ଦକ୍ଷିଣ ଚୀନ୍‌ ସାଗରରେ ଆମେରିକାର ‘ଥିଓଡର ରୁଜ୍‌ଭେଲ୍ଟ’

0

ନୂଆଦିଲ୍ଲୀ : ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ ଓ ଆମେରିକା ବଳ କସାକସି ହୋଇଛନ୍ତି। କିଛି ଦିନ ପୂର୍ବେ ଚୀନ୍‌ ସାମରିକ ଅଭ୍ୟାସ ଆଳରେ ଏହି ବିବାଦୀୟ ଅଞ୍ଚଳରେ ସାମରିକ କ୍ଷମତା ପ୍ରଦର୍ଶନ କରିବା ପରେ ମଙ୍ଗଳବାର ଆମେରିକା ଏହାର ଜବରଦସ୍ତ ଜବାବ ଦେଇଛି। ଚୀନ୍‌ ପକ୍ଷରୁ ଆଣବିକ କ୍ଷମତାସମ୍ପନ୍ନ ଯୁଦ୍ଧଜାହାଜ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବା ପରେ ଆମେରିକାର ପ୍ରମୁଖ ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ଥିଓଡର ରୁଜ୍‌ଭେଲ୍ଟରୁ ମାତ୍ର ୨୦ମିନିଟ ବ୍ୟବଧାନରେ ୨୦ଟି ଏଫ୍‌-୧୮ ଯୁଦ୍ଧବିମାନ ଉଡ଼ାଣ ଓ ଅବତରଣ କରିସମସ୍ତଙ୍କୁ ଚମକାଇ ଦେଇଛି। ଆକାଶରେ ଏଗୁଡ଼ିକ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ଚୀନ୍‌କୁ ବଡ଼ ଆହ୍ୱାନ ଦେଇଛି। ତେବେ ଆମେରିକା ଏହାକୁ ନିୟମିତ ଅଭ୍ୟାସର ଅଂଶ ବୋଲି ଦର୍ଶାଇଛି। ଏହି ଅବସରରେ ଆମେରିକା ପକ୍ଷରୁ ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧଜାହାଜ ମଧ୍ୟ ଦକ୍ଷିଣ ଚୀନ୍‌ ସାଗରରେ ପଇଁତରା ମାରିଛି। ଆମେରିକୀୟ କମାଣ୍ଡର ଆଡମିରାଲ ଷ୍ଟିଭ୍‌ କୋଏଲରଙ୍କ କହିବାନୁଯାୟୀ, ଚୀନ୍‌ ଆମକୁ ଆହ୍ୱାନ ଦେଲା; ଆମେ ଏହାକୁ ଗ୍ରହଣ କଲୁ।’ ଏହି ପ୍ରଦର୍ଶନ ପରେ ରୁଜ୍‌ଭେଲ୍ଟ ଫିଲିପାଇନ୍‌ ଦ୍ୱୀପ ଅଭିମୁଖେ ଯାଇଥିଲା। ଆନ୍ତର୍ଜାତିକ ଆଇନ ଆଧାରରେ ଆମେରିକା ଦକ୍ଷିଣ ଚୀନ୍‌ ସାଗରରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା କୋଏଲର କହିଛନ୍ତି।
ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ନିୟମିତ ନୌଶକ୍ତି ଓ ବିମାନବାହିନୀର ଶକ୍ତି ପ୍ରଦର୍ଶନର ଜବାବରେ ଆମେରିକା ଥିଓଡର୍‌ ରୁଜ୍‌ଭେଲ୍ଟକୁ ଏଠାରେ ପହଞ୍ଚାଇବା ପ୍ରତିରକ୍ଷା ବିଶେଷଜ୍ଞ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଚୀନ୍‌ ଏହି ସାଗରରେ ବିଶ୍ୱ ସମୁଦାୟଙ୍କୁ ବେଖାତିର କରି ନିୟମିତ ସାମରିକ ଅଭ୍ୟାସ କରୁଛି ଓ ଏହାର କ୍ରମବର୍ଦ୍ଧିଷ୍ଣୁ ନୌଶକ୍ତି ଜାହିର କରୁଛି। ଏହାକୁ ପ୍ରତିହତ କରିବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ତେବେ ଏଠାରେ ଆମେରିକାର ଉପସ୍ଥିତିକୁ ଚୀନ୍‌ ବାରମ୍ବାର ବିରୋଧ କରିଆସୁଛି। ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଜୋର୍‌ ଧରିଥିବାବେଳେ ମଙ୍ଗଳବାରର ଶକ୍ତି ପ୍ରଦର୍ଶନ ଦୁଇ ଦେଶ ମଧ୍ୟରେ ଲଢ଼େଇକୁ ତେଜାଇ ଦେଇଥିବା କୁହାଯାଉଛି।

Leave A Reply