ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁଁଁ ସଙ୍କଟରେ ସବୁଜ ପରିବେଶ
କେନ୍ଦୁଝରଗଡ଼଼: ବଣଜଙ୍ଗଲ ଘେରା ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲା ସମଗ୍ର ରାଜ୍ୟରେ ଏକଦା ସବୁଜ ପରିବେଶ ନେଇ ଚର୍ଚ୍ଚାରେ ଥିବା ବେଳେ ଜିଲାରେ ଗଚ୍ଛିତ ଥିବା ଖଣିଜ ସମ୍ପଦ ଉତ୍ତୋଳନ ଯୋଗୁଁଁ ବ୍ୟାପକ ଜଙ୍ଗଲ ଧ୍ୱଂସ ଏବେ ସବୁଜ ପରିବେଶ ସଙ୍କଟରେ ପଡ଼ିଛି। ଜିଲାର ଭୂୟାଁ ଓ ଜୁଆଙ୍ଗ ପୀଢ଼ (ବିଜେପି) ରେଞ୍ଜରେ ବ୍ୟାପକ ଖଣିଜସମ୍ପଦ ଉତ୍ତୋଳନ ସାଙ୍ଗକୁ ମୋରମ ଖନନ ଓ ଛୋଟ ଛୋଟ ପାହାଡ଼କୁ ନଷ୍ଟ କରି ବେଆଇନ ପଥର ଖୋଳାଯିବା କାରଣରୁ ଉକ୍ତ ଅଞ୍ଚଳରେ ସବୁଜ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି।
ସେହିପରି ସାନଘାଗରା, ଠାକୁରଡିହି, ଗନ୍ଧମାର୍ଦନ ଓ ୪୯ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଥିବା ଜଙ୍ଗଲରୁ ବେଆଇନ ଖଣିଖନନ କାର୍ଯ୍ୟ, ଜାଳେଣୀ କାଠ ସଂଗ୍ରହ ଆଳରେ ବ୍ୟାପକ ଗଛ କଟାଯିବା, ମୋରମ ଖୋଳା, କ୍ରସର ଶିଳ୍ପ, ପୋଡ଼ୁଚାଷ ଓ ରାସ୍ତା ପାଶ୍ୱର୍ରେ ଥିବା ଜଙ୍ଗଲକୁ ଧ୍ୱଂସ କରାଯାଇ ଢ଼ାବା ଓ ହୋଟେଲ କାର୍ଯ୍ୟକ୍ଷମ କାରଣରୁ ସବୁଜ ପରିବେଶ ନଷ୍ଟ ହେବାରେ ଲାଗିଛି।
ଏଭଳି ବେଆଇନ କାର୍ଯ୍ୟକୁ ବିଭାଗୀୟ କେତେକ କର୍ମଚାରୀ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ବେଳେ ଉକ୍ତ ରେଞ୍ଜ ଅଫିସ ନିକଟରେ ଥିବା ଅଞ୍ଜର ଫରେଷ୍ଟ ଗେଟ୍ ଦେଇ ଦୈନିକ କାଠ, ଜଙ୍ଗଲଜାତ ଦ୍ରବ୍ୟ ଆଦି ଅବାଧରେ ପାର ହେଉଥିଲେ ମଧ୍ୟ ଆବଶ୍ୟକ ଯାଞ୍ଚ ଅଭାବରୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେବା ସହ ଜଙ୍ଗଲ ସମ୍ପଦର ଅଶେଷ କ୍ଷତି ନେଇ ପରିବେଶବିତ୍ ମହଲରେ ଘୋର ଉଦ୍ବେଗ ପ୍ରକାଶ ପାଉଛି। ସେହିପରି ବିଶ୍ୱ ବଜାରରେ ଲୁହାପଥରର ଚାହିଦା ବୃଦ୍ଧି ହେବା ପରଠାରୁ ଜିଲାର ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳରେ ଚୋରାରେ ବ୍ୟାପକ ଲୁହାପଥର ଓ ମାଙ୍ଗାନିଜ କାରବାର ବୃଦ୍ଧି କାରଣରୁ ଖଣି ପରିସୀମା ବାହାରେ ଥିବା ଜଙ୍ଗଲକୁ ମେସିନ ସାହାର୍ଯ୍ୟରେ ରାତାରାତି କଟାଯାଇ ଅବାଧରେ ଖଣିଜ ଉତ୍ତୋଳନ ପ୍ରକ୍ରିୟା କରାଯାଉଥିବାରୁ ଉକ୍ତ ଅଞ୍ଚଳରେ ସବୁଜ ପରିବେଶ ନଷ୍ଟ ହେବା ସହ ମାନବ ଓ ପ୍ରାଣୀସମ୍ପଦ ପ୍ରତି ବିପଦ ଦେଖାଦେଇଛି।
ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବୈତରଣୀ, ବାରବାଙ୍କ, ହରମଠ, କେନ୍ଦୁଡିହି, ଠାକୁରାଣୀ ଓ ରୋଇଡ଼ା ଆଦି ସଂରକ୍ଷିତ ଜଙ୍ଗଲରେ ଚୋରା ଖଣି କାରବାର ଯୋଗୁଁଁ ବ୍ୟାପକ ଜଙ୍ଗଲ ଧ୍ୱଂସ କାରଣରୁ ବିରଳ ବନ୍ୟଜନ୍ତୁ ଦିନକୁ ଦିନ ଲୋପ ପାଇବାକୁ ବସିଲେଣି। ଚମ୍ପୁଆ ରେଞ୍ଜ ଅଧିନରେ ଥିବା ବଡ଼ବିଲ ଓ ଯୋଡ଼ା ଖଣି ଅଞ୍ଚଳରେ ଦ୍ରୁତ ଜଙ୍ଗଲ ଅବକ୍ଷୟକୁ ରୋକିବା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଜକୁ ୧୫ବର୍ଷ ତଳେ ନୂତନ ଭାବେ ବଡ଼ବିଲ ଫରେଷ୍ଟ ରେଞ୍ଜ ଗଠନ କରାଯାଇଥିଲା। ମାତ୍ର ସ୍ୱତନ୍ତ୍ର ରେଞ୍ଜ ଗଠନ ହେବା ପରଠାରୁ ଉକ୍ତ ଖଣି ଅଞ୍ଚଳରେ ଖଣି ଖନନ, ଖଣି ପାଇଁ ରାସ୍ତା ନିର୍ମାଣ ଓ ଚୋରାରେ ଖଣି ପ୍ରକ୍ରିୟା ପାଇଁ ବ୍ୟାପକ ଜଙ୍ଗଲ ଧ୍ୱଂସ ପାଇ ଆସୁଥିବା ଅଭିଯୋଗ ତଦନ୍ତସାପେକ୍ଷ।
ଦୈତାରୀ ଫରେଷ୍ଟ ରେଞ୍ଜ ଅଫିସ ଠାରୁ ମାତ୍ର ୩ କି.ମି. ଦୂର ତାଳପଦା ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମେସିନ ସାହାର୍ଯ୍ୟରେ ସ୍ପଷ୍ଟ ଦିବାଲୋକରେ ମୋରମ ଖନନ କରି ରାସ୍ତା ନିର୍ମାଣ ଆଳରେ ବର୍ଷତମାମ ବ୍ୟବସାୟ ଚାଲି ଆସୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଆଖିବୁଜି ଦେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ସଂରକ୍ଷିତ ଜଙ୍ଗଲକୁ ବ୍ୟାପକ ଧ୍ୱଂସ କରାଯାଇ ଖଣି ଖନନ କରାଯାଉଥିଲେ ହେଁ ବିଭାଗ ପକ୍ଷରୁ ଧରପଗଡ଼଼ କରାନଯିବା କିମ୍ବା ସଂରକ୍ଷିତ ଜଙ୍ଗଲରୁ ଚୋରାରେ ଚାଲାଣ ହେଉଥିବା ଲଘୁ ଖଣିଜ ସମ୍ପଦ ତଥା ଅନ୍ୟାନ୍ୟ ଜଙ୍ଗଲଜାତ ସମ୍ପଦକୁ ଚଢ଼ାଉ କରାଯାଉ ନଥିବାରୁ ଜିଲାବ୍ୟାପୀ ସବୁଜ ପରିବେଶ କ୍ରମେ ନଷ୍ଟ ହେବାକୁ ବସିଲାଣି।
ବନ ଓ ଖଣି ବିଭାଗର କେତେକ ଦୁର୍ନିତୀଗ୍ରସ୍ତ କର୍ମଚାରୀଙ୍କ ସଲାସୁତରାରେ ବ୍ୟାପକ ଜଙ୍ଗଲ ଧ୍ୱଂସ କରି ମାଫିଆମାନେ ଜଙ୍ଗଲଜାତ ଦ୍ରବ୍ୟ ଓ ଖଣିଜ ସମ୍ପଦକୁ ଚୋରାରେ ବିକ୍ରି କରି କୋଟି କୋଟି ଟଙ୍କାର ମୁନାଫା କମାଉ ଥିବାବେଳେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁଁଁ ଜିଲାର ସବୁଜ ପରିବେଶ ନଷ୍ଟ ହେବା ମାନବ ଓ ପ୍ରାଣୀସମ୍ପଦ ପ୍ରତି ଘୋର ବିପଦ ଦେଖାଦେଇଛି।
Comments are closed.