ପାକିସ୍ତାନକୁ ଗୋଟିଏ ବି ଡଲାର ଦିଆ ନ ଯାଉ: ନିକି ହାଲେ
ୱାଶିଂଟନ୍ : ଆତଙ୍କବାଦୀ ପ୍ରୋତ୍ସାହନ ସମ୍ପୂର୍ଣ୍ଣ ବନ୍ଦ ନ କରିବା ପର୍ଯ୍ୟନ୍ତ ପାକିସ୍ତାନକୁ ଗୋଟିଏ ବି ଡଲାର ନ ଦେବା ପାଇଁ ଆମେରିକାକୁ ପରାମର୍ଶ ଦେଇଛନ୍ତି ନିକି ହାଲେ। ଜାତିସଂଘରେ ନିଯୁକ୍ତ ଆମେରିକା ପୂର୍ବତନ ରାଷ୍ଟ୍ରଦୂତ ନିକି କହିଛନ୍ତି ଯେ ପାକିସ୍ତାନ ବିରୋଧରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବାର ଅଭିଯୋଗ ବେଶ୍ ପୁରୁଣା। ସେ ଦୃଷ୍ଟିରୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ଦେଶକୁ ଆର୍ଥିକ ସହଯୋଗ ପ୍ରଦାନ ଉପରେ କଟକଣା ଲଗାଇବା ସ୍ବାଗତଯୋଗ୍ୟ; କିନ୍ତୁ ଏହା ଯଥେଷ୍ଟ ନୁହେଁ। ପାକିସ୍ତାନ ମାଟିରୁ ଆତଙ୍କବାଦୀ ସଂଗଠନଗୁଡ଼ିକ ସଫା ନ ହେବା ଯାଏ ଏହି ଦେଶକୁ ଗୋଟିଏ ବି ଡଲାର ସହାୟତା ପ୍ରଦାନ କରାଯିବା ଅନୁଚିତ। ପାକିସ୍ତାନକୁ ଆର୍ଥିକ ସହଯୋଗ ଦେଇ ପ୍ରତିବଦଳରେ ଆମେରିକା କ’ଣ ପାଇଛି ତାହା ଏବେ ଅନୁଶୀଳନ କରିବା ଉଚିତ ବୋଲି ନିକି କହିଛନ୍ତି। ‘ଷ୍ଟାଣ୍ଡ ଆମେରିକା ନାଓ’ ନାମକ ଅନୁଷ୍ଠାନ ମାଧ୍ୟମରେ ସମ୍ପ୍ରତି ନିକି ଆମେରିକାକୁ ସୁରକ୍ଷିତ, ବଳିଷ୍ଠ ଓ ବିକଶିତ ରଖିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ୨୦୧୭ରେ ୧୦୦କୋଟି ଡଲାର ସହାୟତା ପ୍ରଦାନ କରାଯାଇଛି। ଏହାର ସିଂହଭାଗ ପାକିସ୍ତାନୀ ସେନା ହାତକୁ ଯାଇଛି। ପରୋକ୍ଷରେ ଏହା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବାରେ ବିନିଯୋଗ ହୋଇଛି। ଏହି ଅର୍ଥରୁ ସାଧାରଣ ଜନତା ବିଶେଷ ଉପକାର ପାଇ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକା ପ୍ରଶାସନ କେବଳ ବନ୍ଧୁ ରାଷ୍ଟ୍ରଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି।