ଗେଣ୍ଡୁଫୁଲ ଚାଷ ଦେଇଛି ପରିଚୟ ଓ ରୋଜଗାର   

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ  ବ୍ଲକ ପାଣ୍ଡୁ ପଦର ଗାଁର ମାନସ ରଞ୍ଜନ କହଁର ସେ ଜଣେ ଉଚ୍ଚ ଶିକ୍ଷିତ ଏବଂ ଗ୍ରାଜୁଏସନ୍ ପାଠ ମଧ୍ୟ ପଢିଛନ୍ତି l ପାଠ ପଢା ପରେ ସରକାରୀ ଚାକିରୀ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହେବାରୁ ନିଜେ ଭାଙ୍ଗି ନ ପଡି ଗାଁରେ ଏକ ଜନସେବା କେନ୍ଦ୍ର ଖୋଲି ନିଜର ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ୟୁଟ୍ୟୁବରେ ଜୈବିକ ପଦ୍ଧତିରେ ଚାଷ କରିବା ପ୍ରକ୍ରିୟା ଦେଖି ଧିରେ ଧିରେ ଚାଷ ପ୍ରତି ମନରେ  ଆଗ୍ରହ ସୃଷ୍ଟି ହେବାରୁ  ଜଣେ ଉଦ୍ୟାନ ଚାଷୀ ହେବା ପାଇଁ ଚେଷ୍ଟା କରିଥିଲେ । ଗାଁରେ ପଡିଆ ପଡ଼ି ରହିଥିବା ଚାଷ ଜମିରେ କୂଅଟିଏ ଖୋଳି ପଡିଆ ଜମିରେ ଫୁଲ ସହିତ ପନିପରିବା ଚାଷ ଆରମ୍ଭ  କରିଛନ୍ତି । ଗେଣ୍ଡୁଫୁଲ ମଞ୍ଜି ସଂଗ୍ରହ କରି ଚାରା ପ୍ରସ୍ତୁତ କଲାପରେ   ୧ ଏକର ଜମିରେ ୧  ହଜାର  ଗେଣ୍ଡୁଫୁଲ ଚାରା ଲଗାଇ ଚାଷ କରିବା ସହ ବଳକା ୪ ଏକର ଜମିରେ ଜୈବିକ ପଦ୍ଧତିରେ  ଫୁଲ କୋବି,ଟମାଟ ,ବାଇଗଣ ସମେତ ବନ୍ଧା, ବିନସି , ଦେଶୀ ଆଳୁ, ମୂଳା , କଲରା ,କଞ୍ଚାଲଙ୍କା,ଧନିଆ,କଖାରୁଆଦି ଚାଷ କରିଛନ୍ତି l ପ୍ରତି ଦିନ ଫିରଙ୍ଗିଆ ବଜାରରେ ହେଉ କିମ୍ବା ଫୁଲବାଣୀ ବଜାରରେ ହେଉ  ପରିବା ୪୦ ରୁ ୫୦ ଟଙ୍କା କିଲୋ ଦରରେ ବିକ୍ରୀ କରି ବେଶ୍ ଦୁଇ ପଇସା ରୋଜଗାର କରି ପାରିଛନ୍ତି । ଶିକ୍ଷିତ ଯୁବକ ହୋଇଥିବାରୁ ବିଜ୍ଞାନର କୌଶଳ ଏବଂ
ଜୈବିକ ପଦ୍ଧତିରେ ଚାଷ କରି କମ୍ ସମୟରେ ଅଧିକ ଚାଷ କରି ଲାଭବାନ ହୋଇ ପାରିଛନ୍ତି ।
ମାନସ ଚାଷ କରିଥିବା ପରିବା ଜୈବିକ ପଦ୍ଧତି ରେ ହୋଇଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ଏହାର ଚାହିଦା ବଢିଛି । ଯାହା ଫଳରେ ଜିଲ୍ଲାର ବ୍ୟବସାୟୀ ମାନେ ଆସି ପରିବା କିଣି ନେଉଛନ୍ତି ।ସେହି ପରି ପୂଜା ପର୍ବ,ବିବାହ ,ବ୍ରତ କାର୍ଯ୍ୟ ପାଇଁ ଆବଶ୍ୟକ  ଗେଣ୍ଡୁଫୁଲ । ଏବେ କାର୍ତ୍ତିକ ପୂର୍ଣ୍ଣିମା ପରେ ମାର୍ଗଶିର ମାସରେ ଲକ୍ଷ୍ମୀ ପୂଜା ଥିବାରୁ ବଜାରରେ  ଗେଣ୍ଡୁଫୁଲ ଚାହିଦା ରହୁଛି।ତେଣୁ  ଲୋକଙ୍କ ଚାହିଦା କୁ ଦେଖି ୪୦ ରୁ ୫୦ ଟଙ୍କା କିଲୋରେ ଫୁଲ ବିକ୍ରି କରି ଫୁଲରୁ ମଧ୍ୟ ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ମାନସ । ପରିବା ଓ ଫୁଲ ଚାଷରୁ  ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ  ଅଞ୍ଚଳରେ ଏକ ସ୍ଵତନ୍ତ୍ର  ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି ଚାଷ କାର୍ଯ୍ୟ । ଚାଷ ଯୋଗୁଁ ସେ ଜଣେ ଉଦୀୟମାନ ସ୍ବାବଲମ୍ବୀ ଚାଷୀ ହୋଇ ପାରିଛନ୍ତି ।ସେ ଆଗକୁ ରୋଜ ଗାର୍ଡେନ କରିବା ସହିତ ଉଦ୍ୟାନ ବିଭାଗର ସହାୟତା ନେଇ ଆମ୍ବ,ପିଜୁଳି,କାଜୁ,ଚାଷ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଆଜିର ଯୁବକ ମାନେ ପାଠ ପଢି ଚାକିରି ପିଛାରେ ଦୌଡ଼ି ସମୟ ବର୍ବାଦ ନ କରି ଚାଷ କାର୍ଯ୍ୟରେ ମନ ଲଗେଇ ବିଜ୍ଞାନ କୌଶଳ ଏବଂ ଜୈବିକ  ପଦ୍ଧତିରେ ଚାଷ କଲେ ଭଲ ରୋଜଗାର କରିବା ସହିତ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ମାନସ  କରିଛନ୍ତି। ଆଜିର ଆଧୁନିକ ଦୁନିଆରେ ମାନସ ଚାଷ କାର୍ଯ୍ୟ କରି ସମସ୍ତ ଯୁବ ପିଢ଼ି ପାଇଁ ଏକ ପ୍ରେରଣା ସାଜି ଥିବା ଅଞ୍ଚଳ ବାସି କୁହନ୍ତି।

Comments are closed.