହୀ ସମ୍ପାଦକ ପ୍ରିୟା ସେହଗଲ, ‘ଦି ହିନ୍ଦୁ ସେଣ୍ଟର ଫର୍ ପଲିଟିକ୍ସ ଆଣ୍ଡ ପବ୍ଲିକ୍ ପଲିସି’ର ସିନିଅର୍ ଫଲୋ ସ୍ମିତା ଗୁପ୍ତା, ‘ସେଣ୍ଟର ଫର୍ ପଲିସି ଆଣ୍ଡ ରିସର୍ଚ୍ଚ’ର ପ୍ରେସିଡେଣ୍ଟ ଓ ସିଇ ୟାମିନି ଆୟର ଏବଂ ଓଡ଼ିଶାର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଭାଗ ନେଇଥିଲେ। ‘ହିନ୍ଦୁସ୍ତାନ ଟାଇମ୍ସ’ର ପୂର୍ବତନ ଏଡିଟର ଆଟ୍ ଲାର୍ଜ ରାଜେଶ ମହାପାତ୍ର ଏବଂ ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ ବିଭିନ୍ନ ଅଧିବେଶନରେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।