କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର କେନ୍ଦୁଝର ଜିଲା ପଞ୍ଚାୟତ ସମିତିସଭ୍ୟ ସଂଘ ପକ୍ଷରୁ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜିଲା ସଦର ମହକୁମାରେ ପଞ୍ଚାୟତ ଅତିଥିଭବନ ନିର୍ମାଣ, ପ୍ରତି ପଞ୍ଚାୟତକୁ ଡିଏମଏଫ ଅନୁଦାନ ପ୍ରଦାନ, ରାଜ୍ୟ ସଂଘର ୧୩ ଦଫା ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆଗାମୀ କେନ୍ଦୁଝର ଗସ୍ତ ସମୟରେ ଦାବିପତ୍ର ପ୍ରଦାନ ଆଦି ନିଷ୍ପତ୍ତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଆଗାମୀ ରାଜ୍ୟସ୍ତରୀୟ ସମ୍ମିଳନୀରେ ସମସ୍ତେ ଯୋଗଦେବା ସହିତ ଆସନ୍ତା ୨୩ତାରିଖ ଜିଲା ସଂଘର ବାର୍ଷିକ ସମ୍ମିଳନୀ କେନ୍ଦୁଝର ସହର ଉପକଣ୍ଠ ଅଶୋକବାଟିକା ଠାରେ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିରିକୃତ ହୋଇଥିବା ସମ୍ପାଦକ ବିରଞ୍ଚି କୁମାର ବେହେରା ଏହା କହିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବିଜୟ କୁମାର ସାହୁ ଓ ଯଦୁମଣି ନାଏକ, ସଦସ୍ୟ ପଦ୍ମଲୋଚନ ଦାସ, ଉତ୍ତମ ଚନ୍ଦ୍ର ବେହେରା, ପଦ୍ମଲୋଚନ ମହାନ୍ତ, ମାନସ ରଞ୍ଜନ ନାଏକ, ଶୁଭ୍ରଜ୍ୟୋତି ଅମାନ୍ତ, ଘନଶ୍ୟାମ ନାଏକ, ବାପୁଜୀ ନାଏକ, କୈବଲ୍ୟ ନାଏକ, ସତ୍ୟବ୍ରତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



