www.samajalive.in
Saturday, December 13, 2025
26.1 C
Bhubaneswar

‘ଗରିବଙ୍କ ଆଲୋଚନା ବିରୋଧୀଙ୍କୁ ବିରକ୍ତିକର ଲାଗୁଛି’: ମୋଦୀ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାଙ୍କୁ କଡା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳର ନେତାମାନେ ଭୁଲ୍ ତଥ୍ୟ ଉପସ୍ଥାପନ ପୂର୍ବକ ଦେଶର ଯୁବକଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ ଜାତୀୟ ଏକତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେ କହିଛନ୍ତି ଯେ କେତେକ ବିରୋଧୀ ନେତା ‘ଅର୍ବାନ ନକ୍ସଲର’ ଭାଷା କହୁଛନ୍ତି। ଆଉ ମଧ୍ୟ କେତେକ ନେତା ଭାରତ ବିରୋଧରେ ଯୁଦ୍ଧର ଆହ୍ବାନ ଦେଉଛନ୍ତି। ଯେଉଁମାନେ ଏପରି କଥା କହୁଛନ୍ତି ସେମାନେ ଦେଶର ସମ୍ବିଧାନକୁ ବୁଝି ନାହାନ୍ତି କି ଦେଶର ଏକତାକୁ ଗୁରୁତ୍ବ ଦିଅନ୍ତି ନାହିଁ। କଂଗ୍ରେସକୁ ନିଶାଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ-କାଶ୍ମୀର ଓ ଲଦାଖ ଦଶନ୍ଦି ଧରି ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରହିଥିଲା। ଏହା ସମ୍ପୃକ୍ତ ନାଗରିକ ଓ ସମ୍ବିଧାନ ପ୍ରତି ଅନ୍ୟାୟ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରୁଛୁ ତେଣୁ କଠୋର ପଦକ୍ଷେପ ନେବାରେ ସଫଳ ହେଉଛୁ। ଆମର ସମ୍ବିଧାନ କାହାପ୍ରତି ଭେଦଭାବ କରିବାକୁ ଅନୁମତି ଦେଇନଥାଏ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରି ମୋଦୀ କହିଥିଲେ ଯେ ଯେଉଁମାନେ ଗରିବଙ୍କ କୁଡିଆରେ ଫଟୋ ଉଠାଇ ଆନନ୍ଦ ନେଉଛନ୍ତି ସେମାନେ ସଂସଦରେ ଗରିବଙ୍କ ବିଷୟରେ କୁହାଯିବା ବେଳେ ବିରକ୍ତିକର ଅନୁଭବ କରିଥାନ୍ତି। କାରଣ ରାଷ୍ଟ୍ରପତି ସଂସଦରେ ଗରିବଙ୍କ ସମ୍ପର୍କରେ କହୁଥିବାବେଳେ ସେ ବିରକ୍ତି ଅନୁଭବ କରିଥିବା ନେଇ ରାହୁଲ ପୂର୍ବରୁ କହିଥିଲେ। ମୋଦୀ ତାଙ୍କ ଅଭିଭାଷଣରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ନିଶାଣ କରିଛନ୍ତି। କେଜରିୱାଲଙ୍କ ନାମ ନନେଇ ମୋଦୀ କହିଛନ୍ତି ଯେ କେତେକ ନେତା ଜାକୁଜି ଓ ସୌଖୀନ ସାୱାର ଲଗାଇ ଗାଧୋଇବାର ମଜା ନେଉଥିବାବେଳେ ଆମେ ପ୍ରତି ଲୋକଙ୍କ ଘରକୁ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେଉଛୁ। ସରକାର ୧୨କୋଟି ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦେଇଛନ୍ତି। ଆଗାମୀ ତିନି ବର୍ଷରେ ସମସ୍ତ ପରିବାରକୁ ଏହି ସୁବିଧା ଯୋଗାଇ ଦିଆଯିବ। ସେହିପରି ୪କୋଟି ଗରିବଙ୍କୁ ଘର ଯୋଗାଇ ଦିଆଯାଇଛି। ଯେଉଁମାନେ କଷ୍ଟରେ ଜୀବନ ବଞ୍ଚିଛନ୍ତି ସେମାନେ ହିଁ କେବଳ ଘରର ମହତ୍ତ୍ବ ବୁଝିପାରିବେ। ନିଜ ବାସଭବନ ପୁନଃନିର୍ମାଣରେ କେଜରିୱାଲ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ବ୍ୟୟ କରି ଶିଶ ମହଲ ତିଆରି କରିଥିଲେ; ଅଥଚ ଗରିବଙ୍କ ପାଇଁ ଘର ବ୍ୟବସ୍ଥା କରିବା ଦିଗରେ ଚିନ୍ତା କରିଲେ ନାହିଁ। ସରକାରଙ୍କ ସଫଳତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ କାହାକୁ ମିଥ୍ୟା ପ୍ରତିଶ୍ରୁତି ଦେଉ ନାହୁଁ। କଂଗ୍ରେସ ଦଶନ୍ଦି ଦଶନ୍ଦି ଧରି ଗରିବ ହଟାଅର ନାରା ଦେଇ ଆସୁଥିଲା। ମାତ୍ର ତାଙ୍କ ସରକାର ଦେଶର ୨୫ କୋଟି ଗରିବଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ନେବାରୁ ସଫଳ ହୋଇଛି। ପ୍ରତ୍ୟେକ ଲୋକ ଗରିବଙ୍କ ଦୁଃଖ ବୁଝିପାରିବେ ନାହିଁ। ଗରିବଙ୍କ ଦୁଃଖ ବୁଝିବା ଲାଗି ମନରେ ଆଗ୍ରହ ରହିବା ଦରକାର। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଲାଗି ତାଙ୍କୁ କ୍ରମାଗତ ୧୪ଥର ସୁଯୋଗ ମିଳିଥିବାରୁ ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୋଦୀ ତାଙ୍କ ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକୁ ପରୋକ୍ଷ ସମାଲୋଚନା କରିଛନ୍ତି। ଏକବିଂଶ ଶତାବ୍ଦୀର ବିକାଶ କଥା କହିଆସୁଥିବା ରାଜୀବ ଗାନ୍ଧୀଙ୍କ କଥାକୁ ବ୍ୟଙ୍ଗ କରି ଲବ୍ଧପ୍ରତିଷ୍ଠ ବ୍ୟଙ୍ଗ ଚିତ୍ରକାର ଆରକେ ଲକ୍ଷ୍ମଣ କରିଥିବା ଏକ କାର୍ଟୁନ ବିଷୟରେ ମୋଦୀ ଗୃହରେ କହିଥିଲେ। ଲକ୍ଷ୍ମଣଙ୍କ ଏହି କାର୍ଟୁନରେ ଏକ ଶଗଡ ଉପରେ ବିମାନ ରଖାଯାଇଛି। ଶଗଡଟିକୁ ଲୋକେ ଟାଣୁଥିବାବେଳେ ବିମାନରେ ଲୋକ ଓ ପାଇଲଟ୍ ବସିଛନ୍ତି। ଲକ୍ଷ୍ମଣ ଯେତେବେଳେ ଏହି କାର୍ଟୁନ କରିଥିଲେ ତାକୁ ସେତେବେଳେ ଏକ ବ୍ୟଙ୍ଗଚିତ୍ର ବୋଲି ବିବେଚନା କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି କାର୍ଟୁନ ସତ ହୋଇଥିଲା। କାରଣ ରାଜୀବଙ୍କ ସରକାର ସମୟରେ ଦେଶ ଏକବିଂଶ ଶତାବ୍ଦୀର ବିକାଶ ଛୁଇଁ ପାରି ନଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories