ଗୁଆହାଟୀ : ସାମାଜିକ ଗଣମାଧ୍ୟମରେ ପୁଲୱାମା ଆକ୍ରମଣ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗୁଆହାଟୀ ଆଇକନ ଆକାଡେମୀ ଜୁନିଅର କଲେଜର ଜଣେ ମହିଳା ସହକାରୀ ପ୍ରଧ୍ୟାପିକା ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁସାରେ ଏହି କଲେଜର ଇଂରାଜୀ ବିଭାଗରେ ସହକାରୀ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ପାପ୍ରି ବାନାର୍ଜୀ ନିଜ ଫେସ୍ବୁକ୍ ଆକାଉଣ୍ଟରେ ଗୁରୁବାର ଫୁଲୱାମା ଆକ୍ରମଣ ଉପରେ ଲେଖିଥିଲେ। ସେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଜାମ୍ମୁ କାଶ୍ମୀରରେ ସାଧାରଣ ଲୋକଙ୍କ ଉପରେ ସେନା ଅତ୍ୟାଚାର କରୁଥିବା କହିଥିଲେ। ଏହି ଖବର ପାଇବା ପରେ କଲେଜ ତାଙ୍କୁ ତତ୍କାଳ ପ୍ରଭାବରେ ଶନିବାର ଚାକିରିରୁ ନିଲମ୍ବିତ କରିଛି। ଏନେଇ ତଦନ୍ତ ହେବ ଓ ଏହାର ସମାଧାନ ନହେବା ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ ବୋଲି କଲେଜ ଦର୍ଶାଇଛି। ଅପରପକ୍ଷରେ ଫେସ୍ବୁକ୍ ପୋଷ୍ଟକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଧମକ ମିଳୁଥିବା ପାପ୍ରି ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ ଏନେଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
Popular Categories



