ତାତିଲା ଭୁବନେଶ୍ବର, ୪୦ଡିଗ୍ରୀ ପାଖରେ ପାରଦ

0

ଭୁବନେଶ୍ବର : ଫେବୃଆରୀରୁ ଅସମ୍ଭାଳ ହେଲାଣି ତାତି। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହିତ ଶୀତ ପ୍ରକୋପ କମିଛି। ହେଲେ ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା ଏବେଠୁ ବଢ଼ିଲାଣି। ଶୁକ୍ରବାର ରାଜଧାନୀ ଭୁବନେଶ୍ବର ତାପମାତ୍ରା ହଠାତ ବଦଳିଯାଇଛି। ପୂର୍ବାହ୍ନରୁ ଅପରାହ୍ନ ମୁଣ୍ଡଫଟା ଖରା ସାଙ୍ଗକୁ ରାଜଧାନୀରେ ଆଜି ଲୁ ବହିବା ଭଳି ପରିସ୍ଥିତି ଦେଖାଦେଇଛି। ରାଜ୍ୟର ସର୍ବାଧିକ ତାପମାତ୍ରା ଆଜି ଭୁବନେଶ୍ବରରେ ୩୯.୨ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଅନୁରୂପ ଭାବେ ମାଲକାନଗିରିରେ ମଧ୍ୟ ତାପମାତ୍ରା ୩୯.୨ଡ଼ିଗ୍ରୀ ଛୁଇଁଛି। ଶୀତ ଋତୁ ଶେଷ ନହେଉଣୁ ପାଣିପାଗରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। କଟକ ଓ ଭବାନିପାଟଣାର ସର୍ବାଧିକ ତାପମାତ୍ରା ୩୭ଡ଼ିଗ୍ରୀ ଟପିଯାଇଛି। ରାଜ୍ୟର ୧୩ଟି ସହରରେ ସର୍ବାଧିକ ତାପମାତ୍ରା ୩୫ଡ଼ିଗ୍ରୀ ଉପରେ ରହିଛି।
ଖରା ପ୍ରକୋପ ହଠାତ ବଢ଼ିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସାଧାରଣତଃ ମାର୍ଚ୍ଚ ବେଳକୁ ଖରା ପ୍ରକୋପକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଜଳଛତ୍ର ଖୋଲିଯାଏ। ହେଲେ ଚଳିତବର୍ଷ ଖରାଦିନ ସହଳ ଆସିଛି। ସରକାର ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଗ୍ରୀଷ୍ମପ୍ରକୋପ ଚିନ୍ତା ବଢ଼ାଇଦେଲାଣି।
ଗ୍ରୀଷ୍ମପ୍ରକୋପ ବଢ଼ୁଥିବାବେଳେ ଆସନ୍ତାକାଲିଠାରୁ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ବାଂଲାଦେଶରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଏହାର ପ୍ରଭାବରେ ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ରାଜ୍ୟର ୭ଟି ଜିଲାରେ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ରୁ ବର୍ଷା ପ୍ରକୋପ ବଢ଼ିବାର ସମ୍ଭାବନା ଥିବାବେଳେ ଏହା ୨୭ତାରିଖ ପର୍ଯ୍ୟନ୍ତ ଲାଗିରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ୨୪ରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୋଳ, ଢ଼େଙ୍କାନାଳ, ବୌଦ୍ଧ, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ୧୦ଟି ଜିଲାରେ ବଜ୍ରପାତ ସହିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି। ୨୫ ଓ ୨୬ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସହିତ ଉପରୋକ୍ତ ଜିଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଆସନ୍ତା ୩ଦିନ ଭିତରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

kalyan agarbati
Leave A Reply