ନାଗେଶ୍ବର ରାଓ ନିଯୁକ୍ତି ବିରୋଧୀ ମାମଲା: ଶୁଣାଣିରୁ ଓହରିଲେ ବିଚାରପତି ରମନା

0

ନୂଆଦିଲ୍ଲୀ : ସିବିଆଇ ଅନ୍ତରୀଣ ନିର୍ଦେଶକ ଭାବେ ଏମ୍‌. ନାଗେଶ୍ବର ରାଓଙ୍କ ନିଯୁକ୍ତିକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ରୋଚକ ମୋଡ ନେଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏବଂ ବିଚାରପତି ଏ. ​‌େ​‌କ. ସିକ୍ରିଙ୍କ ପରେ ସୁପ୍ରିମକୋର୍ଟର ତୃତୀୟ ନ୍ୟାୟମୂର୍ତ୍ତି ଭାବେ ବିଚାରପତି ଏନ୍‌.ଭି. ରମନା ଗୁରୁବାର ଏହି ଶୁଣାଣିରୁ ଓହରି ଯାଇଛନ୍ତି। ଏହାର କାରଣ ଦର୍ଶାଇ ବିଚାରପତି ରମନା କହିଛନ୍ତି, ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଭାବେ ସେ ରାଓଙ୍କୁ ବ୍ୟକ୍ତିଗତ ଭାବେ ଜାଣନ୍ତି। ଏପରିକି ରାଓଙ୍କ ଝିଅ ବିବାହ ଭୋଜିରେ ସେ ଯୋଗ ଦେଇଥିଲେ। ଓକିଲତି କରିବା ସମୟରୁ ରାଓଙ୍କ ଜ୍ବାଇଁଙ୍କ ସହିତ ମଧ୍ୟ ତାଙ୍କର ଜଣାଶୁଣା ରହିଛି। ଏଣୁ ଏହି ମାମଲାର ଶୁଣାଣି ସେ କରିପାରିବେ ନାହିଁ। ଅନ୍ୟ ଏକ ପୀଠରେ ଶୁଣାଣି ଲାଗି ଏହାକୁ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖ ଯେ ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଯିବା ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଅନ୍ତରୀଣ ନିର୍ଦେଶକ ଭାବେ ରାଓଙ୍କୁ ନିଯୁକ୍ତି ଦେଇଥିଲେ। ମାତ୍ର ତାଙ୍କୁ ଅନ୍ତରୀଣ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇପାରିବ ନାହିଁ ବୋଲି ଯୁକ୍ତି ବାଢି ସ୍ବେଚ୍ଛାସେବୀ ସଂସ୍ଥା ‘କମନ କଜ’ ପକ୍ଷରୁ ସୁପ୍ରିମକୋର୍ଟରେ ଉପରୋକ୍ତ ଆବେଦନ କରାଯାଇଥିଲା। ରାଓଙ୍କ ନିଯୁକ୍ତି ଦ୍ବାରା ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ ଆଇନ ଏବଂ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟର ଉଲ୍ଲଙ୍ଘନ କରାଯାଇଥିବା ଆବେଦନକାରୀ ଦର୍ଶାଇଛନ୍ତି। ରାଓଙ୍କୁ ପଦରୁ ହଟାଇବା ସହିତ ସିବିଆଇ ନିର୍ଦେଶକ ଚୟନ ଲାଗି ଏକ ଉଚିତ ବ୍ୟବସ୍ଥା କରିବା ନିମନ୍ତେ ସଂସ୍ଥା ନିବେଦନ କରିଛି। ମାତ୍ର ସିବିଆଇ ନିଯୁକ୍ତି ସମ୍ବନ୍ଧୀୟ କମିଟି ବୈଠକରେ ଯୋଗ ଦେବାକୁ ଥିବା ଦର୍ଶାଇ ପ୍ରଧାନ ବିଚାରପତି ଗୋଗଇ ଜାନୁଆରୀ ୨୧ରେ ଏହି ଆବେଦନର ଶୁଣାଣିରୁ ଓହରିଯାଇଥିଲେ। ଏହାର ତିନି ଦିନ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ବିଚାରପତି ସିକ୍ରି ମଧ୍ୟ ଶୁଣାଣିରୁ ଓହରି ଯାଇଥିଲେ। ସମ୍ଭବତଃ ସୁପ୍ରିମ​‌େ​‌କୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ଚାହୁଁନାହାନ୍ତି ବୋଲି କମନକଜର ଓକିଲ ଦୁଶ୍ୟନ୍ତ ଡାଭେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି। ଏଥିସହ ଶୁକ୍ରବାର ଶୁଣାଣି ତାରିଖ ଧାର୍ଯ୍ୟ କରିବାକୁ ବିଚାରପତି ରମନାଙ୍କୁ ସେ ନିବେଦନ କରିଛନ୍ତି। ମାତ୍ର ପ୍ରଧାନ ବିଚାରପତି ଏ ସମ୍ବନ୍ଧରେ ନିଷ୍ପତ୍ତି ନେବେ ବୋଲି ବିଚାରପତି ରମନା କହିଛନ୍ତି।

Leave A Reply