ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିର୍ଯ୍ୟାତନ ନିରୋଧ ଆଇନ-୧୯୮୯ (ଏସ୍ସି/ଏସ୍ଟି ଆଇନ)ରେ ସଂସଦ ଦ୍ବାରା କରାଯାଇଥିବା ସଂଶୋଧନ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ବିଚାରପତି ଏ.କେ. ସିକ୍ରି, ଏସ୍. ଅବଦୁଲ ନଜିର ଏବଂ ଏମ.ଆର. ଶାହଙ୍କ ପୀଠରେ ଏ ସମ୍ବନ୍ଧୀୟ ମାମଲାର ଶୁଣାଣି ହୋଇଥିଲା। ଏକ ଉପଯୁକ୍ତ ପୀଠ ନିକଟରେ ଶୁଣାଣି ନିମନ୍ତେ ମାମଲାଟିକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦିଆଯାଇଛି। ପୀଠ କହିଛନ୍ତି, ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ମାମଲାରେ କୌଣସି ଅନ୍ତରୀଣ ନିର୍ଦେଶ ଜାରି କରାଯାଇପାରିବ ନାହିଁ। ଏହି ରାୟ ବିରୋଧୀ ସଂଶୋଧନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଏବଂ ରାୟର ସମୀକ୍ଷା ଆବେଦନ ଉପରେ ଏକାଠି ଶୁଣାଣି ହେବା ଉଚିତ।
ଉଲ୍ଲେଖ ଯେ ଏସ୍ସି/ଏସ୍ଟି ବର୍ଗର ଲୋକଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ ହେବା କ୍ଷଣି ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଏହି ଆଇନରେ ଥିବା ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ୨୦୧୮ ମାର୍ଚ୍ଚ ୨୦େର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଉଚ୍ଛେଦ କରିଥିଲେ। ଏଥିସହ ଏଭଳି ମାମଲାରେ ଅଗ୍ରୀମ ଜାମିନ ପ୍ରଦାନ ନେଇ ପ୍ରାବଧାନ କରିଥିଲେ। ଏସ୍ସି/ଏସ୍ଟି ଆଇନର ଅନୁଚିତ ଉପଯୋଗ ରୋକିବା ଉଦ୍ଦେଶ୍ୟରେ ଏପରି ରାୟ ଦିଆଯାଇଥିଲା। ଏହି ରାୟ ଦ୍ବାରା ଆଇନଟି ଦୁର୍ବଳ ହୋଇପଡିଥିବା ଦର୍ଶାଇ ଏସ୍ସି/ଏସ୍ଟି ବର୍ଗର ଲୋକେ ଦେଶ ବ୍ୟାପୀ ବିକ୍ଷୋଭ ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ଏ ନେଇ ଏକ ସମୀକ୍ଷା ଆବେଦନ ଦାଖଲ କରିଥିଲେ। ଏଥିସହ ରାୟ ପ୍ରକାଶର ୪ ମାସ ପରେ ସଂସଦରେ ବିଧେୟକ ଆଣି ସର୍ବୋଚ୍ଚ ଅଦାଲତଙ୍କ ରାୟକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଥିଲେ। ଫଳରେ ଆଇନଟି ଏହାର ପୂର୍ବ ସ୍ବରୂପକୁ ଫେରିଥିଲା। ଏସ୍ସି/ଏସ୍ଟିଙ୍କ ବିରୋଧରେ ଅତ୍ୟାଚାର ମାମଲାରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ ସମ୍ବନ୍ଧୀୟ ପ୍ରାବଧାନକୁ ହଟାଇ ଦିଆଯାଇଥିଲା। ଏହି ସଂଶୋଧନ ନ୍ୟାୟ ସଂଗତ ଏବଂ ଏଭଳି ସଂଶୋଧନ ଆଣିବା ନେଇ ସଂସଦ ନିକଟରେ କ୍ଷମତା ରହିଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ।
ଏସ୍ସି/ଏସ୍ଟି ଆଇନ: କେନ୍ଦ୍ରର ସଂଶୋଧନ ଉପରେ ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ
Popular Categories



