www.samajalive.in
Monday, December 15, 2025
15.1 C
Bhubaneswar

ଆକ୍ରମଣ ସମୟ, ସ୍ଥାନ ଓ ଶୈଳୀ ସ୍ଥିର କର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ​‌ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନା ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ଏଥିପାଇଁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନ ଉପରେ କେତେବେଳେ, କେଉଁଠି ଓ କିପରି ଆକ୍ରମଣ ହେବ ତା’ର ନିଷ୍ପତ୍ତି ସେନା ହିଁ ସ୍ଥିର କରିବ। ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ରାଷ୍ଟ୍ରୀୟ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେନାକୁ ଯୁଦ୍ଧ ପାଇଁ ପ୍ରଧାନମନ୍ତ୍ରୀଙ୍କ ସବୁଜ ସଙ୍କେତ ପାକିସ୍ତାନର ନିଦ ହଜାଇ ଦେଇଛି।
ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ସିଡିଏସ୍‌ ଜେନେରାଲ ଅନିଲ ଚୌହ୍ବାନ ଓ ତିନି ସେନାର ମୁଖ୍ୟଙ୍କୁ ନେଇ ଅନୁଷ୍ଠିତ ପ୍ରତିରକ୍ଷା ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ପାକିସ୍ତାନ ବିରୋଧରେ ସାମରିକ ଅଭିଯାନ ପାଇଁ ଆଲୋଚନା ହୋଇଥିଲା। ଦୀର୍ଘ ଦେଢ଼ ଘଣ୍ଟାର ମାନସମନ୍ଥନ ପରେ ସୈନ୍ୟବାହିନୀକୁ ଆକ୍ରମଣ ପାଇଁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ସେନାକୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଦେଶର ସଶସ୍ତ୍ର ବାହିନୀ ଉପରେ ପ୍ରଧାନମନ୍ତ୍ରୀ ଦୃଢ ଆସ୍ଥା ପ୍ରକଟ ପୂର୍ବକ ଏହି ଦାୟିତ୍ବ ଦିଆଯାଇଛି। ତେଣୁ ଆଗାମୀ ଦିନରେ ସୈନ୍ୟ ବାହିନୀ ପାକିସ୍ତାନ ବିରୋଧରେ ଆକ୍ରମଣ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି।
ଏହି ଉଚ୍ଚସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସନ୍ଧ୍ୟାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍‌) ମୁଖ୍ୟ ମୋହନ ଭାଗବତ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି। ଭାଗବତଙ୍କ ସହ ପ୍ରଧାନମନ୍ତ୍ରୀ ଏପ୍ରିଲ ୨୨ ଆକ୍ରମଣ ସମ୍ପର୍କରେ ଆଲୋଚନା କରିଥିବା ଜଣାଯାଇଛି। ପହଲଗାଓଁ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାଗବତ ଆହ୍ବାନ ଦେଇଛନ୍ତି। ଗତ ସପ୍ତାହରେ ଏକ ସଭାକୁ ସମ୍ବୋଧନ କାଳରେ ମୋହନ ଭାଗବତ ପରୋକ୍ଷରେ କହିଥିଲେ ଯେ, ନିଜର ନାଗରିକଙ୍କୁ ସୁରକ୍ଷା ଦେବା ହେଉଛି ଜଣେ ରାଜାର କର୍ତ୍ତବ୍ୟ। ଆଉ ଏହି କାର୍ଯ୍ୟକୁ ଜଣେ ରାଜା ନିଶ୍ଚିତ ସମ୍ପାଦନ କରିବା ଜରୁରୀ।
ଭାଗବତ କହିଥିଲେ ଯେ ଆ​‌େ​‌ମ ଆମର ପଡୋଶୀଙ୍କୁ କେବେହେଲେ କ୍ଷତି ପହଞ୍ଚାଇ ନାହୁଁ। ଯଦି କୌଣସି ପଡୋଶୀ ଆମକୁ କ୍ଷତି ପହଞ୍ଚାଏ ତେବେ ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ଦୁଷ୍ଟ ଓ ବଦ୍‌ମାସଙ୍କୁ ଉଚିତ୍ ଜବାବ ଦେବା ଆମ କର୍ତ୍ତବ୍ୟର ଏକ ଅଂଶ। ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଗଲା। ଜଣେ ହିନ୍ଦୁ କେବେହେଲେ ଏପରି କାର୍ଯ୍ୟ କରି ନଥାଏ ବୋଲି ଭାଗବତ କହିଥିଲେ। ଏହି ଜବାବୀ ଯୁଦ୍ଧକୁ ସେ ଅଧର୍ମ ବିରୋଧରେ ଧର୍ମର ଲଢ଼େଇ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ଉଚ୍ଚସ୍ତରୀୟ ବୈଠକ ଚାଲିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଅନୁରୂପ ବୈଠକ ହୋଇଛି। ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଏସଏଫ୍, ଆସାମ ରାଇଫଲ୍ସ, ସିଆର୍‌ପିଏଫ୍, ସିଆଇଏସ୍‌ଏଫ୍ ଓ ଏନ୍‌ଏସ୍‌ଜିର ମହାନିର୍ଦେଶକମାନେ ଯୋଗ ଦେଇଥିଲେ।
ପାକିସ୍ତାନ ବିରୋଧରେ ସାମରିକ ଅଭିଯାନ ଲାଗି ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ ପୂର୍ବରୁ ଆଜି ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମମ୍‌ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ ଏ ନେଇ ଇଙ୍ଗିତ କରିଥିଲେ। ସେ କହିଥିଲେ ଆମ ପାଖରେ ସୀମିତ ସମୟ ରହିଛି। ମାତ୍ର ଲକ୍ଷ୍ୟ ବହୁତ ବଡ଼। ସେଥିପାଇଁ ନକ୍ସା ପ୍ରସ୍ତୁତ କରାଯାଉଛି। ଏତିକି କହି ସେ କିଛି ସମୟ ନୀରବ ରହିଥିଲେ। ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀ ତାଳି ମାରିବା ପରେ ସେ ଏହା ବର୍ତ୍ତମାନର ଘଟଣା ପାଇଁ ଉଦ୍ଦିଷ୍ଟ ନୁହେଁ କହି ସ୍ମିତହାସ୍ୟ ଦେଇଥିଲେ। ମୋଦୀଙ୍କ ଏଭଳି ଶୈଳୀକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭାରତର ଯୁଦ୍ଧ ଅବଶ୍ୟମ୍ଭାବୀ ମନୋଭାବକୁ ସ୍ପଷ୍ଟ କରିଥିବା ନେଇ ଚର୍ଚ୍ଚା ହେଉଛି।
ସୋମବାର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଜାମ୍ମୁ-କାଶ୍ମୀରର ପରିସ୍ଥିତି ବାବଦରେ ସୂଚନା ପ୍ରଦାନ କରିଥିଲେ। ସେହିପରି ରବିବାର ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ପହଲଗାଓଁ ଆକ୍ରମଣର କଡା ଜବାବ ଦିଆଯିବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ଲାଗି ରହିଥିବାବେଳେ ଚୀନ ଦୁଇ ଦେଶକୁ ସଂଯମତା ରକ୍ଷା କରିବା ଲାଗି ନିବେଦନ କରିଛି। ମଙ୍ଗଳବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଗୁଓ ଜୈକୁନ କହିଛନ୍ତି​‌ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତମ ସହାବସ୍ଥାନ ଆଞ୍ଚଳିକ ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ଜରୁରୀ। ତେଣୁ ଦୁଇ ପଡୋଶୀ ରାଷ୍ଟ୍ର ସେମାନଙ୍କ ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଜରୁରୀ। ସୋମବାର ମଧ୍ୟ ଚୀନ ଶାନ୍ତି ବଜାୟ ରଖିବା ଲାଗି ଭାରତ ଓ ପାକିସ୍ତାନକୁ ନିବେଦନ କରିଥିଲା। ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଯୁଦ୍ଧ ଉତ୍ତେଜନା ହ୍ରାସ କରିବାକୁ ନିବେଦନ କରିଛନ୍ତି। ଏହି ଅବସରରେ ସେ ପହଲଗାଓଁ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ପହଲଗାଓଁ ଆକ୍ରମଣ ପରେ ସୀମାରେ ଦୁଇ ଦେଶ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଛି। ପାକିସ୍ତାନ କ୍ରମାଗତ ୫ମ ଦିନ ପାଇଁ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପୂର୍ବକ ଭାରତ ପଟକୁ ଗୁଳିଗୋଳା ମାଡ କରିଛି। ପାକିସ୍ତାନର ଏପରି ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ନେଇ ଭାରତ କଡା ଜବାବ ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories