www.samajalive.in
Sunday, December 14, 2025
19.1 C
Bhubaneswar

କମୁନି ଝାଡାବାନ୍ତି ଆତଙ୍କ: କଣାସରେ ଆଉ ୧୫ ସଂକ୍ରମିତ

ପୁରୀ : ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ ଆଖପାଖ ଗ୍ରାମକୁ ଏହା ବ୍ୟାପିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟସେବା ଯଥେଷ୍ଟ ହେଉନାହିଁ। ମୃତ୍ୟୁ ସଂଖ୍ୟା ୪ରେ ସୀମିତ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ୮୮ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ, ପୁରୀ ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ବାସ୍ଥ୍ୟସେବାର ତଦାରଖ କରୁଛନ୍ତି। ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନାରାୟଣ ପ୍ରସାଦ ନନ୍ଦଙ୍କ ତତ୍ତ୍ୱାବଧାନରେ ଭ୍ରାମ୍ୟମାଣ ଚିକିତ୍ସକ ଦଳ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରାଯିବା ସହ ହାଲୋଜିନ ବଟିକା, ଓଆରଏସ୍‌ ଓ ତରଳ ଝାଡ଼ା ପ୍ରତିଷେଧକ ଔଷଧ ବଣ୍ଟନ କରାଯାଉଛି। ଜାଗୁଳେଇପଦର ଓ ନୂଆଗାଁରେ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି। ୮ଟି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିୟୋଜନ କରାଯିବାକୁ ଦାବି ହେଉଛି। ଦୟାନଦୀ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ନଦୀ କୂଳିଆ ଗ୍ରାମରେ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ନିରାପଦ ପାନୀୟ ଜଳ ମିଳୁନାହିଁ। ଏବେ ମଧ୍ୟ ବହୁଲୋକ ଦୟାନଦୀରେ ଗାଧୋଇବା ସହ ଶୌଚ ହେଉଛନ୍ତି। ରୋଷେଇ କାର୍ଯ୍ୟରେ ଦୟା ନଦୀର ପାଣି ବ୍ୟବହାର କରୁଛନ୍ତି। ଏହାକୁ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଆକ୍ରାନ୍ତଙ୍କ ମଧ୍ୟରୁ ୭୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ୧୨ ଜଣ ବିଭିନ୍ନ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ଆଉ ୧୫ ନୂଆ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣ ରୋଗୀଙ୍କୁ କଣାସ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ଗଡ଼ସାହି, ଦୋକନ୍ଦା, ନଈକୁଳ ପାଟଣା, ମଣିଜିପୁର, ଜାଗୁଳେଇପଦର, ସାନପଡ଼ା ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଆଉ ମାତ୍ର ୩ ଜଣ ଆକ୍ରାନ୍ତ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର ସୂଚନା ଦେଇଛନ୍ତି। ନଦୀକୂଳରେ ଥିବା ସମସ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବାକୁ ଦାବି ହେଉଛି। ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମଗୁଡ଼ିକରେ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories