ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା; ଗାଡ଼ି ମାଲିକ ଚିହ୍ନଟ

0

ଶ୍ରୀନଗର : ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ସୋମବାର ତଦନ୍ତକାରୀ ସଂସ୍ଥା ଏନଆଇଏକୁ ଏକ ବଡ଼ସଫଳତା ମିଳିଛି। ଏନ୍‍ଆଇଏ ବିସ୍ଫୋରଣ ପାଇଁ ବ୍ୟବହୃତ ଗାଡ଼ିର ମାଲିକକୁ ଚିହ୍ନଟ କରିବାରେ ସଫଳ ହୋଇଛି। ଗାଡ଼ିର ମାଲିକ ଅନନ୍ତନାଗ ନିବାସୀ ସଜାଦ ଭଟ୍ଟ ଓ ସେ ଏବେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦରେ ସାମିଲ ହୋଇସାରିଥିବା ଜାଣିବାକୁ ମିଳିଛି।
ଏନ୍‍ଆଇଏଠାରୁ ପ୍ରାପ୍ତ ସୂଚନା ଅନୁସାରେ ସଜାଦ ଫେବୃଆରୀ ୪ରେ ଏହି କାର କିଣିଥିଲା। ଏହା ପୂର୍ବରୁ ଏହି ଗାଡ଼ିର ମାଲିକ ଜଲିଲ ଅହମଦ ହକ୍କାନୀ ଥିଲା। ଏହି ଗାଡ଼ିର ଚେସିସ୍‍ ନମ୍ବର ଏମ୍‍ଏ୩ଆରଏଲଫ୧ଏସ୍‍୦୦୧୮୩୭୩୫ ଏବଂ ଇଞ୍ଜିନ ନମ୍ବର ଜି୧୨ବିଏନ୍‍୧୬୪୧୪୯୦ ଥିଲା। ଜଲିଲ ଏହି କାରକୁ ୨୦୧୧ରେ କିଣିଥିଲା। ଏହା ପରେ ଏହି କାର ୭ ଥର ବିକ୍ରି ହୋଇଛି। ଶେଷ ଥର ଏହାକୁ ସଜାଦ ଭଟ୍ଟ କିଣିଥିଲା। ଫରେନ୍ସିକ୍‍ ଏବଂ ଅଟୋମୋବାଇଲ ବିଶେଷଜ୍ଞଙ୍କ ସହଯୋଗରେ ଏନ୍‍ଆଇଏ ଆକ୍ରମଣରେ ବ୍ୟବହୃତ ଗାଡ଼ି ଏବଂ ତାର ମାଲିକକୁ ଚିହ୍ନଟ କରିବାରେ ସଫଳ ହୋଇଛି। ଏହା ଏକ ମାରୁତି ଇକୋ କାର ଥିଲା ଓ ଏହାର ମାଲିକ ସଜାଦ ଭଟ୍ଟ ଅନନ୍ତନାଗ ଜିଲାସ୍ଥିତ ବେଜବେହରା ନିବାସୀ ବୋଲି ଜଣାପଡିଛି। ସଜାଦ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦରେ ସାମିଲ ହୋଇସାରିଥିବା ସନ୍ଦେହ କରାଯାଉଛି। ଫଳରେ ତାକୁ ଧରିବା ପାଇଁ ପୁଲିସ୍‍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏପଟେ ହାତରେ ବନ୍ଧୁକ ଧରିିଥିବା ସଜାଦର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।
ପ୍ରକାଶଯୋଗ୍ୟ ଯେ ଫେବୃଆରୀ ୧୪ରେ ପୁଲୱାମାଠାରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରଠାରୁ ସୁରକ୍ଷା ବାହନୀ ଘାଟିରେ ତଲାସୀ ଅଭିଯାନ ଚଳାଇଛନ୍ତି।

Leave A Reply