www.samajalive.in
Monday, December 8, 2025
27.1 C
Bhubaneswar

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା ଏବଂ ତୀବ୍ର ଭୂରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷର ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘କପ୍ ୩୦’ ନଭେମ୍ବର ୧୦ରୁ ୨୨ ପର୍ଯ୍ୟନ୍ତ ବ୍ରାଜିଲର ବେଲେମ ସହରରେ ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ପିଢ଼ି ନିମନ୍ତେ ଏକ ସୁରକ୍ଷିତ ଗ୍ରହର ପ୍ରୋତ୍ସାହନ ଲକ୍ଷ୍ୟରେ ୧୯୯୨ ମସିହାରେ ରିଓ ଧରିତ୍ରୀ ସମ୍ମିଳନୀ ଅବସରରେ ଅନୁଷ୍ଠିତ ହୋଇଥିବା ‘ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ ସମ୍ମିଳନୀ’ (ୟୁଏନ୍ଏଫ୍‌ସିସିସି) ମଞ୍ଚ ସମ୍ପ୍ରତି ୧୯୭ଟି ରାଷ୍ଟ୍ର ଓ ୟୁରୋପୀୟ ସଂଘକୁ ନେଇ କାର୍ଯ୍ୟରତ। ଏହା ସର୍ବାଧିକ ଅନୁମୋଦିତ ଅନ୍ତର୍ଜାତୀୟ ଚୁକ୍ତିନାମା ମଧ୍ୟରେ ଅନ୍ୟତମ ଓ ଜଳବାୟୁ ନିୟନ୍ତ୍ରଣ କାର୍ଯ୍ୟାନ୍ୱୟନରେ ସଂଘଟିତ ଅଗ୍ରଗତି ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କର ବାର୍ଷିକ ସମ୍ମିଳନୀ (କପ୍‌) ପ୍ରଥମେ ଜର୍ମାନୀର ବର୍ଲିନରେ ୧୯୯୫ରେ ଅନୁଷ୍ଠିତ ହୋଇଥିଲା। ଏହାର ପରବର୍ତ୍ତୀ ସମୟରେ ଜଳବାୟୁ ପ୍ରବର୍ତ୍ତିତ ବହୁ ଭୟଙ୍କର ବିନାଶକାରୀ ବିପର୍ଯ୍ୟୟ ସଂଘଟିତ ହୋଇଚାଲିଛି ଏବଂ କ୍ରମାଗତ ତାପମାତ୍ରା ବୃଦ୍ଧିଜନିତ ବିପଦର ସମ୍ଭାବନା ମଧ୍ୟ ପ୍ରସାରିତ ହେଉଛି। ୨୦୧୫ର ପ୍ୟାରିସ୍ ଚୁକ୍ତିନାମାରେ, ରାଷ୍ଟ୍ରମାନେ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧିକୁ ଶିଳ୍ପବିପ୍ଳବ ପୂର୍ବ ସ୍ତରରୁ ୨ଡିଗ୍ରୀ ସେଲସିୟସ୍ ତଳେ, ଆଦର୍ଶ ଭାବରେ ୧.୫ଡିଗ୍ରୀ ସେଲସିୟସ୍‌ରୁ ନିମ୍ନରେ, ସୀମିତ ରଖିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏହି ଚୁକ୍ତିନାମାରେ ସ୍ୱାକ୍ଷରକାରୀ ଦେଶମାନେ ପ୍ରତି ପାଞ୍ଚ ବର୍ଷରେ ନୂତନ ଜାତୀୟ ଜଳବାୟୁ ଯୋଜନା (ଜାତୀୟ ନିର୍ଦ୍ଧାରିତ ଅବଦାନ – ଏନ୍‌ଡିସି) ଦାଖଲ କରିବାର ଆବଶ୍ୟକତା ରହିଛି। ଏକ ଦଶନ୍ଧି ପରେ ଏବେ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ରୂପେ ପ୍ରତୀୟମାନ ହୁଏ ଯେ ଏହି ଲକ୍ଷ୍ୟ ହାସଲ ଦୂର ଦିଗ୍‌ବଳୟରେ ହିଁ ରହିଛି। ଏପରି ପଟଭୂମିରେ, କପ୍ ୩୦ ଶିଖର ସମ୍ମିଳନୀ ପ୍ରଗତିର ମୁହୂର୍ତ୍ତ ଭାବରେ ନା ସୁଯୋଗ ହାତଛଡ଼ା କରିବାର ଘଟଣା ରୂପେ ପରିଗଣିତ ହେବ, ତାହା ହିଁ ଆଜି ପ୍ରମୁଖ ବିତର୍କର ପ୍ରସଙ୍ଗ ପାଲଟିଛି।
ସମ୍ପ୍ରତି ଏହା ସୁସ୍ପଷ୍ଟ ଯେ ପ୍ୟାରିସ୍ ଚୁକ୍ତିନାମା ଅନୁଯାୟୀ ଶିଳ୍ପବିପ୍ଳବ-ପୂର୍ବ ସ୍ତରଠାରୁ ମାତ୍ର ଦେଢ଼ ଡିଗ୍ରୀ ମଧ୍ୟରେ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ସୀମିତ ରଖିବା ଆଉ ସମ୍ଭବପର ନୁହେଁ। ୟୁଏନ୍ଏଫ୍‌ସିସିସି ପ୍ରସ୍ତୁତ ରିପୋର୍ଟ ଦର୍ଶାଇଛି ଯେ ଜଳବାୟୁ କାର୍ଯ୍ୟ ଯୋଜନା କାର୍ଯ୍ୟାନ୍ୱୟନ କରିବା ନିମନ୍ତେ ଆବଶ୍ୟକ ଆର୍ଥିକ ସମ୍ବଳ ବ୍ୟବସ୍ଥା କ୍ଷେତ୍ରରେ ଏକ ବ୍ୟାପକ ବ୍ୟବଧାନ ହିଁ, ବିଶେଷକରି ବିକାଶଶୀଳ ରାଷ୍ଟ୍ରମାନଙ୍କରେ, ଏଥି ନିମନ୍ତେ ଦାୟୀ। ଜାତିସଙ୍ଘ ପରିବେଶ କାର୍ଯ୍ୟକ୍ରମର ଆକଳନ ଦର୍ଶାଉଛି ଯେ ବର୍ତ୍ତମାନର ଜଳବାୟୁ ନୀତି ଅନୁଯାୟୀ, ଏହି ଶତାବ୍ଦୀରେ ବିଶ୍ୱ ତାପମାତ୍ରା ୨.୬ରୁ ୩.୩ ଡିଗ୍ରୀ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି କପ୍ ୩୦ରେ ‘ବେଲେମ୍ ରାଜନୈତିକ ପ୍ୟାକେଜ୍’ ଗୃହୀତ ହୋଇଛି, ଯାହା ପ୍ୟାରିସ୍ ଚୁକ୍ତିନାମାର ତାପମାତ୍ରା-ଲକ୍ଷ୍ୟକୁ ପୁନଃନିର୍ଦିଷ୍ଟ କରିଥିଲା ବେଳେ ୧.୫ଡିଗ୍ରୀ ସୀମା ମଧ୍ୟରେ ରହିବା ନିମନ୍ତେ ଜୀବାଶ୍ମ ଇନ୍ଧନ (କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ)ରୁ ନିର୍ଗତ ସବୁଜଗୃହ ବାଷ୍ପ ଉତ୍ସର୍ଜନରେ ‘ଗଭୀର, ଦ୍ରୁତ ଓ ନିରନ୍ତର ହ୍ରାସ’ ଅତ୍ୟାବଶ୍ୟକ ବୋଲି ସ୍ୱୀକାର କରାଯାଇଛି। ଏକ ପ୍ରମୁଖ ଅଗ୍ରଗତି ହେଉଛି ଯେ ଦୁର୍ବଳ ଓ ବିକାଶଶୀଳ ଦେଶମାନଙ୍କ ନିମନ୍ତେ ଅନୁକୂଳନ ଆର୍ଥିକ ସହାୟତାକୁ ତିନି ଗୁଣ ବୃଦ୍ଧି କରିବାର ନିଷ୍ପତ୍ତି ଗୃହୀତ ହେବା ଏବଂ ଏହି ଲକ୍ଷ୍ୟ ଜଳବାୟୁ ପ୍ରଭାବ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିବା ରାଷ୍ଟ୍ରମାନଙ୍କରେ ସ୍ଥିରତା ରକ୍ଷା ନିମନ୍ତେ ସହାୟତା କରିବାର ଜରୁରୀ ଆବଶ୍ୟକତାକୁ ସ୍ୱୀକାର କରେ। ଏହି ଶିଖର ସମ୍ମିଳନୀରେ ଏକ ‘ନ୍ୟାୟପୂର୍ଣ୍ଣ ପରିବର୍ତ୍ତନ ପଦ୍ଧତି’ର ଆରମ୍ଭ ହୋଇଛି, ଯାହାର ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଶକ୍ତି ଉତ୍ସ ଦିଗକୁ ଅର୍ଥନୀତି ପରିବର୍ତ୍ତିତ ହେଉଥିବା ପରିପ୍ରେକ୍ଷୀରେ ଏଥିରେ ପ୍ରଭାବିତ ହେଉଥିବା ଶ୍ରମିକ ଓ ସମ୍ପ୍ରଦାୟକୁ ସମର୍ଥନ କରିବା। ଏହି ପଦ୍ଧତିରେ ପ୍ରଭାବିତ ଜନସମାଜ ନିମନ୍ତେ ସମାନତା, ଅନ୍ତର୍ଭୁକ୍ତୀକରଣ ଏବଂ ସମର୍ଥନର ଉଦ୍ଦେଶ୍ୟ ନିହିତ ରହିଛି। ଅନୁକୂଳନ ପ୍ରକ୍ରିୟା ଉପରେ ନଜର ରଖିବା (ଟ୍ରାକିଂ) ନିମନ୍ତେ କପ୍ ୩୦ ‘ବିଶ୍ୱ ଅନୁକୂଳନ ଲକ୍ଷ୍ୟ’ ଅଧୀନରେ ୫୯ଟି ବିଶ୍ୱ ସୂଚ଼କକୁ ଗ୍ରହଣ କରିଛି, ଯାହା ସମୟ କ୍ରମେ ଘଟୁଥିବା ପ୍ରଗତିକୁ ମାପିବା ନିମନ୍ତେ ଉଦ୍ଦିଷ୍ଟ।
ଉଦ୍‌ଘାଟନୀ ସମାରୋହରେ ଆୟୋଜକ ରାଷ୍ଟ୍ର ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭା ଦୁଇଟି ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଆରୋପ କରିଥିଲେ – ଗୋଟିଏ ହେଉଛି ଜଙ୍ଗଲ ଅବକ୍ଷୟକୁ ରୋକିବା ତଥା ବିପରୀତମୁଖୀ କରିବା ଏବଂ ଅନ୍ୟଟି ଜୀବାଶ୍ମ ଇନ୍ଧନର ବ୍ୟବହାରରୁ ନ୍ୟାୟୋଚ଼ିତ, ସୁବ୍ୟବସ୍ଥିତ ଏବଂ ଯଥାର୍ଥ ଭାବରେ ଦୂରେଇ ଯିବା। ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ଆନ୍ଦୋଳନର ସୂତ୍ରପାତ କରିବା ଏବଂ ଆଲୋଚନା ମାଧ୍ୟମରେ ସର୍ବାଧିକ ବିବାଦୀୟ ପ୍ରସଙ୍ଗଗୁଡ଼ିକ ଉପରେ ଏକ ସର୍ବସମ୍ମତ ଚୁକ୍ତିନାମା ହାସଲ କରିବା ହିଁ ସମ୍ମିଳନୀର ଲକ୍ଷ୍ୟ ଥିଲା। ପ୍ୟାରିସ୍ ଚୁକ୍ତିନାମାର ଧାରା ୯ର କାର୍ଯ୍ୟାନ୍ୱୟନ ମଧ୍ୟ ବାଞ୍ଛନୀୟ, ଯାହା ବିକାଶଶୀଳ ଦେଶଗୁଡ଼ିକୁ ଜୀବାଶ୍ମ ଇନ୍ଧନର ବ୍ୟବହାରରୁ ଦୂରେଇ ଯିବା ନିମନ୍ତେ ବିକଶିତ ରାଷ୍ଟ୍ରମାନଙ୍କୁ ପାଣ୍ଠି ସଂଗ୍ରହ କରିବାକୁ ବାଧ୍ୟତାମୂଳକ କରିଥାଏ । ସେହିପରି, ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା, ସବୁଜଗୃହ ବାଷ୍ପ ହ୍ରାସ ନିମନ୍ତେ ଜାତୀୟ ସ୍ତରରେ ନିର୍ଣ୍ଣିତ ଅବଦାନ ଉପରେ ଅଗ୍ରଗତି ହାସଲ କରିବା ଏବଂ ଦେଢ଼ ଡିଗ୍ରୀର ମହଦାକାଂକ୍ଷୀ ଲକ୍ଷ୍ୟ । ଏହାର କାର୍ଯ୍ୟାନ୍ୱୟନରେ ସୃଷ୍ଟ ବ୍ୟବଧାନକୁ ସମାଧାନ କରିବା ଅନ୍ତର୍ଭୁକ୍ତ।
ଜଳବାୟୁ ନୀତି ଆଉ କେବଳ ଭବିଷ୍ୟତର ତାପମାତ୍ରା ବୃଦ୍ଧିକୁ ରୋକିବା ପ୍ରସଙ୍ଗରେ ନୁହେଁ, ଏହା ପ୍ରକଟିତ ହେଉଥିବା ପ୍ରଭାବଗୁଡ଼ିକର ମୁକାବିଲା କରିବା ବିଷୟକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଅତଏବ, ଅନୁକୂଳନ ନିମନ୍ତେ ଆର୍ଥିକ ସହାୟତା ଏବଂ ନ୍ୟାୟପୂର୍ଣ୍ଣ ପରିବର୍ତ୍ତନ (ଶକ୍ତି ବ୍ୟବହାର କ୍ଷେତ୍ରରେ) ଉପରେ ଗୁରୁତ୍ୱ ବୃଦ୍ଧି ସୂଚ଼ିତ କରୁଛି ଯେ ଦୁର୍ବଳ ଦେଶଗୁଡ଼ିକ ଆଗାମୀ ଦଶନ୍ଧିମାନଙ୍କରେ କେବଳ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ନିମନ୍ତେ ନୁହେଁ, ବରଂ ବର୍ତ୍ତମାନ ଉପସ୍ଥିତ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସାହାଯ୍ୟ ଆବଶ୍ୟକ କରୁଛନ୍ତି। ଅବଶ୍ୟ, ବିକଶିତ ରାଷ୍ଟ୍ରମାନେ ଗୁରୁତ୍ୱ ଆରୋପ କରିଛନ୍ତି ଯେ ଏଥି ନିମନ୍ତେ ଘରୋଇ ଓ ସରକାରୀ ଉତ୍ସରୁ ଅର୍ଥ ସଂଗ୍ରହ ଏକାନ୍ତ ଅପରିହାର୍ଯ୍ୟ। ଅନ୍ୟ ପକ୍ଷରେ, ଜୀବାଶ୍ମ ଇନ୍ଧନକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା କିମ୍ବା ନିର୍ଗମନ ହ୍ରାସ କରିବା ନିମନ୍ତେ ଏକ ବାସ୍ତବଧର୍ମୀ, ବାଧ୍ୟତାମୂଳକ କାର୍ଯ୍ୟପନ୍ଥାର ଅଭାବ ସୂଚ଼ିତ କରେ ଯେ ଉତ୍ତାପ ବୃଦ୍ଧିକୁ ଦେଢ଼ ଡିଗ୍ରୀ ମଧ୍ୟରେ ସୀମିତ ରଖିବାର ଦ୍ୱାର କ୍ରମଶଃ ସଂକୀର୍ଣ୍ଣ ହେବାରେ ଲାଗିଛି। ଅନେକ ବିଶ୍ଳେଷକ କପ୍ ୩୦କୁ ଏକ ସାଧାରଣ ପ୍ରଗତି ଭାବରେ ଦେଖନ୍ତି – ହୁଏତ ଏହାକୁ ‘ଏକ ବିରାମ, ସମ୍ପୂର୍ଣ୍ଣ ପରିବର୍ତ୍ତନ ନୁହେଁ’ ବୋଲି କହିବା ଉଚ଼ିତ ହେବ। ପରବର୍ତ୍ତୀ ସମୟରେ ରାଷ୍ଟ୍ରମାନଙ୍କର ନୀତିରେ ସ୍ୱଚ୍ଛ ଶକ୍ତିର ବ୍ୟବହାରରେ ବୃଦ୍ଧି, ଜୀବାଶ୍ମଇନ୍ଧନର ହ୍ରାସ, ଜଳବାୟୁ ଆର୍ଥିକ ସହାୟତାର ବଣ୍ଟନ ଏବଂ କାର୍ଯ୍ୟାନ୍ୱୟନ କିପରି ପ୍ରତିଫଳିତ ହୋଇ ସଫଳତା ଅର୍ଜନ କରୁଛି, ତାହା ହିଁ ପ୍ରକୃତ ପରୀକ୍ଷା ହେବ ଏବଂ ସମ୍ମିଳନୀର ଉପଲବ୍ଧିକୁ ଗୁରୁତ୍ୱପୂର୍ଣ୍ଣ ରୂପେ ପ୍ରତିପାଦିତ କରିବ।
ତେବେ, କପ୍ ୩୦ ସମ୍ମିଳନୀର ବିଫଳତାର ବିଶ୍ଳେଷଣ ଏକାନ୍ତ ଅପରିହାର୍ଯ୍ୟ। ଏହା ଜୀବାଶ୍ମ ଇନ୍ଧନକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଉଦ୍ଦେଶ୍ୟରେ ଏକ ସୁସ୍ପଷ୍ଟ ରୋଡ୍‌ମ୍ୟାପ୍ ପ୍ରଦାନ କରିବାରେ ବିଫଳ ହୋଇଛି। ଯଦିଓ ଅନେକ ରାଷ୍ଟ୍ର ଏପରି ଯୋଜନାକୁ ସମର୍ଥନ କରିଥିଲେ, ଚୂଡ଼ାନ୍ତ ଚୁକ୍ତିପତ୍ରରେ ଜୀବାଶ୍ମ ଇନ୍ଧନର କୌଣସି ସ୍ପଷ୍ଟ ଉଲ୍ଲେଖକୁ ବାଦ ଦିଆଯାଇଥିଲା, ଯାହାର ପ୍ରଚ୍ଛଦରେ ରହିଥିଲା ମୁଖ୍ୟତଃ ଏସବୁ ଇନ୍ଧନର ପ୍ରମୁଖ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କର ବିରୋଧ। ଅବଶ୍ୟ ଉଦ୍‌ଯାପନୀ ଅଭିଭାଷଣରେ କପ୍ ସଭାପତି ଆଣ୍ଡ୍ରେ ଲାଗୋ ଆଲୋଚ଼ିତ ଦୁଇଟି ‘ରୋଡ୍ ମ୍ୟାପ୍’, ଯଥା ଜଙ୍ଗଲ ଅବକ୍ଷୟ ବନ୍ଦ କରିବା ଏବଂ ରାଷ୍ଟ୍ରମାନଙ୍କ ଦ୍ୱାରା ଜୀବାଶ୍ମ ଇନ୍ଧନ ବ୍ୟବହାରରେ ହ୍ରାସ ଘଟାଇବା ନିମନ୍ତେ ପ୍ରଭାବଶାଳୀ ବିଚ଼ାରାଲୋଚନା କରିବା ନିମନ୍ତେ ବ୍ୟକ୍ତିଗତ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ପ୍ୟାରିସ୍ ଚୁକ୍ତିନାମାରୁ ଟ୍ରମ୍ପ ପ୍ରଶାସନ ଓହରିଯିବା ଏବଂ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ତିନି ଦଶନ୍ଧିର ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ସରକାର କୌଣସି ଜାତୀୟ ଅଧିକାରୀଙ୍କୁ କପ୍ ୩୦କୁ ନପଠାଇବା ବିଶ୍ୱ ସମ୍ପ୍ରଦାୟକୁ ଏକ ନିରାଶଜନକ ବାର୍ତ୍ତା ପ୍ରଦାନ କରୁଛି । ପୁନଶ୍ଚ ଚୀନ୍, ଭାରତ ଓ ରୁଷ ଭଳି ଅନ୍ୟାନ୍ୟ ସର୍ବାଧିକ ନିର୍ଗମନକାରୀ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ ମଧ୍ୟ ବ୍ୟକ୍ତିଗତ ଭାବରେ ଯୋଗଦାନ ନକରି ନିମ୍ନ ସ୍ତରୀୟ ପ୍ରତିନିଧିମାନଙ୍କୁ ପଠାଇବା ସମ୍ମିଳନୀର ଗୁରୁତ୍ୱ ହ୍ରାସକୁ ସ୍ପଷ୍ଟ କରୁଛି। ଏପରି ଦୃଶ୍ୟପଟରେ ଜଳବାୟୁ ବିପର୍ଯ୍ୟୟରୁ ଆମ ଗ୍ରହ ତଥା ଜୀବଜଗତର ସୁରକ୍ଷା ସମ୍ପୂର୍ଣ୍ଣ ରୂପେ ଆଗାମୀ ସମୟରେ ରାଜନୈତିକ ନେତୃବର୍ଗଙ୍କର ବିଜ୍ଞତା ପ୍ରଦର୍ଶନ ଉପରେ ହିଁ ଅନେକାଂଶରେ ନିର୍ଭରଶୀଳ।
ଜୟକୃଷ୍ଣ ପାଣିଗ୍ରାହୀ,ଭୁବନେଶ୍ୱର

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories