କିଦାମ୍ବୀ ଶ୍ରୀକାନ୍ତ : ବିଶ୍ୱର ୧ନମ୍ବର ବ୍ୟାଡମିଣ୍ଟନ ଖେଳାଳୀ

0

ନୂଆଦିଲ୍ଲୀ : ଭାରତର ବ୍ୟାଡମିଣ୍ଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ବିଶ୍ୱର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳୀ ମାନ୍ୟତା ହାସଲ କରିଛନ୍ତି। ଶ୍ରୀକାନ୍ତ ୭୬,୮୯୫ ପଏଣ୍ଟ ସହିତ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ(ବିଡବ୍ଲ୍ୟୁଏଫ)ର ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ମାନ୍ୟତା ହାସଲ କରିବାରେ ସେ  ହେଉଛନ୍ତି ଦ୍ୱିତୀୟ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ।
ଶ୍ରୀକାନ୍ତ ଏହି ରାଙ୍କିଙ୍ଗରେ ଡେନମାର୍କର ୱିକ୍ଟର ଏଲେକ୍ସନ(୭୫,୪୭୦ ପଏଣ୍ଟ)ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ ଏଲେକ୍ସନଙ୍କୁ ଦ୍ୱିତୀୟ ସ୍ଥାନରେ ରଖିଛି। ପୂର୍ବରୁ ସେ ଏକ ନମ୍ବର ସ୍ଥାନରେ ଥିଲେ।
ସୂଚନାଯୋଗ୍ୟ ଯେ, ୨୫ ବର୍ଷିୟ ଶ୍ରୀକାନ୍ତ ଗତ ବର୍ଷ ଏକ ନମ୍ବର ଖେଳାଳୀ ହୋଇପାରି ଥାଆନ୍ତେ କିନ୍ତୁ ଆହତ କାରଣରୁ ସେ କେତେକ ମ୍ୟାଚ ଖେଳିପାରି ନ ଥିଲେ। ଯେଉଁଥିପାଇଁ ସେ ୧,୬୬୦ ପଏଣ୍ଟ ହରାଇଥିଲେ। ତେବେ ଚଳିତ ବର୍ଷ କେ. ଶ୍ରୀକାନ୍ତ ବିଶ୍ୱର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳୀ ମାନ୍ୟତା ହାସଲ କରିଛନ୍ତି।

ଶ୍ରୀକାନ୍ତଙ୍କ ପୂର୍ବରୁ ୨୦୧୫ରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ବିଶ୍ୱର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳୀ ମାନ୍ୟତା ହାସଲ କରିଥିଲେ।

Leave A Reply