ବାଃରେ ଶିକ୍ଷା ବିଭାଗ! ନକଲି ଶିକ୍ଷକ ଦର୍ଶାଇ ରିକ୍ସା ଚାଳକଙ୍କୁ ୫୧ ଲକ୍ଷ ଟଙ୍କାର ନୋଟିସ୍
ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ଶ୍ରାବସ୍ତିରେ ମୌଳିକ ଶିକ୍ଷା ବିଭାଗରେ ନକଲି ଶିକ୍ଷକ ନିଯୁକ୍ତି ମାମଲାରେ ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଇତି ମଧ୍ୟରେ ବିଭାଗ ପକ୍ଷରୁ ଜଣେ ରିକ୍ସା ଚାଳକଙ୍କୁ ନକଲି ଶିକ୍ଷକ କହି ତାଙ୍କୁ ଲକ୍ଷାଧିକ ଟଙ୍କା ଫେରସ୍ତ ନୋଟିସ୍ ଜାରି କରାଯାଇଛି। ଏଥିସହ ଟଙ୍କା ପୈଠ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟଙ୍କା ଆଦାୟ କରାଯିବ ବୋଲି ତାଙ୍କୁ ଚେତାବନୀ ଦିଆଯାଇଛି।
ଭିନ୍ଗା କୋତଓ୍ବାଲି ଅଞ୍ଚଳର ଗୋଡ଼ପୁରଓ୍ବା ଗାଁରେ ଘଟିଛି ଏଭଳି ଘଟଣା। ଗ୍ରାମର ମନୋହର ଯାଦବ ଦିଲ୍ଲୀରେ ରହି ରିକ୍ସା ଚଳାନ୍ତି। ସେ ମଧ୍ୟ ଅଶିକ୍ଷିତ। ତାଙ୍କ ପରିବାର ଗାଁରେ ରୁହନ୍ତି। ଶୁକ୍ରବାର ସେ ଡାକ ଯୋଗେ ଜିଲା ମୌଳିକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ ପାଇଥିଲେ।
ଡିସେମ୍ବର ୧୧, ୨୦୨୪ରେ ଜାରି ହୋଇଥିବା ନୋଟିସ୍ରେ ଲେଖାଯାଇଛି ଯେ, ଆପଣ ଆମ୍ବେଦକର ନଗର ଜିଲା, ଆକବରପୁର ତହସିଲର ସିହମଇ କାରିରାତ ନିବାସୀ ମେନ୍ ବାହାଦୂର ସିଂହଙ୍କ ପୁଅ ସୁରେନ୍ଦ୍ର ପ୍ରତାପ ସିଂହ ଭାବେ ଛଦ୍ମନାମ ତଥା ଠିକଣା ବ୍ୟବହାର କରି ମୌଳିକ ଶିକ୍ଷା ପରିଷଦ ଅଧୀନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନଭ୍ଓ୍ବାପୁର୍ଓ୍ବା, ବ୍ଲକ ଜମୁନହା, ଶ୍ରାବସ୍ତିରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ଆପଣ ଜାଲ୍ ରେକର୍ଡ ବ୍ୟବହାର କରି ଚାକିରି କରିଥିବା ଅଭିଯୋଗ ହୋଇଛି। ଆପଣଙ୍କୁ ବହିଷ୍କାର କରାଯାଇଛି। ଏଥିସହ ଆପଣଙ୍କ ବିରୋଧରେ କୋତୱାଲି ଭିନ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି। ୨୦୨୦ ମସିହା ଜୁନ୍ ମାସ ପର୍ଯ୍ୟନ୍ତ ଆପଣ ମୌଳିକ ଶିକ୍ଷା ବିଭାଗରୁ ମୋଟ୍ ୫୧ ଲକ୍ଷ ୬୩ ହଜାର ୫୩ ଟଙ୍କା ନଗଦ ଦରମା ଇତ୍ୟାଦି ଭାବରେ ନେଇଛନ୍ତି।
ସପ୍ତାହେ ମଧ୍ୟରେ ଏହି ଟଙ୍କା ଶ୍ରାବସ୍ତି ରାଜକୋଷରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଜମା ରସିଦ ନେଇଯାଆନ୍ତୁ। ଅନ୍ୟଥା ଜମି ରାଜସ୍ୱ ଅସୁଲି ପରି ଆପଣଙ୍କଠାରୁ ଟଙ୍କା ଆଦାୟ କରାଯିବ। ନୋଟିସ୍ ପାଇବା ପରେ ପୀଡ଼ିତ ଏବଂ ତାଙ୍କ ପରିବାର ଗଭୀର ଚିନ୍ତାରେ ପଡ଼ି ଯାଇଛନ୍ତି । ବିଏସଏ ଅଜୟ କୁମାର କହିଛନ୍ତି ଯେ, ନୋଟିସ୍ ମୋ କାର୍ଯ୍ୟାଳୟରୁ ହିଁ ଜାରି କରାଯାଇଛି। ଯଦି ତାଙ୍କର କିଛି ତଥ୍ୟ ରଖିବାର ଅଛି, ତେବେ ସେ ପ୍ରମାଣ ସହିତ କାର୍ଯ୍ୟାଳୟକୁ ଆସି ନିଜର ମତ ପ୍ରକାଶ କରିପାରିବେ।
Comments are closed.