ଫୁଲବାଣୀ: ଫିରିଙ୍ଗିଆ ଥାନା ଟେଲାପାଲିଠାରେ ରାଜ୍ୟ ରାଜପଥ ନମ୍ବର୧ରେ ଶନିବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟେଲାପାଲି ଗ୍ରାମର ଗୋପାଳ ରଣା (୫୫)। ଏହାର ପ୍ରତିବାଦରେ ରବିବାର ରାଜ୍ୟ ରାଜପଥକୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ଅବରୋଧ କରିଛନ୍ତି।
ଶନିବାର ସନ୍ଧ୍ୟାରେ ଫୁଲବାଣୀ ପଟୁ ଫିରିଙ୍ଗିଆ ଅଞ୍ଚଳ ଡ଼ିମିରିଗୁଡ଼ା ଗ୍ରାମର ରୁଦ୍ର ଦିଗାଲ ନିଜ ଗ୍ରାମକୁ ଯାଉଥିଲେ। ଟେଲାପାଲିଠାରେ ଗୋପାଳ ରଣା ଗୋଟିଏ ଦୋକାନ ନିକଟରେ ଠିଆ ହୋଇଥିବାବେଳେ ବାଇକଟି ରାସ୍ତା ତଳକୁ ଖସି ଗୋପାଳ ରଣାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୋପାଳ ପଡ଼ିଯାଇ ଗୁରୁତର ହୋଇଥିଲେ। ସଙ୍ଗେସଙ୍ଗେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ଗୋଟିଏ ବୋଲେରୋ ଭଡାକରି ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ଭର୍ତ୍ତି କରାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇବା ପରେ ରବିବାର ସକାଳୁ ରାଜ୍ୟ ରାଜପଥକୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ଅବରୋଧ କରିଛନ୍ତି।



