www.samajalive.in
Wednesday, December 10, 2025
14.1 C
Bhubaneswar

ବିରାଟ ଗାଥା

ସତରେ କେଡ଼େ ବିରାଟ ଏ ଉପଲବ୍ଧି; ଯାହା ଅନୁପମ ଓ ଅବିଶ୍ବସନୀୟ। ଏକାଥରକେ ଆଇସିସିର ତିନିଟି ପୁରସ୍କାର- ଶ୍ରେଷ୍ଠ କ୍ରିକେଟର, ଶ୍ରେଷ୍ଠ ଟେଷ୍ଟ କ୍ରିକେଟର, ଶ୍ରେଷ୍ଠ ଦିନିକିଆ କ୍ରିକେଟର। ଏହା ସହିତ ପୁଣି ଆଇସିସି ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ପଦ। ୨୦୧୮ରେ ଆନ୍ତର୍ଜାତିକ କ୍ରିକେଟରେ ଅସାଧାରଣ ପ୍ରଦର୍ଶନ ନିମନ୍ତେ ଆଇସିସି ପକ୍ଷରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏଭଳି ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି। ଏଭଳି କୃତିତ୍ବ ଅର୍ଜନ କରିବାରେ ସେ ବିଶ୍ବର ପ୍ରଥମ କ୍ରିକେଟର ହୋଇ ଭାରତର ଗୌରବ ବଢ଼ାଇବାସହ କ୍ରିକେଟପ୍ରେମୀଙ୍କ ନୟନର ତାରା ପାଲଟିଛନ୍ତି। ତାଙ୍କର କ୍ରିକେଟ ଜୀବନର ମଧ୍ୟଭାଗରେ ତାଙ୍କୁ ଏ ଯେଉଁ ମର୍ଯ୍ୟାଦା ମିଳିଛି ତା’ପଛରେ ରହିଛି କୋହଲିଙ୍କର ଏକନିଷ୍ଠ ଉଦ୍ୟମ ଓ ଖେଳପ୍ରତି ସଂପୂର୍ଣ୍ଣ ସମର୍ପିତ ଭାବ। ଅତି ଉତ୍ତମ ବ୍ୟକ୍ତିଗତ ପ୍ରଦର୍ଶନ ଓ ରେକର୍ଡ ସହ ଦଳୀୟ ନେତୃତ୍ବ କ୍ଷେତ୍ରରେ ସେ ମଧ୍ୟ ନିଜକୁ ଅସାଧାରଣ ପ୍ରମାଣିତ କରିଛନ୍ତି।
ଗାଭାସ୍କର, କପିଳଦେବ, ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ଙ୍କ ଭଳି ଚମତ୍କାର ପ୍ରତିଭା ବିଶ୍ବ କ୍ରିକେଟକୁ ଭାରତର ଅବଦାନ। ଏମାନେ ନିଜନିଜର ପ୍ରତିଭା ଓ ପରାକାଷ୍ଠା ବଳରେ କିମ୍ବଦନ୍ତୀ ପାଲଟିଛନ୍ତି। ତେବେ ବିରାଟ କୋହଲି କ୍ରିକେଟ ଦୁନିଆକୁ ଆସିବାପରେ ଯେଉଁ ଢଙ୍ଗରେ ଖେଳୁଛନ୍ତି ଓ ଯେଉଁ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ପରେ ମନେ ହେଉଛି ସତେ ଯେପରି ତେନ୍ଦୁଲକରଙ୍କ ପରେ ଆଉଜଣେ @କ୍ରିକେଟର ଭଗବାନ#ଙ୍କ ଆବିର୍ଭାବ ଘଟିଛି। ତାଙ୍କ ପ୍ରତିଭା ଓ ପ୍ରଦର୍ଶନରେ ସମସ୍ତେ ଶତମୁଖ। ଯେଉଁ ଢଙ୍ଗରେ ସେ ଶତକମାନ ମାରି ଚାଲିଛନ୍ତି ସେଥିରୁ ମନେହେଉଛି ସେ ବିଶ୍ବର ସବୁ ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ସ୍ବଭାବତଃ ଚଞ୍ଚଳ ପ୍ରକୃତିର କୋହଲି ଆକ୍ରମଣାତ୍ମକ କ୍ରିକେଟକୁ ଭଲ ପାଆନ୍ତି। ପରିସ୍ଥିତିର ଚାପ ତାଙ୍କୁ ବିଶେଷ ଭାରାକ୍ରାନ୍ତ କରେନାହିଁ। ସେ ନିଜେନିଜର ପ୍ରତିଦ୍ବନ୍ଦ୍ବୀ ଓ ଆଦର୍ଶ ହୋଇ ଆତ୍ମବିଶ୍ବାସମୂଳକ ଖେଳ ଖେଳିବାକୁ ଭଲ ପାଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ମନ ଜିଣୁଛନ୍ତି।
ମଣିଷର ପ୍ରଭାବ ଓ ପ୍ରତିଷ୍ଠା ବଢ଼ିଲେ ତାହାର ଦାୟିତ୍ବ ବଢ଼େ। କୋହଲି ଏବେ ବିଶ୍ବ କ୍ରିକେଟର ମୁକୁଟବିହୀନ ସମ୍ରାଟ ହୋଇଥିବାରୁ ତାଙ୍କର ଦାୟିତ୍ବ ଅବଶ୍ୟ ବଢ଼ିବ । ସେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠତା ବଜାୟ ରଖିବାସହ ଭାରତୀୟ କ୍ରିକେଟକୁ ଏହାର ଶିଖରରେ ପହଞ୍ଚାଇବାରେ ସବୁମନ୍ତେ ଉଦ୍ୟମ ଜାରି ରଖିବେ, ଏ ଆଶା ଦେଶବାସୀ ଓ କ୍ରୀଡ଼ାପ୍ରେମୀଙ୍କର ରହିବା ସ୍ବାଭାବିକ। ତାଙ୍କଭଳି କ୍ରିକେଟରଙ୍କ ସଂଖ୍ୟା ଭାରତରେ ବୃଦ୍ଧିପାଉ, ଏତିକି ଏଇ ଅବସରରେ ସବୁ ଭାରତୀୟ କ୍ରିକେଟପ୍ରେମୀ ଆଶା କରିବେ। ସଫଳତା ଓ ପ୍ରାପ୍ତିର ଏହି ଦୁର୍ଲଭ କ୍ଷଣରେ ଆମେ ବିରାଟଙ୍କୁ ଅଭିନନ୍ଦନ ଜଣାଇବାସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରୁଛୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories