ଏକାଥରେ ୭ ଛୁଆ ଜନ୍ମଦେଲେ ୨୫ ବର୍ଷିୟା ଇରାକୀ ମହିଳା
ବାଗଦାଦ : ପୂର୍ବ ଇରାକ ଦିୟାଲି ପ୍ରାନ୍ତର ଏକ ହସ୍ପିଟାଲରେ ଜଣେ ମହିଳା ଏକାଥରେ ୭ ଛୁଆ ଜନ୍ମ ଦେଇଛନ୍ତି। ନବଜାତକଙ୍କ ମଧ୍ୟରେ ଗୋଟିଏ ପୁଅ ଓ ୬ ଝିଅ ଅଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ମା’ ଓ ଛୁଆ ସମସ୍ତେ ସୁସ୍ଥ ଅଛନ୍ତି। ଜଣେ ମହିଳା ଏକାଥରେ ୭ ଛୁଆ ଜନ୍ମ କରିବା ହେଉଛି ଇରକା ଇତିହାସର ପ୍ରଥମ ଘଟଣା। ଇରାକ ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଫିରାଜ ଅଲ ଇଜାଆୱିଙ୍କ କହିବା ଅନୁସାରେ ଶନିବାର ଦିନ ୨୫ ବର୍ଷିୟା ମହିଳାଙ୍କ ପ୍ରସବ ସ୍ୱଭାବିକ ଭାବେ ହୋଇଥିଲା। ମହିଳାଙ୍କ ସ୍ୱାମୀ ତଥା ନବଜାତକଙ୍କ ବାପା ୟୁସିଫ ଫାଦଲ କହିଛନ୍ତି ଯେ ଅଧିକ ଛୁଆ ଜନ୍ମ କରିବାର ଆମର କୌଣସି ଯୋଜନା ନଥିଲା। ତେବେ ଏକାସଙ୍ଗେ ୭ ଛୁଆ ଜନ୍ମକୁ ନେଇ ଆମେ ଖୁସି। ଏବେ ଏହି ସଂଖ୍ୟା ୧୦ ପର୍ଯ୍ୟନ୍ତ ନେବାକୁ ଚାହୁଁଛୁ ।
ପ୍ରକାଶଯୋଗ୍ୟ ଯେ ୧୯୯୭ରେ ଆମେରିକାର ବୋବି ମାକ୍କଫିଙ୍କ ପତ୍ନୀ କେନି ଏକାସଙ୍ଗେ ୭ ଛୁଆ ଜନ୍ମ ଦେଇଥିଲେ। ସେତେବେଳର ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଦମ୍ପତିଙ୍କୁ ନିଜ ପାଖକୁ ଡାକିଥିଲେ। ଟେଲିଭିଜନ ଦୁନିଆର ପ୍ରସିଦ୍ଧ ପାରିବାରିକ କାର୍ଯ୍ୟକ୍ରମ ଓପରାହ ୱିନଫ୍ରି ମଧ୍ୟ ଦମ୍ପତିଙ୍କୁ ନିଜ କାର୍ଯ୍ୟକ୍ରମକୁ ଡାକିଥିଲେ। ଫଳରେ ଏହି ଦମ୍ପତି ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଥିଲେ।