କାଠୁଆ ଗଣବଳାତ୍କାର ଓ ହତ୍ୟା ମାମଲା ମାନବିକତା ବିରୋଧରେ ଏକ ଅପରାଧ: ରାହୁଲ

0

ନୂଆଦିଲ୍ଲୀ/ ଶ୍ରୀନଗର : ଜାମ୍ମୁ-କାଶ୍ମୀର କାଠୁଆ ଜିଲାରେ ଜନୈକ ୮ବର୍ଷର ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୃଢ ନିନ୍ଦା କରିଛନ୍ତି। ଗୁରୁବାର ରାହୁଲ କହିଛନ୍ତି ଯେ ଏହି ଗଣବଳାତ୍କାର ଓ ହତ୍ୟା ଘଟଣା ମାନବିକତା ବିରୋଧରେ ଏକ ଅପରାଧ। ଏହା ଏପରି ଏକ ନିଷ୍ଠୁରତା ଯାହା କେହି କେବେ ଚିନ୍ତା କରିପାରିବ ନାହିଁ। ଏପରି ଅପରାଧ ଘଟାଇଥିବା ଦୋଷୀକୁ କେବେହେଲେ କ୍ଷମା ଦିଆଯିବା ଉଚିତ ନୁହେଁ। ରାହୁଲ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ ଆମେ ଯେ କେହି ବି ହୋଇଥାଉ ନା କାହିଁକି; ଏହି ପ୍ରସଙ୍ଗରେ ରାଜନୈତିକ ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି କେ ସିଂହ କହିଛନ୍ତି ଯେ ଏପରି ଜଘନ୍ୟ ଅପରାଧକୁ ରୋକିବାରେ ଆମେ ବିଫଳ ହୋଇଛୁ; ମାତ୍ର ସମ୍ପୃକ୍ତ ପୀଡିତା ନାବାଳିକାକୁ କେବେହେଲେ ନ୍ୟାୟରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ। ମୁସଲମାନ ବଖେରୱାଲ ସମ୍ପ୍ରଦାୟର ନାବାଳିକାକୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ଜାମ୍ମୁ-କାଶ୍ମୀରରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଯାଇଛି। ଏହି ଘଟଣାରେ ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବା ଲାଗି ହିନ୍ଦୁ ମୌଳବାଦୀ ସଂଗଠନ ପକ୍ଷରୁ ଶୋଭାଯାତ୍ରା ହୋଇଛି। ରାଜ୍ୟର ଶହ ଶହ ଓକିଲ ମଧ୍ୟ ଏହି ଗିରଫକୁ ବିରୋଧ କରି ଶୋଭାଯାତ୍ରା କରିଛନ୍ତି। ଗିରଫ ୬ଜଣଙ୍କ ମଧ୍ୟରୁ ଦୁଇଜଣ ପୁଲିସ କର୍ମଚାରୀ ଓ ସେମାନେ ନିର୍ଦୋଷ ବୋଲି ଓକିଲମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ କଂଗ୍ରେସ ନେତା କପିଲ ସିବଲ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି କ୍ଷମତାରେ ଥିବା ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି। ଉତ୍ତରପ୍ରଦେଶ ଉନ୍ନାଓରେ ବିଜେପି ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଥିବାବେଳେ ଏହି ଘଟଣା ବିଜେପିକୁ ଆହୁରି ନିନ୍ଦିତ କରିଛି। ଏହି ପ୍ରସଙ୍ଗରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ପୀଡିତା ନାବାଳିକାକୁ ନ୍ୟାୟ ପ୍ରଦାନରେ କୌଣସି ପ୍ରକାର ଆଇନଗତ ପ୍ରତିବନ୍ଧକ ରହିବ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଜଙ୍ଗଲରେ ଘୋଡ଼ା ଚରାଉଥିବାବେଳେ ପୀଡିତା ନାବାଳିକାକୁ ଅପହରଣ କରାଯାଇଥିଲା ଓ ଏହାର ୬ଦିନ ପରେ ଜାନୁଆରୀ ୧୧ରେ ରାସାନା ଜଙ୍ଗଲରୁ ତାର ମୃତଦେହ ଠାବ କରାଯାଇଥିଲା। ଏହି ଅପରାଧରେ ନାବାଳକ ଅଭିଯୁକ୍ତ ଜଣଙ୍କ ପ୍ରମୁଖ ଭୂମିକା ତୁଲାଇଥିଲା। ଜଙ୍ଗୋତ୍ରା ଓ ଖଜୁରିଆ ସହ ମିଶି ସେ ନାବାଳିକାକୁ ଅପହରଣ ଏବଂ ବାରମ୍ବାର ବଳାତ୍କାର କରିବା ପରେ ପଥରରେ ତାର ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଘଟଣାକୁ ଲୁଚାଇବା ପାଇଁ ସେମାନେ ଅନ୍ୟମାନଙ୍କ ସହୟତା ନେଇଥିଲେ। ଜାମ୍ମୁ-କାଶ୍ମୀର ପୁଲିସ ଏହି ଘଟଣାରେ ଅଭିଯୋଗଫର୍ଦ ଦାଖଲ କରିଛି। ଏଥିରେ ୬ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।

Leave A Reply