ରୁଷିଆକୁ ଟ୍ରମ୍ପଙ୍କ ଚେତାବନୀ, ‘ଆମେରିକା କ୍ଷେପଣାସ୍ତ୍ର ପାଇଁ ପ୍ରସ୍ତୁତ ରୁହ’

0

ୱାଶିଂଟନ : ସିରିୟାରେ ରାସାୟନିକ ଅସ୍ତ୍ର ଆକ୍ରମଣକୁ ନେଇ ଆମେରିକା ଓ ରୁଷିଆ ମୁହାଁମୁହିଁ ହୋଇଛନ୍ତି। ଏ କ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ରୁଷିଆକୁ ଚେତାବନୀ ଦେଇଛନ୍ତି। ରାସାୟନିକ ଅସ୍ତ୍ର ଆକ୍ରମଣର ଜବାବ ‘ଆମେରିକାର କ୍ଷେପଣାସ୍ତ୍ର’ ଦେବ ବୋଲି ସେ କହିଛନ୍ତି। ଟ୍ରମ୍ପ ବୁଧବାର ଟ୍ୱିଟ୍‍ କରିଛନ୍ତି ଯେ ରୁଷିଆ ପକ୍ଷରୁ ସିରିଆକୁ ନିକ୍ଷେପ ସମସ୍ତ କ୍ଷେପଣାସ୍ତ୍ର ଖସାଇବାକୁ ଶପଥ ନେଇଛୁ। ଏବେ ରୁଷ ପ୍ରସ୍ତୁତ ହୋଇଯାଉ କାରଣ ଏବେ ଆମେରିକାର ନୂଆ ଏବଂ ସ୍ମାର୍ଟ କ୍ଷେପଣାସ୍ତ୍ର ଯିବ। ନିଜ ଲୋକଙ୍କୁ ଗ୍ୟାସରେ ହତ୍ୟା କରି ମଜାନେଉଥିବା ପଶୁର ରୁଷ ସାଥୀ ହେବା ଉଚିତ୍‍ ନୁହେଁ। ପଶୁ ଶବ୍ଦ ସେ ସିରିୟା ରାଷ୍ଟ୍ରପତି ବାଶାର ଅଲ ଅସାଦଙ୍କ ପାଇଁ ବ୍ୟବହାର କରିଛନ୍ତି। ଏହାର କିଛି ସମୟ ପରେ ଟ୍ରମ୍ପ ଆଉ ଏକ ଟ୍ୱିଟ୍‍ କରି ବର୍ତ୍ତମାନର ପରିସ୍ଥିତି ପାଇଁ ଅସ୍ତ୍ରଶସ୍ତ୍ର ବୃଦ୍ଧିର ପ୍ରତିଦ୍ୱନ୍ଦ୍ୱୀତା ଦାୟୀ ବୋଲି କହିଥିଲେ। ଏହାସହ ଏଭଳି ପରିସ୍ଥିତିର ଅନ୍ତ କରି ସ୍ୱାଭାବିକ ପରିସ୍ଥିତି ଆଣିବାକୁ ନିବେଦନ କରିଥିଲେ। ରୁଷିଆ ସହ ଆମେରିକା ସର୍ମ୍ପକ ସର୍ବାଧିକ ଖରାପ ସ୍ଥିତିରେ ଥିବା ପ୍ରକାଶ କରିଥିଲେ। ଏବେକାର ସମ୍ପର୍କ ଶୀତଳ ଯୁଦ୍ଧଠାରୁ ଅଧିକ ଖରାପ ବୋଲି କହିଥିଲେ। ଅପରପକ୍ଷରେ ରୁଷିଆ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ନ ନେବାକୁ ଆମେରିକାକୁ ପରାମର୍ଶ ଦେଇଛି। ମସ୍କୋ କ୍ରିମଲିନ୍‍ ମୁଖପାତ୍ର ଦିମିତ୍ରୀ ପେସ୍‍କୋଭ କହିଛନ୍ତି ଯେ ଏଠାକାର ଆଞ୍ଚଳିକ ସ୍ଥିରତାକୁ ନଷ୍ଟ କରିବା ଓ ଉସକାଇବା ଭଳି କାର୍ଯ୍ୟରୁ ସବୁ ପକ୍ଷ ନିବୃତ୍ତ ରହିବେ ବୋଲି ଆଶା କରୁଛୁ। ସ୍ଥିତି ଉଦ୍‍ବେଗ୍‍ଜନକ ଓ ଉତ୍ତେଜନାପୂର୍ଣ୍ଣ ରହିଛି। ରୁଷିଆ ଉପରେ ଅଭିଯୋଗ ଲଗାଇବା ପୂର୍ବରୁ ଏହାର ତଦନ୍ତ ହେବା ଆବଶ୍ୟକ। ସେହିପରି ରୁଷିଆ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଟ୍ୱିଟ୍‍ କରି ଟ୍ରମ୍ପଙ୍କୁ କହିଛନ୍ତି ଯେ ନିଜର ଉତ୍କର୍ଷ କ୍ଷେପଣାସ୍ତ୍ରକୁ ଏକ ସାର୍ବଭୌମ ସରକାରଙ୍କ ଆଡକୁ ନୁହେଁ ବରଂ ଆତଙ୍କବାଦୀଙ୍କ ଆଡ଼କୁ ନିକ୍ଷେପ କରନ୍ତୁ। ଆମେରିକା ପକ୍ଷରୁ କୌଣସି ବି କ୍ଷେପଣାସ୍ତ୍ର ଆକ୍ରମଣ ସିରିୟାରୁ ରାସାୟନିକ ଅସ୍ତ୍ର ଆକ୍ରମଣର ପ୍ରମାଣ ନଷ୍ଟ ପାଇଁ ପ୍ରୟାସ ବୋଲି ବିଚାର କରାଯିବ। ଏହାପୂର୍ବରୁ ମଙ୍ଗଳବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏହି ମାମଲାରେ କୂଟନୀତିଜ୍ଞ ସମାଧାନର ବାଟ ବାହାର କରାଯିବାକୁ ପ୍ରୟାସ କରାଯାଇଥିଲା ବି ତାହା ବିଫଳ ହୋଇଥିଲା।

Leave A Reply